ବିଲ୍‌ଡର୍‌, ଜୁଏଲର୍‌ଙ୍କ ଜମା ସ୍କିମ୍‌ ଉପରେ ରୋକ

ନୂଆଦିଲ୍ଲୀ: ବିଲଡର୍‌ ଓ ଗହଣା ପ୍ରତିଷ୍ଠାନ ଗୁଡ଼ିକ ଗ୍ରାହକମାନଙ୍କ ପାଇଁ ଘୋଷଣା କରୁଥିବା ଅନିୟନ୍ତ୍ରିତ ଜମା ସ୍କିମ୍ ଉପରେ ସରକାର ରୋକ ଲଗାଇଛନ୍ତି। ଏଭଳି ସ୍କିମ୍‌ରେ କଂପାନିଗୁଡ଼ିକ ଉଚ୍ଚ ସୁଧ ହାରର ପ୍ରତିଶ୍ରୁତି ଦେଇ ଗ୍ରାହକଙ୍କ ଠାରୁ ଟଙ୍କା ନେଉଛନ୍ତି ଏବଂ ସେହି ଟଙ୍କାକୁ ନିଜ କାମରେ ବ୍ୟବହାର କରୁଛନ୍ତି। ଏସବୁ ସ୍କିମ୍‌ରେ ଗ୍ରାହକମାନେ ଟଙ୍କା ହରାଇବାର ବିପଦ ରହିଥିବାରୁ ସରକାର ସେଗୁଡ଼ିକ ଉପରେ କଟକଣା ଲଗାଇଛନ୍ତି। ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଥିବା ବିଲ୍‌ଡର୍‌ ଏବଂ ଗହଣା ପ୍ରତିଷ୍ଠାନଗୁଡ଼ିକ ଏଭଳି ସ୍କିମ୍ ଅଧିକ ଘୋଷଣା କରୁଥିବା ଜଣାପଡ଼ିଛି। କେବଳ ଗହଣା ପ୍ରତିଷ୍ଠାନ ଓ ବିଲଡର୍‌ ସଂସ୍ଥା ନୁହେଁ, ସେମାନଙ୍କ ଭଳି ମଞ୍ଜୁରି ନଥିବା ଅନ୍ୟ ‌େଯକୌଣସି ସଂସ୍ଥା ‌ଲୋଭନୀୟ ଜମା ସ୍କିମ୍ ଘୋଷଣା କରୁଛନ୍ତି, ସେଗୁଡ଼ିକ ଉପରେ ମଧ୍ୟ ସରକାର ରୋକ ଲଗାଇଛନ୍ତି। ଏହା ଜରିଆରେ ଗ୍ରାହକମାନଙ୍କ ସ୍ବାର୍ଥ ରକ୍ଷା କରିବାକୁ ପ୍ରୟାସ କରାଯାଇଛି।
ସରକାର ନିକଟରେ ଅନିୟନ୍ତ୍ରିତ ଜମା ସ୍କିମ୍ ଅଧ୍ୟାଦେଶକୁ ମଞ୍ଜୁରି ପ୍ରଦାନ କରିଥିଲେ। କେବଳ ଅନୁମୋଦନ ଥିବା ଜମା ସ୍କିମ୍‌ଗୁଡ଼ିକୁ ଆଇନଗତ ଭାବେ ବୈଧ ଘୋଷଣା କରାଯାଇଥିବା ବେଳେ ଅନ୍ୟ ସବୁ ପ୍ରକାର ଜମା ସ୍କିମ୍‌କୁ ଅବୈଧ ଘୋଷଣା କରାଯାଇଛି। ଏହି ଅଧ୍ୟାଦେଶ ଦ୍ବାରା ବିଲ୍‌ଡର୍‌, ଗହଣା ପ୍ରତିଷ୍ଠାନ ଏବଂ ମଞ୍ଜୁରି ନଥାଇ ଘୋଷଣା କରାଯାଉଥିବା ଜମା ସ୍କିମ୍‌ଗୁଡ଼ିକ ପ୍ରଭାବିତ ହେବ। ମାତ୍ର ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ (ଏନବିଏଫ୍‌ସି) ଓ ସେହି ଧରଣର ସଂସ୍ଥା ଯେଉଁମାନଙ୍କ ପାଖରେ ଜମା ସ୍କିମ୍ ଲାଗୁ କରିବାର ମଞ୍ଜୁରି ରହିଛି, ସେମାନଙ୍କ ସ୍କିମ୍‌ ଏହି ଅଧ୍ୟାଦେଶ ଯୋଗୁ ପ୍ରଭାବିତ ହେବ ନାହିଁ।

ସମ୍ବନ୍ଧିତ ଖବର