୧୪ରୁ ବଜେଟ୍‌ ପ୍ରସ୍ତୁତି, ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୈଠକ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି କାର୍ଯ୍ୟ ଆସନ୍ତା ୧୪ ତାରିଖରୁ ଆରମ୍ଭ କରିବେ। ଅର୍ଥନୀତିରେ ଏବେ ଦେଖାଦେଇଥିବା ମାନ୍ଦାବସ୍ଥା ସମେତ ରାଜସ୍ବ ଆଦାୟ ହ୍ରାସ ପାଉଥିବାରୁ ବଜେଟରେ ଏହି ଦୁଇଟି ଦିଗର ସୁଧାର ଉପରେ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ଅନୁମାନ କରାଯାଉଛି। ମୋଦୀ ୨.୦ ସରକାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏହା ହେବ ଦ୍ବିତୀୟ ବଜେଟ୍‌।

ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟପାର ବିଭାଗ ଅଧୀନ ବଜେଟ୍ ଡିଭିଜନ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ କୁହାଯାଇଛି। ପ୍ରାକ୍ ବଜେଟ/ ସଂଶୋଧିତ ଅଟକଳ ବୈଠକ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବ। କେନ୍ଦ୍ର ବଜେଟ୍ ସୂଚନା ବ୍ୟବସ୍ଥା (ୟୁବିଆଇଏସ)ରେ ସଂଶୋଧିତ ଅଟକଳ ସମ୍ପର୍କିତ ବିସ୍ତୃତ ସୂଚନା ଉପଲବ୍ଧକୁ ନିଶ୍ଚିତ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାକ୍ ବଜେଟ୍‌ ବୈଠକ ଆସନ୍ତା ୧୪ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଅନ୍ୟ ବିଭାଗର ସଚିବ ଏବଂ ଆର୍ଥିକ ଉପଦେଷ୍ଟାମାନଙ୍କ ସହିତ ବ୍ୟୟ ସଚିବ ଆଲୋଚନା ସମ୍ପୂର୍ଣ୍ଣ କରିବା ପରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅଟକଳ ଅସ୍ଥାୟୀ ଭାବେ ଚୂଡ଼ାନ୍ତ ହେବ। ବ୍ରିଟିସ ଅମଳରୁ ଭାରତରେ ଫେବ୍ରୁଆରି ମାସ ଶେଷରେ ହୋଇ ଆସୁଥିବା ବଜେଟ୍ ଉପସ୍ଥାପନ ପରମ୍ପରାରେ ମୋଦୀ ସରକାର ପୂର୍ଣ୍ଣଛେଦ ପକାଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ପ୍ରଥମ ଥର ପାଇଁ ୨୦୧୭ ଫେବ୍ରୁଆରି ୧ରେ ସାଧାରଣ ବଜେଟ୍ ଆଗତ କରିଥିଲେ। ସେହିଦୃଷ୍ଟିରୁ ଆସନ୍ତା ୨୦୨୦ ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବାର ସମ୍ଭାବନା ରହିଛି। ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପନ ଯୋଗୁଁ ବିଭିନ୍ନ ମନ୍ତ୍ରାଳୟକୁ ଏପ୍ରିଲ ପହିଲାରୁ ସେମାନଙ୍କ ପାଇଁ ଆବଣ୍ଟିତ ହୋଇଥିବା ଅର୍ଥ ପ୍ରଦାନ କରାଯାଇ ପାରୁଛି।

ସମ୍ବନ୍ଧିତ ଖବର