ଇ-ଯାନ କିଣିଲେ ରିହାତି ମିଳିବ: ୨୦୨୫ ସୁଦ୍ଧା ୨୦% ଗାଡ଼ି ବ୍ୟା‌ଟେରି ଚାଳିତ ହେବ

ଭୁବନେଶ୍ବର: ରାଜ୍ୟରେ ଖୁବ୍‌ଶୀଘ୍ର ଇ-ଯାନ ନୀତି ଲାଗୁ ହେବ। ଅର୍ଥାତ୍ ରାଜ୍ୟରେ ଏଣିକି ଅଧିକରୁ ଅଧିକ ବ୍ୟାଟେରି/ବୈଦ୍ୟୁତିକ ଗାଡ଼ି ଚଳାଚଳକୁ ପ୍ରୋତ୍ସାହନ ଦିଆଯିବ। ପ୍ରଦୂଷଣ କମାଇବା ଲକ୍ଷ୍ୟରେ ରାଜ୍ୟ ସରକାର ‘ବୈଦ୍ୟୁତିକ ଯାନ ନୀତି’ ଆଣିବାକୁ ସ୍ଥିର କରିଛନ୍ତି। ଆଜି ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି।

ଆଜି କ୍ୟାବିନେଟ ବୈଠକ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଗତ କିଛି ଦଶନ୍ଧି ଧରି ଜାରି ରହିଥିବା ଦ୍ରୁତ ବିଶ୍ବତାପନ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ରାସ୍ତାରେ ପାରମ୍ପରିକ ଇନ୍ଧନରେ ଚାଲୁଥିବା ମୋଟର ଯାନଗୁଡ଼ିକରୁ ବାହାରୁଥିବା ବିଷାକ୍ତ ବସ୍ତୁ ଓ ବାୟୁ ଏହି ବିଶ୍ବତାପନ ପାଇଁ ବହୁଳ ଭାବେ ଦାୟୀ। ଏହାକୁ ହ୍ରାସ କରିବା ପାଇଁ ପାରମ୍ପରିକ ଇନ୍ଧନରେ ଚାଲୁଥିବା ମୋଟର ଯାନର ହ୍ରାସ ଘଟାଇ ବୈଦ୍ୟୁତିକ ଯାନର ପ୍ରଚଳନକୁ ତ୍ବରିତ କରିବା ଆବଶ୍ୟକ ଥିବାରୁ ରାଜ୍ୟ ସରକାର ଏହି ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୀତିରେ ୨୦୨୫ ସୁଦ୍ଧା ବ୍ୟାଟେରି/ବୈଦ୍ୟୁତିକ ଯାନ ଶତକଡ଼ା ୨୦ଭାଗ ପ୍ରଚଳନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ବୈଦ୍ୟୁତିକ ଯାନ ଓ ଏହାର ଯନ୍ତ୍ରାଂଶ ଏବଂ ବ୍ୟାଟେରି ଉତ୍ପାଦନକାରୀ ଉଦ୍ୟୋଗଗୁଡ଼ିକୁ ଉତ୍ସାହିତ କରିବା ସହ ଏ କ୍ଷେତ୍ରରେ ନବୀକରଣ ଓ ଗବେ‌ଷଣାକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟବସ୍ଥା ହୋଇଛି।

ଏହି ପ୍ରସ୍ତାବିତ ନୀତି ଆଧାରରେ ଉତ୍ପାଦନକାରୀ କମ୍ପାନି, ଯାନ ବ୍ୟବହାରକାରୀ ଜନସାଧାରଣମାନଙ୍କୁ ଆର୍ଥିକ ରିହାତି ଦେବା ସହ ଗାଡ଼ି ପଞ୍ଜୀକରଣ ଦେୟ ଓ ରୋଡ୍‌ ଟ୍ୟାକ୍ସ ଛାଡ଼ କରିବାର ପ୍ରାବଧାନ କରାଯାଇଛି। ଏହାବ୍ୟତୀତ ପୁରୁଣା ଗାଡ଼ିଗୁଡ଼ିକୁ ସ୍କ୍ରାପ୍ କରିବା ପାଇଁ ପ୍ରୋତ୍ସାହନ ଓ ବୈଦ୍ୟୁତିକ ଗାଡ଼ି କିଣିବା ପାଇଁ ଋଣ ବାବଦକୁ ସୁଧ ଛାଡ଼ର ବ୍ୟବସ୍ଥା ମଧ୍ୟ ଅଛି। ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ବିଭାଗର ‘ଷ୍ଟାର୍ଟ ଅପ୍’ ପଲିସିରେ ଉକ୍ତ ବୈଦ୍ୟୁତିକ ଯାନ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର