୨୦୨୫ ସୁଦ୍ଧା ପାରାଦୀପ ବନ୍ଦରର ସବୁ ବର୍ଥର ଯାନ୍ତ୍ରିକୀକରଣ ହେବ: ଅଧ୍ୟକ୍ଷ

ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ୍‌ ହରନାଦ

ପାରାଦୀପ ବନ୍ଦର ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଲଗାତର ଭାବେ ୪ ବର୍ଷ ହେଲା ୧୦୦ ମିଲିଅନ ମେଟ୍ରିକ୍ ଟନ (ଏମ୍‌ଏମ୍‌ଟି)ରୁ ଊର୍ଦ୍ଧ୍ବ ପଣ୍ୟ କାରବାର କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଣୁ ଆଗାମୀ ଦିନରେ ଦେଶରେ ଏକ ନମ୍ବର ହେବା ପାଇଁ ଏହି ବନ୍ଦର କି ପଦକ୍ଷେପ ନେଉଛି ଓ ବର୍ତ୍ତମାନ କି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି, ଏହାକୁ ନେଇ ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ୍‌ ହରନାଦଙ୍କ ସହ ଆଲୋଚନା …

ପାରାଦୀପ ବନ୍ଦର ପ୍ରଶାସନ ଉପ‌ରେ କୋଭିଡ୍‌ ମହାମାରୀର ପ୍ରଭାବ ପଡ଼ିଛି କି?
ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଟିକାକରଣକୁ ବେଶ୍ ଗୁରୁତ୍ବ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୧ ହଜାର ଲୋକ ଦୁଇ ‌ଡୋଜ୍ ଟିକା ନେଇସାରିଲେଣି। ଏହାସହ ବର୍ଥରେ ଜାହାଜ ଲାଗିବା ପୂର୍ବରୁ ଆଙ୍କରେଜରେ ସ୍ବାସ୍ଥ୍ୟ ବିଭାଗ ସମସ୍ତ କମର୍ଚାରୀଙ୍କୁ ଯାଞ୍ଚ କରୁଛି। କୋଭିଡ୍‌ର ସମସ୍ତ କଟକଣାକୁ ମାନି କାର୍ଯ୍ୟ କରାଯାଉଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ସମସ୍ୟା ସୃଷ୍ଟି ହୋଇନି।
୨୦୨୧-୨୨ରେ ପଣ୍ୟ କାରବାରର ଟାର୍ଗେଟ୍ କେତେ ରହିଛି?
ଗତବର୍ଷ ପାରାଦୀପ ବନ୍ଦର ୧୧୪.୫ ଏମ୍‌ଏମ୍‌ଟି ପଣ୍ୟ କାରବାର କରିଥିଲା। ଚଳିତ ଆର୍ଥିକ ବର୍ଷ ଡିସେମ୍ବର ସୁଦ୍ଧା ୮୩.୬ ଏମ୍‌ଏମ୍‌ଟି ପଣ୍ୟ କାରବାର କରାଯାଇଛି। ମାନ୍ଦାବସ୍ଥା ସତ୍ତ୍ବେ ଚଳିତ ଆର୍ଥିକ ବର୍ଷରେ ୧୧୬ ଏମ୍‌ଏମ୍‌ଟି ପଣ୍ୟ କାରବାର କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ବର୍ଥ ଯାନ୍ତ୍ରିକୀକରଣ ନେଇ କଣ ଯୋଜନା ରଖାଯାଇଛି?
୧୪୦୦ କୋଟି ଟଙ୍କା ଖର୍ଚ୍ଚରେ ରପ୍ତାନି କରାଯାଉଥିବା ଥର୍ମାଲ କୋଲ୍‌ ନିମନ୍ତେ ବର୍ଥ ଇକ୍ୟୁ-୧, ଇକ୍ୟୁ-୨ ଓ ଇକ୍ୟୁ-୩କୁ ସମ୍ପୂର୍ଣ୍ଣ ଯାନ୍ତ୍ରିକୀକରଣ କରାଯାଇଛି। ଆମଦାନି କରାଯାଉଥିବା କୋଇଲା ଓ ଅନ୍ୟାନ୍ୟ ପଣ୍ୟ ପାଇଁ ମଧ୍ୟ ୬୫୦ କୋଟି ଟଙ୍କା ବ୍ୟୟରେ କେଆଇସିଟି ବର୍ଥକୁ ମଧ୍ୟ ଯାନ୍ତ୍ରିକୀକରଣ କରାଯାଇଛି। ୨୦୨୪-୨୫ ସୁଦ୍ଧା ସମସ୍ତ ବର୍ଥ ଗୁଡ଼ିକୁ ସମ୍ପୂର୍ଣ୍ଣ ଯାନ୍ତ୍ରିକୀକରଣ କରାଯିବ। ଏହାସହ ବହୁ ପ୍ରତୀକ୍ଷିତ ତିନି ହଜାର କୋଟି ଟଙ୍କା ୱେଷ୍ଟର୍ଣ୍ଣ ଡକ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରଦାର ଚାଲିଛି।
ରାଜ୍ୟରେ ନୂଆ ବନ୍ଦର ହେଲେ ପାରାଦୀପ ବନ୍ଦର କିଛି କ୍ଷତି ସହିବ କି?
ଓଡ଼ିଶାରେ ଧାମରା ଓ ଗୋପାଳପୁର ବନ୍ଦର ରହିଛି। ଆହୁରି ଦୁଇଟି ବନ୍ଦର ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗରେ ନିର୍ମାଣ କରାଯିବ। ପାରାଦୀପ ବନ୍ଦର ସାରା ଦେଶରେ ଏବେ ଦ୍ବିତୀୟ ସ୍ଥାନରେ ରହିଛି। ଏଣୁ ବ୍ୟବସାୟରେ ପ୍ରତିଯୋଗିତା ଯେତେ ତୀବ୍ର ହେବ ଗ୍ରାହକମାନେ ସେତେ ସୁବିଧା ପାଇପାରିବେ। ଏଣୁ ଆଗକୁ ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ ଆସୁଛି। ମାତ୍ର ପଣ୍ୟ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ହେଉ ଅବା ପଣ୍ୟ କାରବାରରେ ଗ୍ରାହକମାନଙ୍କ ପାଇଁ ହେଉଥିବା ଖର୍ଚ୍ଚ ଏଠାରେ ସାରା ଦେଶରେ ସର୍ବନିମ୍ନ। ଏଣୁ ପାରାଦୀପ ବନ୍ଦରକୁ କୌଣସି ସମସ୍ୟା ହେବ ନାହିଁ।
‘ପିଏମ୍ ଗତି ଶକ୍ତି’ ଯୋଜନାରେ ପାରାଦୀପ ବନ୍ଦରର ଯୋଜନା କ’ଣ ରହିଛି?
ଏହି ଯୋଜନାଟି ଭାରତର ସମସ୍ତ ଲଜିଷ୍ଟିକ୍ ବ୍ୟବସାୟର ଉନ୍ନତି ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଯୋଜନା ଅଧୀନରେ ପାରାଦୀପ ବନ୍ଦର ୯୩ ‌କୋଟି ଟଙ୍କା ବ୍ୟୟରେ ଏକ ଓଭରବ୍ରିଜ୍ ନିର୍ମାଣ କରୁଛି। ଏହାଦ୍ବାରା ଟ୍ରାଫିକ୍ ନିୟନ୍ତ୍ରଣ ସହ ପ୍ରତ୍ୟେକ ଦିନ ଅଧିକ ୪୦୦ ଟ୍ରକ କାରବାର କରିପାରିବ।

ସମ୍ବନ୍ଧିତ ଖବର