ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ରାଜ୍ୟ ବଜେଟ୍‌ରେ ବିଭିନ୍ନ ବିଭାଗ ଲାଗି ଯେଉଁ ବ୍ୟୟବରାଦ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରିବ ନାହିଁ। ଏ ସମ୍ପର୍କିତ ବିଧାୟକ ମନୋହର ରାନ୍ଧାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନିର୍ବାଚନ ଆଚାର ସଂହିତା ଲାଗୁ କରାଯାଇଥିବାରୁ ବଜେଟ୍‌ ଅର୍ଥକୁ ସମ୍ପୂର୍ଣ୍ଣ ଖର୍ଚ୍ଚ କରାଯାଇପାରିନଥିଲା।

Advertisment

ମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ  ବଜେଟ୍‌ର ୯୦.୦୭ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଆଇନ ବିଭାଗ ୭୫.୭୧ ପ୍ରତିଶତ, ଅର୍ଥ ୭୬.୪୨ ପ୍ରତିଶତ, ବାଣିଜ୍ୟ ୬୩.୫୩ ପ୍ରତିଶତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୬୫.୧୨ ପ୍ରତିଶତ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ୮୫.୫୫ ପ୍ରତିଶତ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୯୩.୭୮ ପ୍ରତିଶତ, କ୍ରୀଡ଼ା ଓ ଯୁବ ସେବା ବିଭାଗ ୯୯.୨୬ ପ୍ରତିଶତ, ଶିଳ୍ପ ବିଭାଗ ୯୫.୧୮ ପ୍ରତିଶତ, ଜଳ ସମ୍ପଦ ବିଭାଗ ୯୨.୭୩ ପ୍ରତିଶତ ଏବଂ କୃଷି ବିଭାଗ ୯୧.୬୫ ପ୍ରତିଶତ ବଜେଟ୍‌ ଅର୍ଥକୁ ଖର୍ଚ୍ଚ କରିଥିଲେ। ଆଲୋଚ୍ୟ ଆର୍ଥିକ ବର୍ଷରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ୮୧.୮୫ ପ୍ରତିଶତ, ଅବକାରୀ ବିଭାଗ ୮୮ ପ୍ରତିଶତ, ଶକ୍ତି ବିଭାଗ ୮୨.୩୬ ପ୍ରତିଶତ, ପର୍ଯ୍ୟଟନ ୮୨.୫୧ ପ୍ରତିଶତ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ୭୦.୨୩ ପ୍ରତିଶତ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ୯୯.୮୬ ପ୍ରତିଶତ, ମିଶନ ଶକ୍ତି ବିଭାଗ ୯୯.୧୬ ପ୍ରତିଶତଅର୍ଥ ଖର୍ଚ୍ଚ କରିଛନ୍ତି।

ପାନ ମସଲା, ଗୁଟ୍‌ଖାରୁ ୧୦୧୨ କୋଟି ଟିକସ
ଭୁବନେଶ୍ବର: ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣାଇଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ପାନ ମସଲା ଓ ଗୁଟ୍‌ଖାରୁ ୧୦୧୨.୫୬ କୋଟି ଟଙ୍କାର ଟିକସ ଆଦାୟ କରିଥିଲେ। ୨୦୨୪-୨୫ ଆର୍ଥିକ ବର୍ଷରେ ଜୁଲାଇ ସୁଦ୍ଧା ଏବାବଦରେ ୩୫୭.୧୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି। ଏହି ଉତ୍ପାଦଗୁଡ଼ିକ ଉପରୁ ୨୮ ପ୍ରତିଶତ ହାର‌ରେ ଜିଏସ୍‌ଟି ସଂଗ୍ରହ କରାଯାଉଥିବା ବେଳେ କେନ୍ଦ୍ର ସରକାର କ୍ଷତିପୂରଣ ସେସ୍‌ ଆଦାୟ କରୁଛନ୍ତି।