ନୂଆ ରଙ୍ଗରେ, କମ୍ ଦାମରେ ଆସିଲା ବୁଲେଟ୍‌ ୩୫୦

ଭୁବନେଶ୍ବର: ରୟାଲ୍ ଏନ୍‌ଫିଲ୍ଡ ପକ୍ଷରୁ ବୁଲେଟ୍‌ ୩୫୦ର ନୂତନ ମଡେଲ୍‌କୁ ‘ଖିମ୍‌ଜୀ ଅଟୋମୋବାଇଲସ୍‌’ ଓ ‘ଗୁଗ୍‌ନାନି ରୟାଲ୍‌ ଏନ୍‌ଫିଲ୍ଡ’ ସୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏଥି ସହିତ ଖିମ୍‌ଜୀ ଅଟୋମୋବାଇଲ୍‌ସ ପକ୍ଷରୁ ଜଗତସିଂହପୁର ଓ ସମ୍ବଲପୁରରେ ଏବଂ ଗୁଗ୍‌ନାନି ପକ୍ଷରୁ ଖୋର୍ଦ୍ଧା, ବାଙ୍କି ଓ ତ୍ରିସୁଳିଆ ଠାରେ ନୂଆ ଷ୍ଟୁଡିଓ ଆଉଟ୍‌ଲେଟ୍ ଖୋଲାଯାଇଛି। ଛୋଟ ସହରଗୁଡ଼ିକର ଗ୍ରାହକଙ୍କ ପାଖରେ ପହଞ୍ଚିବା ଲାଗି ରୟାଲ୍‌ ଏନ୍‌ଫିଲ୍ଡ ପକ୍ଷରୁ ଷ୍ଟୁଡିଓ ଆଉଟ୍‌ଲେଟ୍‌ ଖୋଲାଯାଉଛି। ନୂତନ ଭ‌ାବେ ଉନ୍ମୋଚନ କରାଯାଇଥିବା ବୁଲେଟ୍‌ ମଡେଲ୍‌ଗୁଡ଼ିକ ଷ୍ଟୁଡିଓ ଆଉଟ୍‌ଲେଟ୍‌ଗୁଡ଼ିକରେ ମଧ୍ୟ ଉପଲବ୍ଧ ହୋଇଛି। କଂପାନି ବୁଲେଟ୍‌ ୩୫୦କୁ ବିଭିନ୍ନ ନୂଆ ରଙ୍ଗରେ ବଜାରକୁ ଆଣିଛି। ଏହି ନୂଆ ବୁଲେଟ୍‌ଗୁଡ଼ିକର ଏକ୍ସ ସୋ’ରୁମ୍ ଦାମ୍ ୧ ଲକ୍ଷ ୧୨ ହଜାର ଟଙ୍କାରୁ ଆରମ୍ଭ ହୋଇଛି ଯାହା ସାଧାରଣ ବୁଲେଟ୍‌ ୩୫୦ ଦାମ୍ ତୁଳନାରେ ୧୧ ହଜାର ଟଙ୍କା କମ୍। ରୟାଲ୍‌ ଏନ୍‌ଫିଲ୍ଡ ଡିଲର୍‌ସିପ୍‌ଗୁଡ଼ିକରେ ନୂଆ ବୁଲେଟ୍‌ର ବୁକିଙ୍ଗ୍‌ ଆରମ୍ଭ ହୋଇଯାଇଛି। ନୂଆ ବୁଲେଟ୍‌ରେ ୩୪୬ ସିସି ସିଙ୍ଗଲ ସିଲିଣ୍ଡର ଏୟାର କୁଲ୍‌ଡ ଇଞ୍ଜିନ, ୫ ସ୍ପିଡ୍ ଗିୟର ବକ୍ସ, ଟେଲିସ୍କୋପିକ୍ ଫର୍କ ସସ୍‌ପେନ୍‌ସନ୍, ଡିସ୍କ ବ୍ରେକ୍ ଓ ସିଙ୍ଗଲ୍‌-ଚ୍ୟାନେଲ୍‌ ଏବିଏସ୍‌ ସୁବିଧା ରହିଛି। ଖିମ୍‌ଜୀ ଅଟୋମାବାଇଲସ୍‌ରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ସୋ’ରୁମ୍‌ର ନିର୍ଦେଶକ ରାଜେଶ ସାମନ୍ତ ଓ ରୟାଲ୍ ଏନ୍‌ଫିଲ୍ଡର ଏଏସ୍‌ଏମ୍ ସଂଗ୍ରାମ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର