ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୫୦ ପ୍ରତିଶତ ବଢ଼ିଲା ବ୍ୟବସାୟ

କରାଚୀ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଅନ୍ୟ ଦେଶ ସହିତ ଯଦିଓ ତାଲିବାନର ତୁତୁ ମେଁମେଁ ଆରମ୍ଭ ହୋଇଛି, କିନ୍ତୁ ପାକିସ୍ତାନ ସହ ସମ୍ପର୍କ ନିବିଡ ହୋଇଛି | ଆଉ ଆଫଗାନିସ୍ତାନ ଦଖଲ ପରେ ଗତ ସପ୍ତାହରେ ଆଫଗାନିସ୍ତାନ ଏବଂ ପାକିସ୍ଥାନ ମଧ୍ୟରେ ବାଣିଜ୍ୟ ୫୦% ବୃଦ୍ଧି ପାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି କହିଛି ଯେ ଗମନାଗମନରେ ସମସ୍ୟା ସତ୍ତ୍ୱେ ବାଣିଜ୍ୟ ବୃଦ୍ଧି ପାଇଛି। ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କ ବନ୍ଦ ହେତୁ ଯଦିଓ ଅର୍ଥ ନେଣଦେଣ କ୍ଷେତ୍ରରେ ସମସ୍ୟା ଦେଖାଯାଉଛି, କିନ୍ତୁ ଆଫଗାନିସ୍ତାନର ରପ୍ତାନି ଏବଂ ପାକିସ୍ତାନର ଆମଦାନୀରେ ବୃଦ୍ଧି ଘଟିଛି।

ଆଫଗାନିସ୍ତାନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇନଭେଷ୍ଟମେଣ୍ଟର ସଦସ୍ୟମାନେ ମଧ୍ୟ ଅଗଷ୍ଟ ୨୩ରେ ତାଲିବାନ ସଦସ୍ୟଙ୍କ ସହ ସାକ୍ଷାତ କରି ବେସରକାରୀ କ୍ଷେତ୍ରର ସମସ୍ୟା ବାବଦରେ କହିଥିଲେ ଏବଂ ତାଲିବାନ ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଅନ୍ୟପକ୍ଷରେ ଇରାନ ମଧ୍ୟ ସମାନ କଥା କହିଛି। ଦେଶରେ ତାଲିବାନ ଆସିବା ପରେ ଗ୍ୟାସ ଏବଂ ଅଶୋଧିତ ତୈଳ ରପ୍ତାନି ବୃଦ୍ଧି ହୋଇଛି ବୋଲି ଇରାନ ପକ୍ଷରୁ କୁହାଯାଇଛି |

ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍ ମୁଖପାତ୍ର ଏଆଇ ଜବିହୁଲ୍ଲା ମୁଜାହିଦ୍ ସୋମବାର ଦିନ କହିଛନ୍ତି ଯେ ଆର୍ଥିକ ଅବସ୍ଥାକୁ ସ୍ଵଛଳ କରିବା ପାଇଁ ସେମାନଙ୍କ ଯୋଜନା କାର୍ଯ୍ୟକାରୀ କରିବାକୁ କଠିନ ପରିଶ୍ରମ କରୁଛନ୍ତି। ସେହିପରି ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଧାତୁ ରପ୍ତାନି କରିବାକୁ ଅନୁମତି ନଦେବାକୁ କୁହାଯାଇଛି | ଇସଲାମିକ୍ ଏମିରେଟ୍ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଦେଶ ଧାତୁ ପାଇଁ କମ୍ ଅର୍ଥ ଦେଉଥିବାବେଳେ ଦେଶରେ ଥିବା କାରଖାନା ପାଇଁ ଏହି ସବୁ ଧାତୁର ବହୁଳ ଆବଶ୍ୟକତା ଅଛି |

ସମ୍ବନ୍ଧିତ ଖବର