ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ଗତ କିଛିଦିନ ହେଲା ଲୋକଙ୍କୁ ଅଣନିଃଶ୍ବାସୀ କରି ରଖିଛି। ପ୍ରଦୂଷଣକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ଜିଆର୍ଏପି-୪(ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ) ଲାଗୁ କରାଯାଇଛି। ଏହା ଦିଲ୍ଲୀର ବ୍ୟବସାୟକୁ ଗୁରୁତର ମାତ୍ରାରେ ପ୍ରଭାବିତ କରିଛି। ଦିନକୁ ପ୍ରାୟ ୧୦୦ କୋଟି ଟଙ୍କାର କ୍ଷତି ବ୍ୟବସାୟୀମାନଙ୍କର ହେଉଛି। ଗତମାସକ ମଧ୍ୟରେ ୨୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ବ୍ୟବସାୟୀମାନେ ସହିଛନ୍ତି ବୋଲି ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ପକ୍ଷରୁ କୁହାଯାଇଛି। ସିଟିଆଇର ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଏବଂ ସଭାପତି ସୁଭାଷ ଖଣ୍ଡେଲୱାଲ ଏକ ବିବୃତିରେ କହିଛନ୍ତି ଯେ ବାଣିଜ୍ୟିକ ଓ ହାଲୁକା ଯାନ ଉପରେ କଟକଣା ସମେତ ଦିଲ୍ଲୀ ଭିତରକୁ ବାହାରୁ ଆସୁଥିବା ଗାଡ଼ି ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି। ଏହା ଦିଲ୍ଲୀର ବ୍ୟବସାୟ, ଶିଳ୍ପ ଏବଂ ପର୍ଯ୍ୟଟନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ସହରର ବାୟୁମାନ ସାଂଘାତିକ ବର୍ଗରେ ରହିଥିବାରୁ ଦିଲ୍ଲୀର ଖୁବୁରା ବଜାରରେ ବ୍ୟବସାୟ କମିଯାଇଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ସଂକ୍ରାନ୍ତ ଖବର ବହୁଳ ମାତ୍ରାରେ ପ୍ରସାରିତ ହେବା ଦ୍ବାରା ଲୋକମାନେ ବଜାରକୁ ଆସିବା ବନ୍ଦ କରିଦେଇଥିବା ଗୋୟଲ କହିଛନ୍ତି।
ବାୟୁ ପ୍ରଦୂଷଣ ଦେଖାଦେବା ପୂର୍ବରୁ ଏନସିଆରରୁ ଦିଲ୍ଲୀକୁ ପ୍ରତିଦିନ ପ୍ରାୟ ୩ରୁ ୪ ଲକ୍ଷ ଲୋକ କିଣାକିଣି ପାଇଁ ଆସୁଥିଲେ। କିନ୍ତୁ ଏହି ସଂଖ୍ୟା ବର୍ତ୍ତମାନ ପ୍ରାୟ ୧ ଲକ୍ଷକୁ କମିଯାଇଛି। ସହର ଭିତରେ ବସବାସ କରୁଥିବା ଲୋକମାନେ ବଜାରକୁ ଯିବା ପରିବର୍ତ୍ତେ ଅନଲାଇନ୍ରେ କିଣାକିଣି କରୁଛନ୍ତି। ଏହା ବ୍ୟବସାୟୀମାନଙ୍କର କ୍ଷତିକୁ ମଧ୍ୟ ବଢ଼ାଉଛି। ଏଥିପାଇଁ ଦିଲ୍ଲୀରେ ଦିନକୁ ୧୦୦ କୋଟି ଟଙ୍କାର କ୍ଷତି ବ୍ୟବସାୟୀମାନେ ସହୁଛନ୍ତି। ବିବାହ ଓ ପର୍ଯ୍ୟଟନ ଋତୁରେ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ୨୦୦ରୁ ଅଧିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ସିଟିଆଇର ସାଧାରଣ ସଂପାଦକ ଗୁରମିତ ଅରୋରା ଏବଂ ବରିଷ୍ଠ ଉପସଭାପତି ଦୀପକ ଗର୍ଗଙ୍କ କହିବାନୁଯାୟୀ, ନିର୍ମାଣ ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ପ୍ରକଳ୍ପଗୁଡ଼ିକ ବିଳମ୍ବ ହେବାରେ ଲାଗିଛି। ଏଥିଯୋଗୁ ଖର୍ଚ୍ଚ ବଢ଼ିଯିବା ଆଶଙ୍କା ଦେଖାଦେଇଛି। ଶ୍ରମିକମାନଙ୍କ ପାଇଁ ଜୀବିକା ସଂକଟ ଦେଖାଦେଇଛି ବୋଲି ସେମାନେ ମତ ଦେଇଛନ୍ତି। ଦିନକୁ କ୍ଷତି ୧୦୦ କୋଟି ଟଙ୍କାରେ ପହଞ୍ଚିଥିବାରୁ ବ୍ୟବସାୟୀମାନେ ସରକାରଙ୍କୁ ପ୍ରଦୂଷଣ ହ୍ରାସ ନିମନ୍ତେ ଜରୁରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/19/cCjfo64erPlkTyI8F5U8.jpg)