ବ୍ୟବସାୟୀ ମହାସଂଘର ପରାମର୍ଶ, ଛାନିଆ ହୋଇ କିଛି କିଣନି

ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ୯୦% ହ୍ରାସ, ପେଟ୍ରୋଲ ବିକ୍ରି ବି କମିଲା

ଭୁବନେଶ୍ବର: କରୋନା ଭାଇରସ ଏବେ ବିଶ୍ବର ୧୭୦ରୁ ଅଧିକ ଦେଶକୁ ପ୍ରଭାବିତ କଲାଣି। ଲୋକମାନେ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। କିଭଳି ଏହି ଭୂତାଣୁକୁ ରୋକାଯାଇ ପାରିବ ତାହାକୁ ନେଇ ବିଭିନ୍ନ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ହାଟ ବଜାର ଖୋଲିବା ସମୟ ଉପରେ କଟକଣା ଜାରି କରିବା ସହିତ ସ୍କୁଲ, କଲେଜ ଆଦି ବନ୍ଦ କରିଛନ୍ତି। ଆବଶ୍ୟକ ନଥିଲେ ଘରୁ ନବାହାରିବା ସହିତ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନିଯିବା ପାଇଁ ପରାମର୍ଶ ଦେଇଛନ୍ତି। ବିବାହ, ବ୍ରତ, ସାମୁହିକ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି। ଏହାର ପ୍ରଭାବ ରାଜ୍ୟର ବ୍ୟବସାୟ ଉପରେ ଖୁବ୍‌ମାତ୍ରାରେ ପଡ଼ିଲାଣି। ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଛାଡ଼ିଦେଲେ ଅନ୍ୟ ସବୁ ସାମଗ୍ରୀର ବିକ୍ରି ୯୦ ପ୍ରତିଶତ କମିଯାଇଛି। ଏଥିରେ ପୋଷାକ, ଲୁଗାପଟା, ଇଲେକ୍ଟ୍ରିକ୍, ଇଲେକ୍ଟ୍ରୋନିକ୍ସ ଆଦି ସାମଗ୍ରୀ ଆଦି ରହିଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି।

ତେବେ ଲୋକମାନେ ଭୟଭୀତ ‌ହୋଇ କୌଣସି ଜିନିଷ ନକିଣିବାକୁ ବ୍ୟବସାୟୀ ମହାସଂଘ ଗ୍ରାହକମାନଙ୍କୁ ପରାମର୍ଶ ଦେଇଛି। ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସାମ୍ପାଦକ ସୁଧାକର ପଣ୍ଡା କୁହନ୍ତି, ଲୋକମାନେ ଛାନିଆ ହୋଇ ସାମଗ୍ରୀ କିଣିବାର ମାନସିକତାକୁ ଛାଡ଼ିବା ଆବଶ୍ୟକ। ଲୋକମାନେ ଜାଣିବା ଆବଶ୍ୟକ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ସାମଗ୍ରୀ ମହଜୁଦ ରହିଛି। କୌଣସି ସାମଗ୍ରୀର ଅଭାବ ନାହିଁ। ଯେତିକି ଦରକାର ଲୋକମାନେ ସେତିକି କିଣନ୍ତୁ ଏବଂ ଅନ୍ୟମାନଙ୍କୁ କିଣିବାରେ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି। ତେବେ ବଜାରରେ କୌଣସି ସାମଗ୍ରୀର କଳାବଜାର ହେଉଛି କି ବୋଲି ପ୍ରଶ୍ନରେ ଶ୍ରୀ ପଣ୍ଡା କୁହନ୍ତି, ଖୁଚୁରା ବଜାରରେ କୋଉଠି କଳାବଜାର ହୋଇଥାଉ ପାରେ। ଏହା ଉପରେ ସରକାର ଦୃଷ୍ଟି ଦେବା ଆବଶ୍ୟକ। ଭାରତରେ ଏବେ କରୋନା ଷ୍ଟେଜ-୨ରେ ରହିଛି। ଷ୍ଟେଜ୍‌-୩କୁ ଗଲେ ସଡ଼କ ପରିବହନ ବାଧାପ୍ରାପ୍ତ ହୋଇପାରେ। କିନ୍ତୁ ମୁଁ ଗତ ୧୭ ତାରିଖରେ ସରକାରଙ୍କୁ ଏକ ମେଲ୍ ପଠାଇଥିଲି। ଆଜି ପର୍ଯ୍ୟନ୍ତ ସରକାର ଏହାର ଉତ୍ତର ଦେଇନାହାନ୍ତି। ହୁଏତ ସରକାର ଭାବୁଥିବେ କିଛି ଦରକାର ନାହିଁ ବୋଲି ଶ୍ରୀ ପଣ୍ଡା କ୍ଷୋଭର ସହିତ କହିଛନ୍ତି। ଆଜି ଯାହାର ଗୁରୁତ୍ବ ନାହିଁ ଆସନ୍ତାକାଲି ତାହାର ଗୁରୁତ୍ବ ଅନୁଭୂତ ହେବ। ଚାଉଳକୁ ଛାଡ଼ିଦେଲେ ଓଡ଼ିଶାକୁ ଅନ୍ୟ ସବୁ ଜିନିଷ ବାହାର ରାଜ୍ୟରୁ ଆସିଲେ ଏଠାରେ ବିକ୍ରି ହୋଇଥାଏ। ତେଣୁ ରାତାରାତି କୌଣସି ଜିନିଷ ମଗାଇ ହେବ ନାହିଁ। ଜିନିଷ ଆସିବା ପାଇଁ ଚାରି ପାଞ୍ଚ ଦିନ ସମୟ ଲାଗିବ। ଏଥିପାଇଁ ସରକାରଙ୍କ ଆଭିମୁଖ୍ୟ ଓ ଯୋଜନା ସମ୍ପର୍କରେ ଜାଣିବା ପାଇଁ ବ୍ୟବସାୟୀ ମହାସଂଘ ପକ୍ଷରୁ ଚିଠି ଲେଖାଯାଇଛି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ସଚିବଙ୍କୁ ‌ସେ ଚିଠି ଲେଖିଥିବା କହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଗୋଟିଏ ଷ୍ଟକ୍ ଲିମିଟ୍ ରହିଛି। ଅଧିକ ସାମଗ୍ରୀ ବ୍ୟବସାୟୀମାନେ ରଖିପାରିବେ ନାହିଁ। ଯଦି ସରକାର ଚାହୁଛନ୍ତି ବ୍ୟବସାୟୀମାନେ ଅଧିକ ଜିନିଷ ରଖନ୍ତୁ ତା’ହେଲେ ଏ ନେଇ ସରକାର ନିର୍ଦ୍ଦେଶନାମା ଜାରି କରିବା ଆବଶ୍ୟକ। ତେଣୁ କଳାବଜାରକୁ ରୋକିବା, ମାଲ ପରିବହନରେ ଦେଖାଦେବାକୁ ଥିବା ଅସୁବିଧାକୁ ମୁକାବିଲା କରିବା ଆଦି ପ୍ରସଙ୍ଗରେ ସରକାର ତୁରନ୍ତ ବ୍ୟବସାୟୀ ସଂଘ ସହ ଆଲୋଚନା କରନ୍ତୁ ବୋଲି ଶ୍ରୀ ପଣ୍ଡା ମତ ଦେଇଛନ୍ତି। ଅନ୍ୟପକ୍ଷରେ ‌ରାଜ୍ୟରେ ପୂର୍ବରୁ ଡିଜେଲ ବିକ୍ରି ପ୍ରଭାବିତ ହୋଇଥିବାବେଳେ ଏବେ ପେଟ୍ରୋଲ ବିକ୍ରି ମଧ୍ୟ ହ୍ରାସ ପାଇବା ଆରମ୍ଭ ହୋଇଯାଇଛି। ଆଜିସୁଦ୍ଧା ପେଟ୍ରୋଲ ବିକ୍ରି ୧୫ ପ୍ରତିଶତ କମିଗଲାଣି ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠ୍‌ କହିଛନ୍ତି।

ସମ୍ବନ୍ଧିତ ଖବର