ଇଲେକ୍‌ଟ୍ରୋନିକ୍ସ ବଜାରରେ ପାର୍ବଣର ଉତ୍ସାହ, ୯ରୁ ୧୨% ହାରରେ ବିକ୍ରି ବଢ଼ୁଛି

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ଦେଶରେ ଏବେ ଚାଲିଥିବା ପାର୍ବଣ ଋତୁରେ ଦୀର୍ଘସ୍ଥାୟୀ ଉପଭୋକ୍ତା ବା ଇଲେକଟ୍ରୋନିକ୍ସ ସାମଗ୍ରୀର ବିକ୍ରି ଭଲ ରହିଛି। ପୂର୍ବବର୍ଷ ଦୀପାବଳି ବେଳେ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ବିକ୍ରି ଅଭିବୃଦ୍ଧି ପ୍ରାୟତଃ ସ୍ଥିର ରହିଥିବାବେଳେ ଚଳିତବର୍ଷ ପାର୍ବଣରେ ବର୍ତ୍ତମାନ ସୁଦ୍ଧା ୯ରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବିକ୍ରି ବୃଦ୍ଧି ଦେଖାଦେଇଛି। ଦେଶର ସର୍ବବୃହତ୍ ସ୍ମାର୍ଟଫୋନ୍ ଏବଂ ଉପଭୋକ୍ତା ଇଲେକଟ୍ରୋନିକ୍ସ ରିଟେଲ ଚେନ୍ ରିଲାଏନ୍ସ ଡିଜିଟାଲ ସିଇଓ ବ୍ରିୟାନ୍ ବଦେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଗତବର୍ଷ ଦୀପାବଳି ତୁଳନାରେ ବିକ୍ରି ଭଲ ରହିଛି। ପାର୍ବଣ ଋତୁ ଶେଷ ହେବାକୁ ଆହୁରି ଅନେକ ଦିନ ବାକି ଥିବାରୁ ବିକ୍ରି ଅଧିକ ନେଇ ସେତେଟା ଉତ୍ସାହୀ ହେବାର ବି କିଛି କାରଣ ନାହିଁ ବୋଲି ମଧ୍ୟ ସେ ମତ ଦେଇଛନ୍ତି। ମୁମ୍ବାଇର ଅଗ୍ରଣୀ ଉପଭୋକ୍ତା ଇଲେକଟ୍ରୋନିକ୍ ଚେନ୍ କୋହିନୂର ଇଲେକଟ୍ରୋନିକ୍ସର ନିର୍ଦ୍ଦେଶକ ବିଶାଳ ମେୱାନି କହିଛନ୍ତି, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଦୀପାବଳି ବେଳର ବିକ୍ରିରେ ୧୦ରୁ ୧୧ ପ୍ରତିଶତ ବୃଦ୍ଧି ରହିଛି। ଗତବର୍ଷ ତୁଳନାରେ ତାଙ୍କ ସୋରୁମ୍‌ଗୁଡ଼ିକରେ ୮ରୁ ୧୦ ପ୍ରତିଶତ ଅଧିକ ସାମଗ୍ରୀ ମହଜୁଦ ରଖାଯାଇଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ ସାମଗ୍ରୀ ରଖାଯିବ ବୋଲି ସେ କହିଛନ୍ତି। ଅଫଲାଇନ୍ ବ୍ୟବସାୟ ଉପରେ ଅନଲାଇନ୍ ବିକ୍ରିର ପ୍ରଭାବ ଗତବର୍ଷ ଭଳି ସେତେଟା ନାହିଁ। ସବୁ ବଡ଼ ବ୍ରାଣ୍ଡ୍‌ ଚଳିତବର୍ଷ ଅଫଲାଇନ୍ ସେଲ୍‌ରେ ମଧ୍ୟ ବଡ଼ ଧରଣର ରିହାତି ପ୍ରଦାନ କରୁଛନ୍ତି। ତେବେ ବିକ୍ରିରେ ଦେଖାଦେଇଥିବା ବୃଦ୍ଧି କେବଳ ରିହାତିଜନିତ ନୁହେଁ। ଗ୍ରାହକଙ୍କ ମନୋଭାବ ମଧ୍ୟ ଗତବର୍ଷ ଦୀପାବଳି ତୁଳନାରେ ଭଲ ରହିଛି ଏବଂ ଦିନକୁ ଦିନ ଏଥିରେ ସୁଧାର ଆସୁଛି ବୋଲି ସେ କହିଛନ୍ତି।
ସେହିଭଳି ପୂର୍ବ ଭାରତର ଅଗ୍ରଣୀ ରିଟେଲ ଚେନ୍ ଗ୍ରେଟ୍ ଇଷ୍ଟର୍ଣ୍ଣର ନିର୍ଦ୍ଦେଶକ ପୁଲକିତ୍ ବୈଦ କୁହନ୍ତି, ଚଳିତବର୍ଷ ପାର୍ବଣ ଋତୁରେ ରିଟେଲରମାନଙ୍କ ବିକ୍ରିରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି। ମୁଖ୍ୟତଃ ପ୍ରିମିୟମ ଏବଂ ମିଡ୍‌-ପ୍ରିମିୟମ ଉତ୍ପାଦର ବିକ୍ରି ଭଲ ହେଉଛି। ପାର୍ବଣ ଋତୁର ଶେଷ ଦୁଇ ସପ୍ତାହରେ ଚାହିଦା ବହୁଲ ଭଲ ରହିଛି। ଯଦି ନଭେମ୍ବର ପର୍ଯ୍ୟନ୍ତ ଏହା ଅବ୍ୟାହତ ରହେ ତାହେଲେ ବିକ୍ରିବଟାରେ ସମ୍ପୂର୍ଣ୍ଣ ସୁଧାର ଆସିଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଦେଶରେ ପାର୍ବଣ ଋତୁରେ ଇଲେକଟ୍ରୋନିକ୍ସ ସାମଗ୍ରୀ ନିର୍ମାତାମାନେ ସେମାନଙ୍କ ବାର୍ଷିକ ବିକ୍ରିର ୩୫ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ସାମଗ୍ରୀ ବିକ୍ରି କରିଥାନ୍ତି।

ସମ୍ବନ୍ଧିତ ଖବର