ମାଳଦ୍ବୀପ, ଦୁବାଇରେ ଧନୀଙ୍କ ଘର କିଣା

ନୂଆଦିଲ୍ଲୀ: ଦେଶର ଧନୀକ ବର୍ଗର ଲୋକମାନେ ଦେଶ ବାହାରେ ବିଳାସପୂର୍ଣ୍ଣ ଘର କିଣିବାରେ ବ୍ୟସ୍ତ ଅଛନ୍ତି। ଦୁବାଇଠାରୁ ଆରମ୍ଭ କରି ମାଳଦ୍ବୀପ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସେମାନେ ଘର କିଣୁଛନ୍ତି। ଭୌଗୋଳିକ-ରାଜନୈତିକ ଉତ୍ତେଜନା ଓ ଟିକସ ହାର କମ୍ ଥିବା ଅଞ୍ଚଳ ଓ ବ୍ୟବସାୟ ସୁଯୋଗ ଥିବା ସ୍ଥାନଗୁଡ଼ିକରେ ସେମାନେ ଘର କିଣିବାକୁ ପସନ୍ଦ କରୁଛନ୍ତି। ଭାରତର ବଡ଼ ବଡ଼ ବ୍ୟବସାୟୀ ପରିବାର, ଷ୍ଟାର୍ଟଅପ୍ ସଂସ୍ଥାର ମାଲିକ ଓ ପ୍ରମୁଖ ଅଧିକାରୀମାନେ ଦେଶ ଭିତରେ ଓ ବାହାରେ ସମ୍ପତ୍ତି କିଣିବାରେ ବ୍ୟସ୍ତ ଥିବା ଜଣାପଡ଼ିଛି। କୋଭିଡ୍ ମହାମାରୀ ପରେ ଧନୀମାନେ ନିଜ ବାସ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଘର ଖଣ୍ଡିଏ କିଣିବା ଲାଗି ଉଦ୍ୟମ କରୁଛନ୍ତି। ଭିସା ମୁକ୍ତ ପ୍ରବେଶ ଅନୁମତି, ଉତ୍ତମ ସ୍ବାସ୍ଥ୍ୟ ସେବା ଓ ଭିତ୍ତିଭୂମି ବ୍ୟବସ୍ଥା ଓ ଉନ୍ନତ ଜୀବନ ଧାରଣ ମାନ ଥିବା ଅଞ୍ଚଳରେ ଘର କିଣିବାକୁ ସେମାନେ ପସନ୍ଦ କରୁଛନ୍ତି।

ଦେଶ ଭିତରେ ଧନୀମାନେ ଗୋଆରେ ଘର କିଣିବା ପ୍ରତି ଅଧିକ ଆଗ୍ରହ ଦେଖାଇଛନ୍ତି। ଗତବର୍ଷ ଜିଭିକେର ସଞ୍ଚୟ ‌ରେଡ୍ଡିଙ୍କ ପତ୍ନୀ ପିଙ୍କି ରେଡ୍ଡି ୮୦ କୋଟି ଟଙ୍କାରେ ଉତ୍ତର ଗୋଆର ଏକ ଭିଲ୍ଲା କିଣିଥିଲେ। ହାଇଦ୍ରାବାଦର ଅନ୍ୟ ଜଣେ କୋଟିପତି ଜିଏସ୍‌ ରାଜୁ ମଧ୍ୟ ଗୋଆରେ ୨୦ କୋଟି ଟଙ୍କାର ଏକ ଭିଲ୍ଲା କିଣିଛନ୍ତି। ସେହି ବିଳାସପୂର୍ଣ୍ଣ ଭିଲ୍ଲାଗୁଡ଼ିକର ଆକର୍ଷଣ ହେଉଛି ସେଗୁଡ଼ିକ ସମ୍ପୂର୍ଣ୍ଣ ଫର୍ଣ୍ଣିସିଂ ହୋଇରହିଛି। ତେଣୁ ସେଠାରେ ରହିବା ଲାଗି ଅନ୍ୟ ସ୍ଥାନରୁ କୌଣସି ଜିନିଷ ଆଣିବାକୁ ପଡ଼ିବନି। ଗୋଆ ବ୍ୟତୀତ ଦେଶ ଭିତରେ ଅନ୍ୟ ଯେଉଁ ସ୍ଥାନଗୁଡ଼ିକ ଧନୀମାନଙ୍କ ପସନ୍ଦ ତାହା ହେଉଛି ଓଟି, କୋର୍ଗ, କସୌଲି, ଅଲିବାଗ ଓ ମନାଲି। ଦେଶ ବାହ‌ାରେ ଭାରତୀୟ ଧନୀମାନେ ଦୁବାଇ ଓ ମାଳଦ୍ବୀପରେ ଘର କିଣିଛନ୍ତି। ସେଥିପାଇଁ ସେହି ସ୍ଥାନରେ ସମ୍ପତ୍ତି ମୂଲ୍ୟରେ ୫୦% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଦୁବାଇ କର୍ତ୍ତୃପକ୍ଷ ପ୍ରବାସୀମାନଙ୍କୁ ମାରିନା ବେଳାଭୂମି ସାମ୍ନା, କ୍ରିକ୍ ହାର୍ବର, ବିଜନେସ୍ ବେ ଓ ହାର୍ଟଲ୍ୟାଣ୍ଡ୍‌ରେ ସମ୍ପୂର୍ଣ୍ଣ ମାଲିକାନା ସହ ଘର ପ୍ରଦାନ କରୁଛନ୍ତି। ବିଦେଶରେ ଭାରତୀୟ ଧନୀମାନେ ଅଢ଼େଇ କୋଟିରୁ ୬ କୋଟି ଟଙ୍କା ପର୍ଯ୍ୟନ୍ତର ଘର ଅଧିକ କିଣୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ସେହି ଘରଗୁଡ଼ିକର ଦାମ୍‌ ଭାରତରେ ସମାନ ସୁବିଧା ଥିବା ଘର ତୁଳନାରେ କମ୍। ମାଳଦ୍ବୀପରେ ଟାଟା ହାଉସିଂ ଦୁଇଟି ଆବାସିକ ପ୍ରକଳ୍ପ ବିକଶିତ କରୁଛି। ଏହା ପୂର୍ବରୁ କଂପାନି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଶେଷ କରିସାରିଛି। ଏବେ ମାଳଦ୍ବୀପରେ ନିବେଶରୁ ୧୦ ବର୍ଷରୁ କମ୍ ସମୟରେ ୧୫-୨୦% ରିଟର୍ଣ୍ଣ ମିଳୁଛି। ମାଳଦ୍ବୀପରେ ଭିଲ୍ଲା କିଣୁଥିବା ନିବେଶକମାନେ କିଛି ମାସ ତାହାକୁ ନିଜେ ବ୍ୟବହାର କରୁଥିବା ବେଳେ ବଳକା ସମୟ ଭଡ଼ାରେ ଦେଉଛନ୍ତି।

ସମ୍ବନ୍ଧିତ ଖବର