ଶିଶୁର ବୁଦ୍ଧିମତାରେ ଶିଳ୍ପପତି ବିମୋହିତ

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ତଥା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପୁଣି ସୋସିଆଲ ମିଡିଆରେ ଚର୍ଚାକୁ ଆସିଛନ୍ତି। ଜଣେ ଶିଶୁ ଖଟରୁ ତଳକୁ ଓହ୍ଲାଇବା ପାଇଁ ତକିଆର ଯେଭଳି ବ୍ୟବହାର କରିଛନ୍ତି ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ ହୋଇଥିବା ସେହି ଭିଡିଓରେ ଶିଶୁଟି ନିଜର ବୁଦ୍ଧି ଓ ଉପଲବ୍ଧ ସମ୍ବଳ ବା ତକିଆର ଉପଯୋଗ କରି ଖଟରୁ ତଳକୁ ନିରାପଦ ଭାବେ ଓହ୍ଲାଇଛନ୍ତି ତାହା ଆନନ୍ଦ ମହିନ୍ଦ୍ରାଙ୍କୁ ଖୁବ୍‌ ପ୍ରଭାବିତ କରିଛି। ଏହି ଭିଡିଓ ଦେଖିବା ପରେ ଆନନ୍ଦ ମହିନ୍ଦ୍ରା ସେହି ଶିଶୁକୁ ଭବିଷ୍ୟତରେ ଚାକିରି ଦେବା ଲାଗି ଆଗୁଆ ରାଜିନାମା ବା ଫ୍ୟୁଚର କଣ୍ଟ୍ରାକ୍ଟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କଲେଜ ଶିକ୍ଷା ଶେଷ ହେବା ପରେ ସେ ଉକ୍ତ ଶିଶୁଙ୍କୁ ଚାକିରି ଦେବାଲାଗି କହିଛନ୍ତି। ଶିଶୁଟି ତକିଆ ଖଟରୁ ତଳକୁ ପକାଇ ଯେଭଳି ନିରାପଦରେ ଓହ୍ଲାଇଲେ ଭବିଷ୍ୟତରେ ତାଙ୍କ କମ୍ପାନିର ନୂଆ ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ଶିଶୁଟି ସୁରକ୍ଷିତ ଭାବେ ଆରମ୍ଭକୁ ନିଶ୍ଚିତ କରିବେ ବୋଲି ମହିନ୍ଦ୍ରା ମତବ୍ୟକ୍ତ ଦେଇଛନ୍ତି। ଏହି ଟ୍ଵିଟ୍‌ ଉପରେ ଆନନ୍ଦ ମହିନ୍ଦ୍ରାଙ୍କ ଅନେକ ଅନୁଗାମୀ ପ୍ରତିକ୍ରିୟା ଦେବା ସହିତ ନୂଆ ନୂଆ ଭିଡିଓ ଟ୍ଵିଟରରେ ଅପ୍‌ଲୋଡ୍‌ କରିଛନ୍ତି। ଏପରିକି ଜଣେ ବ୍ୟକ୍ତି ଏହି ଭିଡିଓ ତାଙ୍କ ପିଲାବେଳର କହିବା ସହିତ ଏଥିପାଇଁ ତାଙ୍କୁ ଚାକିରି ଦେବାକୁ ଟ୍ଵିଟ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଆନନ୍ଦ ମହିନ୍ଦ୍ରା ହରିୟାଣାର ଏକ ସହରରେ ଜୋତା ମରାମତି କରୁଥିବା ବ୍ୟକ୍ତିର ଅଭିନବ ସାଇନ୍‌ବୋର୍ଡରେ ପ୍ରଭାବିତ ହୋଇଥିଲେ। ତାଙ୍କୁ ଏକ ଅତ୍ୟାଧୁନିକ କିଓସ୍କ ପ୍ରଦାନ କରି ମହିନ୍ଦ୍ରା ଚର୍ଚାକୁ ଆସିଥିଲେ।

ସମ୍ବନ୍ଧିତ ଖବର