ଶିଳ୍ପ ଜଗତରେ ଶୋକ

ବହୁ ବିଶିଷ୍ଟ ଶିଳ୍ପପତି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ ଶିଳ୍ପ ଜଗତ ଗଭୀର ଶୋକ ପ୍ରକାଶ କରିଛି। ବହୁ ବିଶିଷ୍ଟ ଶିଳ୍ପପତି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଟାଟା ଗ୍ରୁପ୍‌ର ମୁଖ୍ୟ ରତନ ଟାଟା, ସିଆଇଆଇର ସଭାପତି ରାକେଶ ଭାରତୀ ମିତ୍ତଲ, ଏୟାରଟେଲ୍‌ର ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ଆନନ୍ଦ ମହିନ୍ଦ୍ରା, ଫିକିର ସଭାପତି ରାଶେଶ ଶାହ, ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର ସ, ଆସୋଚାମ୍‌ର ସଭାପତି ସନ୍ଦୀପ ଜାଜୋଡ଼ିଆ, ଆପୋଲୋ ହସ୍ପିଟାଲ୍‌ର ମୁଖ୍ୟ ଡକ୍ଟର ପ୍ରତାପ ରେଡ୍ଡୀ, ଆଦାନି ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନି, ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ଵାଲ୍‌ ଭଳି ବହୁ ବିଶିଷ୍ଟ ଶିଳ୍ପପତି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଦ୍ୱିତୀୟ ପିଢ଼ି ଆର୍ଥିକ ସଂସ୍କାରର ଜନକ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଯୋଗଦାନ ଦେଶର ଅର୍ଥନୀତି ପ୍ରତି କିଛି କମ୍‌ ନଥିଲା। ପି ଭି ନରସିଂହରାଓ ସରକାରଙ୍କ ଦ୍ୱାରା ୧୯୯୧ ମସିହାରେ ଆରମ୍ଭ ହୋଇଥିବା ଘରୋଇକରଣ ଏବଂ ଜଗତୀକରଣ ନୀତିକୁ ସେ ଆଗକୁ ବଢ଼ାଇ ନେଇଥିଲେ। ଏଥିପାଇଁ ଅନେକ ତାଙ୍କୁ ଭାରତୀୟ ଅର୍ଥନୀତିର ଦ୍ୱିତୀୟ ପିଢ଼ିର ଜନକ ବୋଲି ମଧ୍ୟ କହିଥାନ୍ତି।

ଜିଏସ୍‌ଟି ମୂଳଦୁଆ ପକାଇଥିଲେ
ଗତବର୍ଷ ଜୁଲାଇ ପହିଲାରୁ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ ହୋଇଛି। ତେବେ ଗୋଟିଏ ଦେଶ, ଗୋଟିଏ ଟିକସର ମୂଳଦୁଆ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ପଡ଼ିଥିଲା। ଜିଏସ୍‌ଟିର ଢାଞ୍ଚା ପ୍ରସ୍ତୁତ କରିବା ଲାଗି ବାଜପେୟୀ ୨୦୦୦ ମସିହାରେ ପଶ୍ଚିମବଙ୍ଗର ତତ୍କାଳୀନ ଅର୍ଥମନ୍ତ୍ରୀ ଅସିମ ଦାସଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏତଦ୍‌ବ୍ୟତୀତ ବିଜୟ କେଲ୍‌କାର୍‌ଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ କମିଟି ଗଠନ କରିଥିଲେ। ଏହି କମିଟି ପୂର୍ବର ଟିକସ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପକାଇ ଜିଏସ୍‌ଟି ପ୍ରଚଳନ ପାଇଁ କହିଥିଲା। ଜିଏସ୍‌ଟି ଲାଗୁ ହେବା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଥିଲେ ଯେ, ଅଟଳଜୀଙ୍କ ସ୍ୱପ୍ନ ପୂରଣ ହୋଇଛି। ୩୨ ସଂସ୍ଥାର ଘରୋଇକରଣ ବାଜପେୟୀଙ୍କ ଆର୍ଥିକ ସଂସ୍କାରର ବଡ଼ ନିଷ୍ପତ୍ତି ଆମେ ସରକାରୀ ସଂସ୍ଥା ଗୁଡ଼ିକର ଘରୋଇକରଣରେ ଦେଖିବାକୁ ପାଉ। ତାଙ୍କର ୫ ବର୍ଷ ଶାସନ କାଳରେ ୩୨ଟି ସରକାରୀ ଉଦ୍ୟୋଗ ଏବଂ ହୋଟେଲର ଘରୋଇକରଣ କରାଯାଇଥିଲା। ଘରୋଇକରଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଲାଗି ତାଙ୍କ ଅମଳରେ ପ୍ରଥମ ଥର ପାଇଁ ପୁଞ୍ଜି ପ୍ରତ୍ୟାହାର ବିଭାଗ ସ୍ୱତନ୍ତ୍ର ଭାବେ ଖୋଲା ଯାଇଥିଲା।

ବିଦେଶରେ ତୈଳ ବ୍ଲକ୍‌ ହାସଲ
ବିଦେଶରେ ତୈଳ ଏବଂ ଗ୍ୟାସ୍‌ ବ୍ଲକ୍‌ ଅଧିଗ୍ରହଣ କରି ଦେଶକୁ ଶକ୍ତି କ୍ଷେତ୍ରରେ ସଶକ୍ତ କରିବାକୁ କୂଟନୈତିକ ପ୍ରୟାସ କରି ସେ ସଫଳ ମଧ୍ୟ ହୋଇଥିଲେ। ୨୦୦୧ ମସିହାରେ ରୁଷିଆର ପୂର୍ବ ଭାଗରେ ଥିବା ଶାଖଲିନ୍‌-୧ ତୈଳ ଏବଂ ଗ୍ୟାସ କ୍ଷେତ୍ରକୁ ଅଧିଗ୍ରହଣ କରିବାରେ ସଫଳ ହୋଇଥିଲେ। ଏତଦ୍‌ବ୍ୟତୀତ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ସେ ବାଜପେୟୀ ସରକାର ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର