ଓ୍ଵାଲମାର୍ଟକୁ ବ୍ୟବସାୟୀ ସଂଗଠନର ବିରୋଧ

ନୂଆଦିଲ୍ଲୀ: ଫ୍ଲିପ୍‌କାର୍ଟ ସହିତ ମେଗା ଡିଲ୍‌ କରିବାର ଗୋଟିଏ ଦିନ ପରେ ଓ୍ଵାଲମାର୍ଟକୁ ବିରୋଧ ଆରମ୍ଭ ହୋଇଯାଇଛି। ଓ୍ଵାଲମାର୍ଟ ଭାରତ ଆସିଲେ ଅନେକ କ୍ଷୁଦ୍ର ବ୍ୟବସାୟୀ ଜୀବିକା ହରାଇବେ ବୋଲି ଅଭିଯୋଗ କରି ଚାଷୀ ଓ ବ୍ୟବସାୟୀଙ୍କ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଡିଲ୍‌କୁ ରଦ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ଦିଲ୍ଲୀର ଏକ ହୋଟେଲ୍‌ ସମ୍ମୁଖରେ ପାଖାପାଖି ୮୦ ଜଣ ବିକ୍ଷୋଭକାରୀ ‘ଓ୍ଵାଲମାର୍ଟ ଗୋ ବ୍ୟାକ୍‌ (ଓ୍ଵାଲମାର୍ଟ ଫେରିଯାଅ) ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ। ଓ୍ଵାଲମାର୍ଟର ସିଇଓ ଡୌଗ ମ୍ୟାକ୍‌ମିଲନ୍‌ ଯେଉଁ ହୋଟେଲ୍‌ରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରୁଥିଲେ ସେହି ହୋଟେଲ୍‌ ସାମ୍ନାରେ ବିକ୍ଷୋଭକାରୀମାନେ ପ୍ରଦର୍ଶନ କରିଥିଲେ। ସ୍ୱଦେଶୀ ଜାଗରଣ ମଞ୍ଚ ନାମକ ସଂଗଠନ ପକ୍ଷରୁ ଏହି ବିକ୍ଷୋଭ କରାଯାଇଥିଲା। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଓ୍ଵାଲମାର୍ଟର ଡିଲ୍‌ ଦେଶର ସ୍ୱାର୍ଥ ବିରୋଧୀ ଓ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନକୁ ପ୍ରଭାବିତ କରିବ। ଏହି ଡିଲ୍‌ରେ ହସ୍ତକ୍ଷେପ କରିବା ପାଇଁ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛି। ସେହିପରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ ଓ୍ଵାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାରବିମର୍ଶ ଚାଲିଛି। ଦରକାର ପଡ଼ିଲେ ମହାସଂଘ ପକ୍ଷରୁ ଭାରତୀୟ ପ୍ରତିଦ୍ୱନ୍ଦିତା କମିସନଙ୍କ ନିକଟରେ ଲିଖିତ ଅଭିଯୋଗ କରାଯିବ। ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲଓ୍ଵାଲ୍‌ କହିଛନ୍ତି ଯେ, ଇ-କମର୍ସ ଯୋଗୁଁ ଖୁଚୁରା ଷ୍ଟୋର୍‌ଗୁଡ଼ିକ ପ୍ରଭାବିତ ହେଉଛନ୍ତି। ଏହାର ପ୍ରଭାବ ପ୍ରତିଫଳିତ ହେଉଛି। ଏହି କଂପାନିଗୁଡ଼ିକୁ ନିୟନ୍ତ୍ରଣ କରିବାର କୌଣସି ନୀତି ନାହିଁ। ଏହା ଦ୍ୱାରା ଖୁଚୁରା ଷ୍ଟୋର୍‌ ସ୍ଥାପନ କରିିଥିବା ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସେ କହିଛନ୍ତି।

ଫ୍ଲିପ୍‌କାର୍ଟ କର୍ମଚାରୀ ମାଲାମାଲ୍‌
ବେଙ୍ଗାଲୁରୁ: ଓ୍ଵାର୍ଲମାର୍ଟ ପକ୍ଷରୁ ଫ୍ଲିପ୍‌କାର୍ଟର ୭୭% ଅଂଶଧନ ଅଧିଗ୍ରହଣ କରାଯିବା ପରେ ଅନେକ କର୍ମଚାରୀ ଲାଭବାନ ହୋଇଛନ୍ତି। ଯେଉଁ କର୍ମଚାରୀମାନଙ୍କ ପାଖରେ ଫ୍ଲିପ୍‌କାର୍ଟର ସେୟାର ଥିଲା ତାହାକୁ ଓ୍ଵାଲମାର୍ଟ ଚଢ଼ା ଦରରେ କିଣିବ। ସେହି ସବୁ କର୍ମଚାରୀମାନେ କୋଟିପତି ହୋଇଯିବେ। ପାଖାପାଖି ୧୦୦ କର୍ମଚାରୀଙ୍କ ପାଖରେ ଫ୍ଲିପ୍‌କାର୍ଟର ସେୟାର ରହିଛି। ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀ ଚାକିରି ଛାଡ଼ିସାରିଲେଣି ଓ ଆଉ କିଛି ଏବେବି କାମ କରୁଛନ୍ତି। କର୍ମଚାରୀମାନଙ୍କ ପାଖରେ ଥିବା ସେୟାରକୁ କିଣିବା ପାଇଁ ଓ୍ଵାଲମାର୍ଟ ୧୩,୪୫୫ କୋଟି ଟଙ୍କା ପ୍ରଦାନ କରିବ। ନିଜ ପାଖରେ ସେୟାର ରଖଥିବା କର୍ମଚାରୀମାନେ ହାରାହାରି ୧୩୪ କୋଟି ଟଙ୍କା ପାଇବେ। ଫ୍ଲିପ୍‌କାର୍ଟ ଓ ଓ୍ଵାଲ୍‌ମାର୍ଟ ମଧ୍ୟରେ ଡିଲ୍‌ ଯୋଗୁଁ କେବଳ କର୍ମଚାରୀ ନୁହେଁ ଏହାର ପ୍ରତିଷ୍ଠାତାମାନେ ମଧ୍ୟ ଲାଭବାନ ହୋଇଛନ୍ତି। କଂପାନିର ସହ ପ୍ରତିଷ୍ଠାତା ସଚିନ୍‌ ବଂଶଲ ନିଜ ପାଖରେ ଥିବା ସମସ୍ତ ୫.୫% ଅଂଶଧନକୁ ୬୭୦୦ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି। ସେ ଫ୍ଲ୍‌ିପ୍‌କାର୍ଟରୁ ବିଦାୟ ନେବାକୁ ଘୋଷଣା କରିଛନ୍ତି। ଫ୍ଲିପ୍‌କାର୍ଟର ନିବେଶକମାନେ ଏହି ଡିଲ୍‌ ଯୋଗୁଁ ଲାଭବାନ ହୋଇଛନ୍ତି।

ସମ୍ବନ୍ଧିତ ଖବର