ନୂଆଦିଲ୍ଲୀ: ଆମେରିକା ସହ ବାଣିଜ୍ୟ ଲଢ଼େଇରେ ଅଣନିଶ୍ବାସୀ ହୋଇପଡ଼ିଲାଣି ଚୀନ୍। ଦେଶ ଭିତରୁ ବିଦେଶୀ ପାଣ୍ଠି ବାହାରକୁ ଚାଲିଯାଉଛି। ଋଣ ଦେବା ପାଇଁ ବ୍ୟାଙ୍କଗୁଡ଼ିକ ପାଖରେ ଟଙ୍କା ନାହିଁ। ରପ୍ତାନି ବଢ଼ାଇବାକୁ ସ୍ଥାନୀୟ କଂପାନିଗୁଡ଼ିକ ସଂଘର୍ଷ କରୁଛନ୍ତି। ୟୁରୋପ ପରେ ଚୀନ୍ ପାଇଁ ସବୁଠୁ ବଡ଼ ରପ୍ତାନି ବଜାର ଥିଲା ଆମେରିକା। କିନ୍ତୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ର ଅନେକ ସାମଗ୍ରୀ ଉପରେ ଟିକସ ବଢ଼ାଇ ଦେବା ପରେ ସେହି ସବୁ ସାମଗ୍ରୀର ଆକର୍ଷଣ କମିଯାଇଛି। ଏହାର ସିଧାସଳଖ ପ୍ରଭାବ ଚୀନର ସାମଗ୍ରୀ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ଉପରେ ପଡ଼ିଛି।
ନଗଦ ସଙ୍କଟ ଦୂର କରିବାକୁ କେନ୍ଦ୍ରୀୟ ବ୍ୟାଙ୍କର ପଦକ୍ଷେପ
ଆମେରିକାର ଫେଡେରାଲ୍ ରିଜର୍ଭ (କେନ୍ଦ୍ରୀୟ ବ୍ୟାଙ୍କ) ସୁଧ ହାର ବଢ଼ାଇ ଦେବା ପରେ ଚୀନ୍ରୁ ବିଦେଶୀ ପାଣ୍ଠି ଦ୍ରୁତ ଗତିରେ ବାହାରକୁ ଚାଲିଯାଉଛି। ଏହି ପରିସ୍ଥିତିର କିଭଳି ମୁକାବିଲା କରାଯିବ ତାହା ଚୀନ୍ର ନିଦ ହଜାଇ ଦେଲାଣି।ଚୀନ୍ର ବ୍ୟାଙ୍କଗୁଡ଼ିକ ପାଖରେ ଅଧିକ ନଗଦ ରାଶି ନାହିଁ। ସେଥିପାଇଁ ଋଣ ଦେବାକୁ ସେମାନେ କୁଣ୍ଠା ପ୍ରକାଶ କରୁଛନ୍ତି। ଋଣ ସହଜରେ ମିଳୁନଥିବାରୁ ସ୍ଥାନୀୟ କଂପାନିଗୁଡ଼ିକର କାରବାର ପ୍ରଭାବିତ ହୋଇଛି। ଦେଶରେ ଦେଖାଦେଇଥିବା ସମସ୍ୟାର ସମାଧାନ କରିବା ପାଇଁ ଚୀନ୍ର କେନ୍ଦ୍ରୀୟ ବ୍ୟାଙ୍କ-ପିପୁଲ୍ସ ବ୍ୟାଙ୍କ ଅଫ୍ ଚୀନ୍ (ପିବିଓସି) ରିଜର୍ଭ ରିକ୍ବାର୍ମେଣ୍ଟ୍ ରେସିଓ (ଆର୍ଆର୍ଆର୍)ରେ ୧% ହ୍ରାସ ଘୋଷଣା କରିଛି। ଏହି ନିଷ୍ପତ୍ତି ଅକ୍ଟୋବର ୧୫ରୁ ଲାଗୁ ହେବ। ଏହା ଦ୍ବାରା ବଜାରରେ ୧୦,୯୦୦ କୋଟି ଡଲାରର ପାଣ୍ଠି ଉପଲବ୍ଧ ହେବ। ସେହି ପାଣ୍ଠି ଜରିଆରେ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ଜାରି ରଖିପାରିବେ। କଂପାନିଗୁଡ଼ିକ ମଧ୍ୟ କାରବାର ଆଗକୁ ବଢ଼ାଇବା ନିମନ୍ତେ ପାଣ୍ଠି ହାସଲ କରିବା ପାଇଁ ଆଉ ଅସୁବିଧା ସାମ୍ନା କରିବେ ନାହିଁ। ଏହି ଅତିରିକ୍ତ ପାଣ୍ଠି ଜରିଆରେ ଚୀନ୍ ଏହାର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ପାଣ୍ଠି ଆବଶ୍ୟକତା ପୂରଣ କରିପାରିବ। ଚୀନ୍ ସରକାରଙ୍କ ଉପରେ ୨.୫୮ ଟ୍ରିଲିଅନ୍ ଡଲାର ଋଣ ବୋଝ ରହିଛି। ସେହି ବୋଝ ହାଲୁକା କରିବାରେ ଏହି ନିଷ୍ପତ୍ତି ସହାୟକ ହେବ। ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓଙ୍କ ଚୀନ୍ ଗସ୍ତ ପୂର୍ବରୁ ଚୀନ୍ର କେନ୍ଦ୍ରୀୟ ବ୍ୟାଙ୍କ ଏହି ଘୋଷଣା କରିଛି।