ଅଧିକ ବିକ୍ରି ଆଶାରେ ବ୍ୟବସାୟୀ

ଧନତେରସ୍‌ , ଗହଣା ବଜାରରେ ଭିଡ଼

ଭୁବନେଶ୍ୱର: ଆସନ୍ତା ଧନ୍‌ତେରସ୍‌। ଏଥିପାଇଁ ବଜାର ଚଳଚଞ୍ଚଳ ହୋଇ ଉଠିଲାଣି। ସୁନା, ରୁପା ବ୍ୟବସାୟୀମାନେ ସେମାନଙ୍କ ସୋ’ରୁମ୍‌ର ବାହାର ପାର୍ଶ୍ୱକୁ ସୁଦୃଶ୍ୟ ଆଲୋକମାଳାରେ ସଜାଇ ଥିବାବେଳେ ଭିତରେ ନୂଆ ଗହଣାର ସମ୍ଭାର ରଖିଛନ୍ତି। ଏଥିସହିତ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଅଫରମାନ ଘୋଷଣା କରିଛନ୍ତି। ଫଳରେ ଗୋଟିଏ ପଟେ ନୂଆ ଗହଣା ଓ ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କ ଉତ୍କଣ୍ଠା ଶୀର୍ଷରେ ପହଞ୍ଚିଥିବାବେଳେ ଅନ୍ୟପପକ୍ଷରେ ବ୍ୟବସାୟୀମାନେ ପୂର୍ବବର୍ଷ ତୁଳନାରେ ଯଥେଷ୍ଟ ଅଧିକ ବେପାର କରିବା ଆଶାରେ ରହିଛନ୍ତି। ଧନ୍‌ତେରସ୍‌ରେ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଧନରେତସ୍‌କୁ ନେଇ କିଛି ଦିନ ହେଲାଣି ସୁନା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ବହୁତ ବଢ଼ିଯାଇଛି। ଆସନ୍ତାକାଲି ଦୋକାନରେ ଭିଡ଼ ବହୁତ ଅଧିକ ରହିବ ବୋଲି ଆଶା କରାଯାଉଛି।
ସରକାରୀ କର୍ମଚାରୀମାନେ ସପ୍ତମ ବେତନ ଆୟୋଗର ସୁପାରିସ ଅନୁଯାୟୀ ବର୍ଦ୍ଧିତ ଦରମା ପାଇଛନ୍ତି। ତେଣୁ ଧନତେରସ୍‌ରେ ଗହଣା ବ୍ୟବସାୟ ଭଲ ରହିବ ବୋଲି ବ୍ୟବସାୟୀମାନେ ମତଦେଇଛନ୍ତି।
ରାଜଧାନୀର ଏକ ପ୍ରମୁଖ ଗହଣା ସୋ’ରୁମ୍‌ର ପରିଚାଳକଙ୍କ କହିବାନୁଯାୟୀ ଚଳିତବର୍ଷ ସୋରୁମ୍‌ ଗୁଡ଼ିକ ଯେଉଁସବୁ ଅଫର ଘୋଷଣା କରିଛନ୍ତି ତାହା ପୂର୍ବରୁ କେବେ ଦିଆଯାଇ ନଥିଲା। ଗ୍ରାହକମାନେ ଏହାର ଲାଭ ଧନତେରସ୍‌ରେ ନେବେ ବୋଲି ସେ କହିଛନ୍ତି। ତେବେ ସବୁକିଛି ନିର୍ଭର କରୁଛି ପାଣିପାଗ ଉପରେ। ଚଳିତବର୍ଷ ପାଗ ଭଲ ରହିଲେ ସକାଳୁ ରାତି ପର୍ଯ୍ୟନ୍ତ ସୋ’ରୁମ୍‌ରେ ଗହଳି ଲାଗି ରହିବ ଏବଂ ବେପାର ଭଲ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ରାଜଧାନୀର ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ, ଗତବର୍ଷର ବିମୁଦ୍ରାକରଣ ଏବଂ ଚଳିତବର୍ଷର ସାମଗ୍ରୀ ସେବା ସେବା ଟିକସ (ଜିଏସ୍‌ଟି) ଲାଗୁ ଦୀର୍ଘଦିନ ଧରି ବିକ୍ରିକୁ ପ୍ରଭାବିତ କରିଥିଲା। କିନ୍ତୁ ଏବେ ଅର୍ଥନୀତିରେ ନଗଦ ଅର୍ଥର ଅଭାବ ନାହିଁ। ଜିଏସ୍‌ଟି ଯୋଗୁଁ ଯେଉଁ ଅସୁବିଧା ରହିଥିଲା ତାହା ମଧ୍ୟ ସ୍ୱାଭାବିକ ହୋଇଯାଇଛି। ବ୍ୟାଙ୍କ ଏବଂ ଏଟିଏମ୍‌ରୁ ଲୋକମାନେ ଆବଶ୍ୟକ ପରିମାଣର ନଗଦ ଅର୍ଥ ଉଠାଇ ପାରୁଛନ୍ତି। ଏଥିଯୋଗୁଁ ଧନତେରସ୍‌ରେ ଲୋକମାନେ ଅଧିକ ମାତ୍ରାରେ ଗହଣା କିଣିବା ନେଇ ଆଶା ରଖାଯାଇଛି ବୋଲି ରାଜଧାନୀର ଜଣେ ପ୍ରତିଷ୍ଠିତ ଗହଣା ବ୍ୟବସାୟୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର