ନୂଆଦିଲ୍ଲୀ : ଦେଶରେ ନିର୍ଧାରିତ ସମୟରେ ବୁଲେନ୍ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇପାରିବନି। ଜମି ଅଧିଗ୍ରହଣରେ ଅସୁବିଧା ଦେଖାଦେଇଥିବାରୁ ପ୍ରକଳ୍ପ କାର୍ଯ୍ୟ ଠିକ୍ ଭାବେ ଆଗକୁ ବଢ଼ିପାରୁନାହିଁ। ଏହା ବ୍ୟତୀତ କରୋନା ମହାମାରୀ ମଧ୍ୟ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ବୋଲି ରେଳ ବୋର୍ଡ ପକ୍ଷରୁ କୁହାଯାଇଛି।୨୦୨୩ ଡିସେମ୍ବର ସୁଦ୍ଧା ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଦିନ ଧାର୍ଯ୍ୟ ହୋଇଛି। ମାତ୍ର ଏହି ପ୍ରକଳ୍ପ ଅନେକ ସମସ୍ୟା ଦେଇ ଗତି କରୁଥିବାରୁ ପ୍ରଥମ ବୁଲେଟ୍ ଟ୍ରେନ୍ ଚାଲିବା ଲାଗି ୨୦୨୮ ଅକ୍ଟୋବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ତାହା ଉପରେ ସ୍ପଷ୍ଟୀକରଣ ଦେଇ ରେଳ ବୋର୍ଡ ଜଣାଇଛି ଯେ, କୌଣସି ପ୍ରକାର ପ୍ରକଳ୍ପ ଲାଗି ହାତରେ ୯୦ ପ୍ରତିଶତ ଜମି ପହଞ୍ଚିଯିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଏ ଏବଂ ଟେଣ୍ଡର ଆହ୍ବାନ କରାଯାଇଥାଏ। କରୋନା ମହାମାରୀ ପାଇଁ ଏହି ସମସ୍ତ ପ୍ରକ୍ରିୟା ପ୍ରଭାବିତ ହୋଇଛି। ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ ଜମି ଅଧିଗ୍ରହଣକୁ ନେଇ ରହିଥିବା ସ୍ଥିତି ଛଅ ମାସ ଭିତରେ ସ୍ପଷ୍ଟ ହୋଇଯିବ। ଏହା ପରେ ଆମେ ପ୍ରକଳ୍ପକୁ ପୁନଃ ସମୀକ୍ଷା କରିବୁ ଏବଂ ନୂତନ ସମୟ ସୀମା ଧାର୍ଯ୍ୟ କରିବୁ।
ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଲାଗି ୧୩୯୬ ହେକ୍ଟର ଜମି ଦରକାର। ସେଥି ମଧ୍ୟରୁ ୬୩ ପ୍ରତିଶତ ଅର୍ଥାତ ୮୮୫ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି। ଗୁଜରାଟରେ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ୮୨ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଲାଣି। କିନ୍ତୁ ମହାରାଷ୍ଟ୍ରରେ ମାତ୍ର ୨୩ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି। ଦାଦର ଓ ନାଗର ହାଭେଲିର ନଅ ହେକ୍ଟର ମଧ୍ୟରୁ ୭ ହେକ୍ଟର ଜମି ଅଧିଗ୍ରହଣ ହୋଇସାରିଛି। ଶ୍ରୀ ଯାଦବ କହିଛନ୍ତି, ଆସନ୍ତା ତିନି ମାସରେ ଗୁଜରାଟରେ ଦରକାର ହେଉଥିବା ୯୫-୧୦୦ ପ୍ରତିଶତ ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ କରାଯିବ। ତେବେ ମହାରାଷ୍ଟ୍ର ସ୍ଥିତିରେ ଉନ୍ନତି ହେବାକୁ ଛଅ ମାସ ସମୟ ଲାଗିଯିବ। ଏହି ପ୍ରକଳ୍ପ ପାଇଁ ପରିବେଶ ଓ ଜଙ୍ଗଲ ମଞ୍ଜୁରି ମିଳିସାରିଛି। ଜମି ଅଧିଗ୍ରହଣ ଶେଷ ହେବା ପରେ କାମ ଶୀଘ୍ର ଆରମ୍ଭ ହୋଇଯିବ। ଏହି ପ୍ରକଳ୍ପର ୨୧ କିମି ଭୂତଳରେ ରହିବ। ସେଥି ମଧ୍ୟରୁ ୭ କିମି ସମୁଦ୍ର ତଳେ ରହିବ। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲେ ମଧ୍ୟ ଜାପାନର କୌଣସି ନିବେଶକ ସେଥିପ୍ରତି ଆଗ୍ରହ ଦେଖାନାହାନ୍ତି। ଏଭଳି ପ୍ରକଳ୍ପ ଲାଗି ସର୍ଭେ କାର୍ଯ୍ୟରେ ଅନେକ ଲୋକ କାମ କରିଥାନ୍ତି। ମାତ୍ର କରୋନା ମହାମାରୀ ପାଇଁ ଆନ୍ତର୍ଜାତିକ ଯାତ୍ରା ଉପରେ କଟକଣା ଲଗାଯାଇଥିବାରୁ ଜାପାନର କଂପାନି ଅଧିକାରୀମାନେ ଭାରତ ଆସିପାରୁନାହାନ୍ତି। ଜମି ଅଧିଗ୍ରହଣ ସମସ୍ୟା ସମାଧାନ ହୋଇଯିବା ପରେ ପୁଣି ଥରେ ଟେଣ୍ଡର ଆହ୍ବାନ କରାଯିବ ବୋଲି ଶ୍ରୀ ଯାଦବ କହିଛନ୍ତି। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ୧.୦୮ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ସେଥି ମଧ୍ୟରୁ ୮୮ ହଜାର କୋଟି ଟଙ୍କା ଜାପାନ ଆନ୍ତର୍ଜାତିକ ସହଯୋଗିତା ଏଜେନ୍ସି (ଜିକା) ଋଣ ଆକାରରେ ପ୍ରଦାନ କରିବ। ଜିକା ଠାରୁ ୧୫ ହଜାର କୋଟି ଟଙ୍କାର ଋଣ ଆଣିବା ଲାଗି ସରକାର ବୁଝାମଣା ସ୍ବାକ୍ଷର କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/unnamed-1-1.jpg)