ଭୁବନେଶ୍ବର: ରାଜ୍ୟର ୧୦୬ଟି ଶିଳ୍ପାଞ୍ଚଳରେ ଇଡକୋ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ଲିଜ୍ ହୋଲ୍ଡରେ ପ୍ରଦାନ କରାଯାଇଥିବା ଜମିକୁ ସ୍ଥିତିବାନ ସ୍ବତ୍ବ (ଫ୍ରି ହୋଲ୍ଡ)ରେ ପରିଣତ କରିବା ପାଇଁ ରାଜ୍ୟର ପ୍ରମୁଖ ଶିଳ୍ପ ଓ ବଣିକ ସଂଘ ଗୁଡ଼ିକ ଦାବି କରିଛନ୍ତି। ଆଜି ହୋଟେଲ ଶୀତଲ୍ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାୟ ୧୧ଟି ଶିଳ୍ପ ସଂଘର ନେତୃବୃନ୍ଦ ଏହି ଦାବି କରିଛନ୍ତି। ସେମାନଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୧୦୬ଟି ଶିଳ୍ପାଞ୍ଚଳରେ ପ୍ରାୟ ୪୨୦୦ ଶିଳ୍ପ ସଂସ୍ଥାକୁ ଇଡକୋ ୫ ହଜାର ଏକର ଜମି ଆବଣ୍ଟନ କରିଛି। କିନ୍ତୁ ଏଗୁଡ଼ିକ ଲିଜ୍ ଜମି ହୋଇଥିବାରୁ ସେମାନେ ଋଣ ପାଇବାଠାରୁ ଆରମ୍ଭ କରି ବ୍ୟବସାୟିକ ସମ୍ପ୍ରସାରଣ ଆଦି କାର୍ଯ୍ୟ ସମ୍ପାଦନ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ଦେଢ଼ ଲକ୍ଷ କର୍ମଚାରୀଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିଛନ୍ତି। ରାଜ୍ୟରେ ନିଯୁକ୍ତି ସୃଷ୍ଟି, ରାଜ୍ୟର ଜିଡିପି ବୃଦ୍ଧି ଏବଂ ରାଜକୋଷକୁ ଟିକସ ପ୍ରଦାନରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ସରକାର ଉଦ୍ୟୋଗୀମାନଙ୍କର ଏହି ଦାବିକୁ ସହୃଦୟତାର ସହ ବିଚାର କରିବାକୁ ଶିଳ୍ପସଂଘର ନେତୃବୃନ୍ଦ ମତ ରଖିଛନ୍ତି। ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ଗତ ୨୪ ତାରିଖରେ ଶିଳ୍ପ ସଂଘର ପ୍ରତିନିଧିମାନେ ପ୍ରାୟ ୪୦୦ ଉଦ୍ୟୋଗୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ଅସୁବିଧା ଓ ଦାବିକୁ ଧୈର୍ଯ୍ୟର ସହିତ ଶୁଣିଛନ୍ତି। ଆଗାମୀ ୫ ତାରିଖରୁ ସରକାର ଶିଳ୍ପଦ୍ୟୋଗୀ ସପ୍ତାହ ପାଳନ କରୁଥିବାରୁ ଏ ନେଇ ସକାରାତ୍ମକ ଘୋଷଣା କରିବେ ବୋଲି ଉଦ୍ୟୋଗୀମାନେ ଆଶାବ୍ୟକ୍ତ କରିଛନ୍ତି। ଗୁଜରାଟ, ଦିଲ୍ଲୀ, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଗୁଡ଼ିକ ମଧ୍ୟ ଏଭଳି କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ପୂର୍ବତନ କ୍ୟାବିନେଟ୍ ସଚିବ ପ୍ରଭାତ କୁମାରଙ୍କ କମିଟି ମଧ୍ୟ ଏଭଳି ରୂପାନ୍ତରଣ ପାଇଁ ସୁପାରିସ କରିସାରିଛନ୍ତି। ତେଣୁ ରାଜ୍ୟ ସରକାର ଏନେଇ ଶୀଘ୍ର ପଦକ୍ଷେପ ନେଲେ ଶିଳ୍ପ ସମୁଦାୟ ଉପକୃତ ହେବେ ବୋଲି ସଂଘର ନେତୃବୃନ୍ଦ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀ ସଂଘର ସେକ୍ରେଟାରି ଜେନେରାଲ ସାତ୍ତ୍ବିକ ସ୍ବାଇଁ, ଓଆଇଏର ଆବାହକ ମାନସ ଦାସ, ଓୱାଇଇଏ, ଓଆଇଏଫ, ୟୁପିଏମଏ, ଏଆଇଇବିଏ, ଏନଓସିସିଆଇ, ବିସିସିଆଇ ଏବଂ ଆରସିସିଆଇର ନେତୃବୃନ୍ଦ ଯୋଗ ଦେଇଥିଲେ।
ଲିଜ୍ ଜମିକୁ ସ୍ଥିତିବାନ କର: ଜମିର ସ୍ବତ୍ବ ପରିବର୍ତନ ପାଇଁ ଶିଳ୍ପସଂଘର ଦାବି
/sambad/media/post_attachments/wp-content/uploads/2019/03/products-resized_1919c87ad05d20ceef786247662a008d-500x500.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)