୨୦୧୭ ଅନେକ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ବର୍ଷଟି ଲୋକମାନଙ୍କ ଜୀବନଶୈଳୀକୁ ଗଭୀର ଭାବେ ପ୍ରଭାବିତ କରିଛି। ୪ଜି ମୋବାଇଲ୍ ବ୍ୟବହାର କରିବାର ଅଭ୍ୟାସ ଠାରୁ ଆରମ୍ଭ କରି ନୂଆ ନୂଆ କାର୍, ବାଇକ୍ ଚଲାଇବା, ନୂଆ ପ୍ରଯୁକ୍ତି ଆପଣେଇବା ଭଳି ଅନେକ ନୂଆ ପ୍ରକାର ଅଭ୍ୟାସ ଏହି ବର୍ଷରୁ ଆରମ୍ଭ ହୋଇଛି। ପ୍ରତିଦିନ ନୂଆ ଦରରେ ପେଟ୍ରୋଲ, ଡିଜେଲ କିଣିବା, ଅଧିକ ପରିମାଣର ଟିକସ ବଦଳରେ ଗୋଟିଏ ପ୍ରକାର ଟିକସ ଜିଏସ୍ଟି ପ୍ରଦାନ କରିବା, ସବୁ ପ୍ରକାର କାମ ପାଇଁ ଆଧାର ଦରକାର ପଡ଼ିବା ଭଳି ଘଟଣା ମଧ୍ୟ ଏହି ବର୍ଷରେ ଘଟିଛି। ମନିପର୍ସରେ ରଙ୍ଗବେରଙ୍ଗର ନୋଟ୍ ଶୋଭା ପାଉଛି। ଲୋକମାନେ ଅନ୍ଲାଇନ୍ରେ ସପିଙ୍ଗ୍ କରୁଛନ୍ତି। ନଗଦ ଟଙ୍କା ନୁହେଁ ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ୍ କରୁଛନ୍ତି। ୨୦୧୭ରେ ସୃଷ୍ଟି ହୋଇଥିବା ଏହି ସବୁ ଅଭ୍ୟାସ ୨୦୧୮ରେ ଆମ ଜୀବନର ପ୍ରମୁଖ ଅଂଶ ହୋଇଯିବ। ତାହାକୁ ନେଇ ଆମର ଏହି ଉପସ୍ଥାପନା…
ଉପସ୍ଥାପନା: ପ୍ରଭାତ, ରୁଦ୍ର
ଅଳଙ୍କରଣ: ରବି
Sambad is now on WhatsApp
Join and get latest news updates delivered to you via WhatsApp
ସବୁ କାମରେ ଆଧାର
ଚଳିତ ବର୍ଷ ଲୋକମାନଙ୍କ ଜୀବନଶୈଳୀରେ ଏକ ବଡ଼ ଧରଣର ପରିବର୍ତନ ଆଣିଛି ଆଧାର କାର୍ଡ। ଆଧାରକୁ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନା ପାଇଁ ବାଧ୍ୟତାମୂଳକ କରିଛନ୍ତି। ତେଣୁ ହିତାଧିକାରୀମାନେ ସବ୍ସିଡି ହାସଲ କରିବା ସମେନ ଅନ୍ୟ କାର୍ଯ୍ୟ ପାଇଁ ଆଧାର ଲିଙ୍କ୍ କରାଉଛନ୍ତି। ଏହି ଆଧାର ଧନୀ ଗରିବ ସମସ୍ତଙ୍କୁ ପ୍ରଭାବିତ କରିଛି। ବ୍ୟାଙ୍କରେ ଖାତା ଖୋଲିବାଠାରୁ ଆରମ୍ଭ କରି ବୀମା ପଲିସି, ଡାକ ଘର ଜମା, ମୋବାଇଲ୍ ନମ୍ବର ସବୁ କାମ ପାଇଁ ଆଧାର ଲିଙ୍କ୍ କରିବାକୁ ସରକାର ନାଗରିକମାନଙ୍କୁ କହିଛନ୍ତି। ଯେଉଁ ଲୋକମାନଙ୍କ ପାଖରେ ଆଧାର ନଥିଲା ସେମାନେ ଆଧାର ପାଇଁ ଆବେଦନ କରୁଛନ୍ତି। ଯେଉଁମାନଙ୍କ ପାଖରେ ଆଧାର ନମ୍ବର ରହିଛି ସେମାନେ ତାହାକୁ ବିଭିନ୍ନ ସେବା ଏବଂ କଲ୍ୟାଣମୂଳକ ଯୋଜନା ସହିତ ଲିଙ୍କ୍ କରାଇବାରେ ଲାଗିପଡ଼ିଛନ୍ତି। ଆଧାର ଜୀବନର ଏକ ପ୍ରମୁଖ ଅଂଶରେ ପରିଣତ ହୋଇଛି। ଆଗାମୀ ଦିନରେ ଅନେକ କାମ ପାଇଁ ଆଧାର ଦରକାର ପଡ଼ିବ ବୋଲି ସରକାର ସଙ୍କେତ ଦେଇଛନ୍ତି।
ଅବଶ୍ୟ ଆଧାରକୁ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ରହିଛି। ଆଧାରର ଆଇନଗତ ବୈଧ୍ୟତାକୁ ନେଇ ପ୍ରଶ୍ନବାଚୀ ରହିଛି। ଏ ସବୁ ସତ୍ତ୍ୱେ ଯେତିକି କାମ ପାଇଁ ସରକାର ଆଧାରକୁ ବାଧ୍ୟତାମୂଳକ କରିସାରିଲେଣି ସେଥିରୁ ଏହା ଜଣାପଡୁଛି ଯେ ଆଧାର ଏତେ ସହଜରେ ବେଆଇନ ଘୋଷିତ ହେବ ନାହିଁ।
ପ୍ରଥମ ପସନ୍ଦ ୪ଜି
ମୋବାଇଲ୍ ସେବା ପ୍ରଦାନ କ୍ଷେତ୍ରରେ ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ଗତବର୍ଷ ପ୍ରବେଶ କରିବା ପରେ ୨୦୧୭ ତମାମ ବର୍ଷ ପାଇଁ ୪ଜି ସେବାରେ ଅଫର ଲଢ଼େଇ ଜାରି ରହିଛି। ନିଜର ୩୯୯ ଟଙ୍କିଆ ପ୍ୟାକ୍ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଆକୃଷ୍ଟ କରିଥିବା ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ୍ ଓ ଆଇଡିଆ ଭଳି କଂପାନି ମଧ୍ୟ ସେହି ପାଖାପାଖି ମୂଲ୍ୟର ଅଫର ଘୋଷଣା କରିଛନ୍ତି। ପୁରୁଣା କଂପାନିମାନେ ନିଜ ଗ୍ରାହକଙ୍କୁ ପାଖରେ ରଖିବା ପାଇଁ ସଂଘର୍ଷ କରୁଥିବା ବେଳେ ଜିଓ ନୂଆ ଗ୍ରାହକ ଯୋଡ଼ିବାରେ ଲାଗିପଡ଼ିଛି। କଂପାନିଗୁଡ଼ିକ ଭିତରେ ଲାଗି ରହିଥିବା ଏହି ବିବାଦର ଲାଭ ସାଧାରଣ ଗ୍ରାହକଙ୍କୁ ମିଳିଛି। ପୂର୍ବରୁ ଶହ ଶହ ଟଙ୍କା ରିଚାର୍ଜ କରି ଟକ୍ଟାଇମ୍ ହାସଲ କରୁଥିବା ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ୪ଜି ଗ୍ରାହକମାନଙ୍କୁ ଚଳିତବର୍ଷ ଆଉ ଟକ୍ଟାଇମ୍ ପାଇଁ ଟଙ୍କା ଗଣିବାକୁ ପଡୁନାହିଁ। କେବଳ ଇଣ୍ଟରନେଟ୍ କିମ୍ବା ଡାଟା ପ୍ୟାକ୍ ପାଇଁ ରିଚାର୍ଜ କରିଦେଲେ ଯଥେଷ୍ଟ। ମୋବାଇଲ୍ରେ କଥାବାର୍ତା ସମ୍ପୂର୍ଣ୍ଣ ମାଗଣା ହୋଇଯାଇଛି। ଅବଶ୍ୟ ୩ଜି, ୨ଜି ସେବା ବ୍ୟବହାର କରୁଥିବା ଲୋକମାନଙ୍କୁ ଏବେ ବି ଟକ୍ଟାଇମ୍ ପାଇଁ ଟଙ୍କା ଗଣିବାକୁ ପଡ଼ୁଛି। ଜିଓର ଆଗମନ ପରେ ମୋବାଇଲ୍ ବ୍ୟବହାର କ୍ଷେତ୍ରରେ ବଡ଼ ଧରଣର ପରିବର୍ତନ ହୋଇଛି। ପୂର୍ବରୁ ପାଖାପାଖି ୨୦୦ ଟଙ୍କା ରିଚାର୍ଜ କରି ମାସକୁ ୧ ଜିବିର ମୋବାଇଲ୍ ଇଣ୍ଟରନେଟ୍ ପାଉଥିବା ଗ୍ରାହକମାନଙ୍କ ପାଇଁ ଏବେ ଦିନକୁ ୧ ଜିବି ଡାଟା ଯଥେଷ୍ଟ ହେଉନାହିଁ। ଲୋକମାନଙ୍କ ରିଚାର୍ଜ ଅଭ୍ୟାସ ସମ୍ପୂର୍ଣ୍ଣ ବଦଳିଯାଇଛି। ଟକ୍ଟାଇମ୍ ପାଇଁ ଟପ୍ଅପ୍, ଇଣ୍ଟରନେଟ୍ ପାଇଁ ଅଲଗା ରିଚାର୍ଜ, ଏସ୍ଏମ୍ଏସ୍ ପାଇଁ ଅଲଗା ପ୍ୟାକ୍ ଆଉ ରିଚାର୍ଜ କରିବାକୁ ପଡୁନାହିଁ। ଥରେ ରିଚାର୍ଜ କଲେ ତିନି ମାସ ପର୍ଯ୍ୟନ୍ତ ଚିନ୍ତା କରିବାକୁ ପଡୁନାହିଁ। ୪ଜି ମୋବାଇଲ୍ ସେବା ଲୋକମାନଙ୍କ ମୋବାଇଲ୍ ବ୍ୟବହାର ଅଭ୍ୟାସକୁ ବଦଳାଇ ଦେଇଛି।
ଜିଏସ୍ଟି ଯୁଗ ଆରମ୍ଭ
ଉଦ୍ୟୋଗ ଏବଂ ବ୍ୟବସାୟ ଜଗତ ଚଳିତବର୍ଷ ସମ୍ପୂର୍ଣ୍ଣ ନୂଆ ପରିବେଶରେ ପ୍ରବେଶ କରିଛି। ପୂର୍ବରୁ ସେମାନଙ୍କୁ ଉତ୍ପାଦନ ଶୁଳ୍କ, ଭାଟ୍, ବିକ୍ରି କର ଭଳି ଅନେକ ପ୍ରକାର ଟିକସ ଗଣିବାକୁ ପଡୁଥିଲା। ସବୁ କିଛିର ହିସାବ ରଖିବା କଷ୍ଟକର ହେଉଥିଲା। ମାତ୍ର ଜୁଲାଇ ମାସରେ ସରକାର ଲାଗୁ କଲେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)। ଏହା ପରେ ବ୍ୟବସାୟ ଜଗତର ଟିକସ ପ୍ରଦାନ କରିବା ଅଭ୍ୟାସ ବଦଳିଯାଇଛି।
କାଗଜପତ୍ରରେ ଯେତିକି ନୁହେଁ କମ୍ପ୍ୟୁଟରରେ ସେତିକି କାମ କରିବାକୁ ପଡୁଛି। ଆୟକର ଭଳି ସେମାନଙ୍କୁ ଜିଏସ୍ଟି ରିଟର୍ଣ୍ଣ ଫାଇଲ୍ କରିବାକୁ ପଡୁଛି। ଟିକସ ଦାଖଲ କରିବା ଅଭ୍ୟାସର ସରଳୀକରଣ ହୋଇଛି। ଏଥିଯୋଗୁଁ ଦେଶରେ ଏବେ ନୂଆ ପ୍ରକାର ଟିକସ ବୃତ୍ତିଧାରୀଙ୍କ ଆବଶ୍ୟକତା ଦେଖାଦେଇଛି। ଟିକସ ଅଭ୍ୟାସରେ ପରିବର୍ତନ ଆଣିବା ପାଇଁ ଅନେକ ବ୍ୟବସାୟୀ ସଂଘର୍ଷ କରୁଥିବା ବେଳେ କେତେକ ବ୍ୟବସାୟୀ ଜିଏସ୍ଟି ବ୍ୟବସ୍ଥାକୁ ସମର୍ଥନ କରୁଛନ୍ତି।
୫୦ ଲକ୍ଷରୁ ଅଧିକ ବ୍ୟବସାୟୀ ଜିଏସ୍ଟି ପୋର୍ଟାଲ୍ରେ ପଞ୍ଜୀକୃତ ହୋଇସାରିଲେଣି। ପୂର୍ବରୁ ସାମଗ୍ରୀ ଉତ୍ପାଦନ ହେବା ସ୍ତରରେ ଟିକସ ଲଗାଯାଉଥିଲା। ଏବେ କିନ୍ତୁ ବିକ୍ରି ହେଉଥିବା ସାମଗ୍ରୀ ଉପରେ ଟିକସ ଲଗାଯାଉଛି। ଉଭୟ ସାମଗ୍ରୀ ଓ ସେବା ଉପରେ ଟିକସ ଲଗାଯାଉଛି। ପୂର୍ବରୁ ବିଭିନ୍ନ ପ୍ରକାର ଟିକସର ଭିନ୍ନ ଭିନ୍ନ ହାର ଥିଲା। ଜିଏସ୍ଟି ଲାଗୁ ହେବା ପରେ ଚାରି ପ୍ରକାର ଟିକସ ସ୍ଲାବ୍ ଲାଗୁ ହୋଇଛି। ତାହା ହେଉଛି ୫%, ୧୨%, ୧୮% ଓ ୨୮%। ଏହା ମନେ ରଖିବା ମଧ୍ୟ ବହୁତ ସହଜ ହୋଇଯାଇଛି। ଅବଶ୍ୟ ଭିନ୍ନ ସାମଗ୍ରୀ ପାଇଁ ଭିନ୍ନ ପ୍ରକାର ଟିକସ ହାର ରହିଛି। ତେଣୁ ଯେଉଁ ବ୍ୟବସାୟୀ ଯେଉଁ ସାମଗ୍ରୀ କାରବାର କରୁଛନ୍ତି ତାହାର ଟିକସ ପରିମାଣ ଅତି ସହଜରେ ମନେ ରଖିପାରୁଛନ୍ତି।
ଜିଏସ୍ଟି ଲାଗୁ ହେବା ଦ୍ୱାରା ବ୍ୟବସାୟୀମାନଙ୍କର କାରବାର କରିବା ଶୈଳୀ ସମ୍ପୂର୍ଣ୍ଣ ବଦଳିଛି। ଗ୍ରାହକ ଓ ବ୍ୟବସାୟୀଙ୍କ ବ୍ୟତୀତ କେନ୍ଦ୍ର ଓ ରାଜ୍ୟର ସମ୍ପର୍କକୁ ମଧ୍ୟ ଏହି ଟିକସ ବ୍ୟବସ୍ଥା ନୂତନ ଦିଗ ପ୍ରଦାନ କରିଛି। ପୂର୍ବରୁ କେନ୍ଦ୍ର ସରକାର ଟିକସ ହାର ଧାର୍ଯ୍ୟ କରୁଥିଲେ। କିନ୍ତୁ ଜିଏସ୍ଟି ଲାଗୁ ହେବା ପରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରର ଅର୍ଥମନ୍ତ୍ରୀଙ୍କୁ ନେଇ ଗଠନ ହୋଇଛି ଜିଏସ୍ଟି ପରିଷଦ। ଏହି ପରିଷଦର ବୈଠକରେ ଜିଏସ୍ଟି ହାର ଧାର୍ଯ୍ୟ କରାଯାଉଛି ଯାହା ସଂଘୀୟ ବ୍ୟବସ୍ଥାର ଏକ ବଳିଷ୍ଠ ଉଦାହରଣ।
ପ୍ରତିଦିନ ନୂଆ ଦର
ଯାହା କେବେ ହୋଇନଥିଲା ତାହା ୨୦୧୭ରେ ହୋଇଛି। ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ଯେତେବେଳେ ବଢ଼ୁଥିଲା ଲୋକମାନେ ଆତଙ୍କିତ ହୋଇପଡ଼ୁଥିଲେ। ଏହି ଦୁଇ ଇନ୍ଧନର ମୂଲ୍ୟ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ ସମ୍ବେଦନଶୀଳ ଥିଲା। ମାତ୍ର ଏବେ ଲୋକମାନେ କିନ୍ତୁ ପେଟ୍ରୋଲ କିମ୍ବା ଡିଜେଲ ଦର ବୃଦ୍ଧିକୁ ନେଇ ବିଶେଷ ଚିନ୍ତିତ ନୁହନ୍ତି। କାରଣ ଏହାର ଦର ହଠାତ ୪-୫ ଟଙ୍କା ବଢ଼ୁନାହିଁ। ପ୍ରତିଦିନ ବଦଳୁଛି ପେଟ୍ରୋଲ ଓ ଡିଜେଲ ଦର। ଏଥିପାଇଁ ତେଲ ଦର କମିଲେ ପେଟ୍ରୋଲ୍ ପମ୍ପ୍ରେ ଯେଉଁଭଳି ଅସମ୍ଭାଳ ଭିଡ଼ ଗ୍ରାହକଙ୍କ ଦେଖିବାକୁ ହେଉନାହିଁ କିମ୍ବା ମୂଲ୍ୟ ବଢ଼ିଗଲେ ତେଲ ଟାଙ୍କି ଗୁଡ଼ିକ ହଠାତ୍ ତେଲ ସରିଗଲା ବୋଲି କହି ଅଧିକ ମୁନାଫା କମାଇବାକୁ ସଫଳ ହେଉନାହାନ୍ତି। ପେଟ୍ରୋଲ, ଡିଜେଲ ପାଇଁ ଦୈନିକ ନୂଆ ଦର ଓ କିରାସିନି, ଏଲ୍ପିଜି ଗ୍ୟାସ୍ ଆଦି ପାଇଁ ପ୍ରତି ମାସରେ ନୂଆ ଦର ଗଣିବା ଲୋକମାନଙ୍କ ପାଇଁ ସାଧାରଣ ହୋଇଗଲାଣି। ପେଟ୍ରୋଲିୟମ୍ ସାମଗ୍ରୀ ଗରିବ ଓ ମଧ୍ୟବିତ୍ତ ପରିବାରର ଜୀବନଶୈଳୀକୁ ସମ୍ପୂର୍ଣ୍ଣ ନୂଆ ମୋଡ଼ ଦେଇଛି।
ରଙ୍ଗବେରଙ୍ଗର ନୋଟ୍
ଲୋକମାନେ ବର୍ଷକ ପୂର୍ବରୁ ଯେଉଁ ନୋଟ୍ ନିଜ ପକେଟ୍ରେ କିମ୍ବା ଘରେ ରଖୁଥିଲେ ସେଥି ମଧ୍ୟରୁ ଅନେକ ନୋଟ୍ର ରୂପ ବଦଳିଯାଇଛି। ସରକାର ନୂଆ ୨୦୦ ଟଙ୍କିଆ ନୋଟ୍ ଆଣିଛନ୍ତି। ପୂର୍ବରୁ ଏଭଳି ନୋଟ୍ ଭାରତୀୟମାନେ କେବେ ଦେଖିନଥିଲେ। ଏବେ ସେହି ନୋଟ୍କୁ ନେଇ କାରବାର କରିବା ଅଭ୍ୟାସ କରୁଛନ୍ତି। ୫୦ ଟଙ୍କିଆ ମଧ୍ୟ ନୂଆ ରୂପରେ ଆସିଛି। ମହାତ୍ମାଗାନ୍ଧୀ ସିରିଜ୍ର ପୁରୁଣା ୫୦ ଟଙ୍କିଆ ନୋଟ୍ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ନୋଟ୍କୁ ଦେଖିଲେ ଲୋକମାନଙ୍କ ଆଖିରେ ଯେଉଁ ଚମକ ଆସେ ସେଥିରେ ପରିବର୍ତନ ହୋଇଛି। ନୂଆ ନୋଟ୍କୁ ନେଇ ଲୋକଙ୍କ ଆଗ୍ରହ ବଢ଼ିଛି। ୫୦୦ ଟଙ୍କିଆ ନୋଟ୍ର ଆକାର ଛୋଟ ହୋଇଛି ଏବଂ ତାହା ୧୦୦ ଟଙ୍କିଆ ନୋଟ୍ ପଛରେ ଲୁଚି ଯାଉଛି। ୨୦୧୬ରେ ବିମୁଦ୍ରାକରଣ ପରେ ସରକାର ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲେ। ପ୍ରକୃତରେ ଏହି ଦୁଇ ନୋଟ୍ ବ୍ୟବହାର ପ୍ରତି ଲୋକମାନେ ୨୦୧୭ରେ ଅଭ୍ୟସ୍ତ ହୋଇଥିଲେ। ସେମାନଙ୍କୁ ଏହି ଦୁଇ ପ୍ରକାର ନୂଆ ନୋଟ୍ ଅଧିକ ମାତ୍ରାରେ ୨୦୧୭ରେ ମିଳିଥିଲା। ଏବେ ଲୋକଙ୍କ ମନି ପର୍ସରେ ରଙ୍ଗବେରଙ୍ଗର ନୂଆ ନୋଟ୍ ଶୋଭା ପାଉଛି।
ନଗଦ ବଦଳରେ ଡିଜିଟାଲ କାରବାର
ବିମୁଦ୍ରାକରଣର ମୂଳ ଲକ୍ଷ୍ୟ କେତେ ସାଧିତ ହେଲା ତାହା ଭିନ୍ନ କଥା, କିନ୍ତୁ ଏଥିଯୋଗୁଁ ୨୦୧୭ରେ ଦେଶରେ ଡିଜିଟାଲ କାରବାର ବଢ଼ିବାରେ ଲାଗିଛି। ଡେବିଟ୍କାର୍ଡ, କ୍ରେଡିଟ୍ କାର୍ଡ, ପଏଣ୍ଟ ଅଫ୍ ସେଲ୍ (ପିଓଏସ୍), ୟୁପିଆଇ, ୟୁଏସ୍ଏସ୍ଡି, ମୋବାଇଲ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧିପାଇଛି। ଅଧିକରୁ ଅଧିକ ଲୋକ ବେନଗଦୀ କାରବାର କରିଛନ୍ତି। ରିଜର୍ଭ ବ୍ୟାଙ୍କର ପ୍ରାଥମିକ ତଥ୍ୟ ଅନୁଯାୟୀ ୨୦୧୭ ମାର୍ଚରେ ସର୍ବାଧିକ ୧୪୯.୫୯ ଲକ୍ଷ କୋଟି ଟଙ୍କାର ବେନଗଦୀ କାରବାର ହୋଇଛି। ଏହାପରେ ସେପ୍ଟେମ୍ବରରେ ଦ୍ୱିତୀୟ ସର୍ବାଧିକ ଅର୍ଥାତ୍ ୧୨୪.୬୯ ଲକ୍ଷ କୋଟି ଟଙ୍କାର ନଗଦବିହୀନ କାରବାର ହୋଇଛି। ବିଶେଷକରି ମୋବାଇଲ ଫୋନ୍କୁ ଆଧାର କରି ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ଅର୍ଥ ସ୍ଥାନାନ୍ତରଣ ବହୁଗୁଣରେ ବୃଦ୍ଧି ଘଟିଛି।
ଅନ୍ ଲାଇନ୍ରେ ସପିଙ୍ଗ୍
ଲୋକମାନଙ୍କ ସପିଙ୍ଗ କରିବାର ଅଭ୍ୟାସ ଚଳିତବର୍ଷ ବଦଳିଛି। ଇଟା କାନ୍ଥରେ ଆବଦ୍ଧ ଥିବା ଦୋକାନ ସହିତ ଲୋକମାନେ ଅନଲାଇନ୍ରେ ସପିଙ୍ଗ କରୁଛନ୍ତି। ଫ୍ଲିପ୍କାର୍ଟ ଏବଂ ଆମାଜନ୍ ଭଳି ସଂସ୍ଥା ଲୋକମାନଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ଅନେକ ସାମଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି। ଲୋକମାନେ ଘରେ ବସି କମ୍ପ୍ୟୁଟର କିମ୍ବା ମୋବାଇଲ୍ ଜରିଆରେ ସାମଗ୍ରୀ ବରାଦ କରୁଛନ୍ତି। ସପ୍ତାହକ ଭିତରେ ସେହି ସାମଗ୍ରୀ ଆସି ଘରେ ପହଞ୍ଚିଯାଉଛି। ଆଉ ଦୋକାନକୁ ଯାଇ ଜିନିଷ ବୋହି ବୋହି ଆଣିବାକୁ ପଡୁନାହିଁ। ଯେଉଁ ସାମଗ୍ରୀ ପସନ୍ଦ ହେଉନାହିଁ ତାହାକୁ ଲୋକମାନେ ସହଜରେ ଫେରସ୍ତ ମଧ୍ୟ କରୁଛନ୍ତି। କଂପାନି ଲୋକ ଘରକୁ ଆସି ଫେରସ୍ତ ହେବାକୁ ଥିବା ସାମଗ୍ରୀ ନେଇଯାଉଛନ୍ତି। ଜିନିଷ ଫେରାଇବା ପାଇଁ ଦୋକାନକୁ ବାରମ୍ବାର ଦୌଡ଼ିବାକୁ ପଡୁନାହିଁ।
ଗରିବଙ୍କ ପାଇଁ ଶସ୍ତା, ଧନୀଙ୍କ ପାଇଁ ମହଙ୍ଗା ଫୋନ୍
ଭାରତରେ ଚଳିତବର୍ଷ ଟେଲିଫୋନ ସେବା କମ୍ପାନିଙ୍କ ମଧ୍ୟରେ କେବଳ କମ୍ ମୂଲ୍ୟରେ ଭଏସ୍ ଓ ଡାଟା ସେବା ଦେବା କ୍ଷେତ୍ରରେ ପ୍ରତିଯୋଗିତା ଦେଖାଦେଇନାହିଁ ଗ୍ରାମାଞ୍ଚଳ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଅଧିକାଂଶ ସେବାପ୍ରଦାନକାରୀ ବଣ୍ଡଲ୍ ଅଫର୍ ଆରମ୍ଭ କରିଦେଇଛନ୍ତି। ୧୫୦୦ ଟଙ୍କାର ଅର୍ଥ ଜମା ଦେଇ ଗ୍ରାହକ ଜିଓର ୪ଜି ଫିଚର ଫୋନ୍ ପାଇ ପାରୁଛନ୍ତି। ଜିଓ ପରେ ପରେ ଏୟାରଟେଲ ଓ କାର୍ବନ, ଭୋଡାଫୋନ୍ ଓ ମାଇକ୍ରୋମାକ୍ସ ଏବଂ ବିଏସ୍ଏନ୍ଏଲ୍ ଓ ମାଇକ୍ରୋମାକ୍ସ ମିଳିତଭାବେ କମ୍ ମୂଲ୍ୟରେ ଗ୍ରାହକଙ୍କୁ ସ୍ମାର୍ଟଫୋନ୍ ଯୋଗାଇ ଦେବା ଆରମ୍ଭ କରିଦେଇଛନ୍ତି। ଶସ୍ତାରେ ହ୍ୟାଣ୍ଡସେଟ୍ ଉପଲବ୍ଧ ହେବା ଯୋଗୁଁ ଦେଶରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପକ୍ଷରେ ଧନୀ ଗ୍ରାହକଙ୍କ ପାଇଁ ଅଧିକାଂଶ ମୋବାଇଲ ଫୋନ ନିର୍ମାତା ନୂଆ ନୂଆ ସୁବିଧା ଥିବା ଦାମୀ ଫୋନ୍ ଆଣିଛନ୍ତି। ସାମସଙ୍ଗ, ଭିଭୋ, ଜିଓନି, ସାଓମି, ଅନର, ନୋକିଆ ଭଳି କମ୍ପାନି ଏକାଧିକ ମଡେଲ ଫୋନ ଆଣିଛନ୍ତି, ଯାହା ଦ୍ୱାରା ଲୋକଙ୍କ ମୋବାଇଲ ଫୋନ ବ୍ୟବହାର ଅଭ୍ୟାସରେ ପରିବର୍ତନ ଆସିଛି।
ଦାମୀ ବାଇକ୍ ଓ ବିଳାସପୂର୍ଣ୍ଣ କାର୍
ଚଳିତବର୍ଷ ଭାରତରେ ପ୍ରାୟ ସବୁ କମ୍ପାନି କିଛି ନା କିଛି ନୂଆ ବାଇକ୍ର ବଜାର ପ୍ରବେଶ କରାଇଛନ୍ତି। କିନ୍ତୁ ଅନେକ କମ୍ପାନି ପାଓ୍ଵାର ଏବଂ ଦାମୀ ବାଇକ୍ ଆଡ଼କୁ ମୁହାଁଇଥିବା ପରିଲକ୍ଷିତ ହୋଇଛି। ୟାମାହାଠାରୁ ଆରମ୍ଭ କରି ହୋଣ୍ଡା, ବଜାଜ୍, ସୁଜୁକି, ଟିଭିଏସ୍, ଡୁକାଟି, ହାର୍ଲି ଡେଭିଡସନ୍, ବିଏମ୍ଡବ୍ଲ୍ୟୁ ଏବଂ ବେନେଲି ଟ୍ରମ୍ଫ ଭଳି କମ୍ପାନି ଅନେକଗୁଡ଼ିଏ ଦାମୀ ବାଇକ୍ ଆଣିଛନ୍ତି। ଏଗୁଡିକର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ରହିଛି। ଯୁବ ଏବଂ ଧନୀକ ବର୍ଗର ଲୋକଙ୍କ ମଧ୍ୟରେ ଦାମୀ ଓ ଶକ୍ତିଶାଳୀ ବାଇକ୍ କିଣିବା ଏକ ସଉକରେ ପରିଣତ ହୋଇଥିବାରୁ କମ୍ପାନି ଗୁଡ଼ିକ ଏହାକୁ ଦୃଷ୍ଟିରେ ରଖି ନୂଆ ନୂଆ ବାଇକ୍ ଆଣିବାରେ ଲାଗିଛନ୍ତି। ସେହିଭଳି ଭାରତୀୟ କାର୍ ବଜାରରେ ମଧ୍ୟ ପରିବର୍ତନ ଦେଖାଦେଇଛି। କାର୍ ନିର୍ମାତାମାନେ ଭାରତୀୟ ଗ୍ରାହକଙ୍କୁ ଚଳିତବର୍ଷ ଅନେକ ବିଳାସପୂର୍ଣ୍ଣ କାରର୍ ଭେଟି ଦେଇଛନ୍ତି।