ବିଦେଶୀ ନାଗରିକତ୍ବ ଦୌଡ଼ରେ ବ୍ୟବସାୟୀ

ନୂଆଦିଲ୍ଲୀ: ବିଦେଶୀ ନାଗରିକତ୍ବ ହାସଲ କରିବାକୁ ଚାହୁଁଥିବା ଭାରତୀୟ ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସି ନିବେଶ ଜରିଆରେ ଆଣ୍ଟିଗୁଆର ନାଗରିକତ୍ବ ହାସଲ କରିଥିଲେ। ସେହି ଖବର ପ୍ରଚାରିତ ହେବା ପରେ ଅନେକ ଭାରତୀୟ ବ୍ୟବସାୟୀ ନିବେଶ ମାଧ୍ୟମରେ ବିଦେଶୀ ନାଗରିକତ୍ବ ହାସଲ କରିବାକୁ ଚାହୁଁଛନ୍ତି। ବ୍ରିଟେନ୍‌ର କିଛି ସଂସ୍ଥା ତରଫରୁ ଏହି ସୂଚନା ମିଳିଛି। ସେହି ସଂସ୍ଥାଗୁଡ଼ିକ ବିଦେଶୀ ନାଗରିକତ୍ବ ହାସଲ କରିବାରେ ଲୋକମାନଙ୍କୁ ସହାୟତା ପ୍ରଦାନ କରିଥାଏ। ଚୋକ୍‌ସିଙ୍କ ନାଗରିକତ୍ବ ବିଷୟରେ ଜଣାପଡ଼ିବା ପରେ ଅନେକ ଭାରତୀୟ କିଭଳି ବିଦେଶୀ ନାଗରିକତ୍ବ ହାସଲ କରିହେବ ସେ ନେଇ ଅନୁସନ୍ଧାନ କରୁଛନ୍ତି। ସେହିଭଳି ଅନୁସନ୍ଧାନ ପରିମାଣ ବର୍ଷକ ଭିତରେ ୩୨୦% ବଢ଼ିଛି। ଅନୁସନ୍ଧାନ କରୁଥିବା ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅତ୍ୟଧିକ ଧନିକ ଶ୍ରେଣୀର ଲୋକ।

କାହିଁକି ଦେଶ ଛାଡ଼ୁଛନ୍ତି?
ଚୀନ୍, ରୁଷ ଓ ଭାରତର ଧନୀ ଲୋକମାନେ ବିଦେଶୀ ନାଗରିକତ୍ବ ହାସଲ କରିବା ଦୌଡ଼ରେ ଆଗରେ ରହିଛନ୍ତି। ସେମାନଙ୍କ ଦେଶ ଛାଡ଼ିବା କାରଣ ସମାନ ରହିଛି। ତାହା ହେଉଛି-ଜୀବନଶୈଳୀ, ଶିକ୍ଷା, ଗମନାଗମନ, ସୁସ୍ଥକର ବାୟୁ ଓ ସ୍ବାସ୍ଥ୍ୟ ସେବା।

ବର୍ଷକରେ ଦେଶ ଛାଡ଼ିଛନ୍ତି ୭୦୦୦ ଭାରତୀୟ
୨୦୧୭ରେ ୭୦୦୦ ଲୋକ ଦେଶ ଛାଡ଼ି ଚାଲିଯାଇଛନ୍ତି। ଦେଶ ଛାଡ଼ିଥିବା ଭାରତୀୟମାନେ ଆମେରିକା, କାନାଡା ଓ ଅଷ୍ଟ୍ରେଲିଆରେ ରହିବାକୁ ପସନ୍ଦ କରିଛନ୍ତି।

ନିବେଶ ଜରିଆରେ ମିଳୁଛି ବିଦେଶୀ ନାଗରିକତ୍ବ
ଚୋକ୍‌ସିଙ୍କ ପରେ ‌ଅନେକ ଭାରତୀୟ ବ୍ୟବସାୟୀ ପୁଞ୍ଜିନିବେଶ ଜରିଆରେ ବିଭିନ୍ନ ଦେଶର ନାଗରିକତ୍ବ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ବିଦେଶରେ ବସିଥିବା ଓକିଲ ଓ ପରାମର୍ଶଦାତାମାନେ କେତେ ସହଜରେ କେଉଁ ଦେଶର ନାଗରିକତ୍ବ ହାସଲ କରିହେବ ତାହା ଧନୀ ଭାରତୀୟ ବ୍ୟବସାୟୀମାନଙ୍କୁ ବୁଝାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର