ସିଇଏଙ୍କ ପୂର୍ବାନୁମାନ: ୨୦୨୬-୨୭ରେ ଅର୍ଥନୀତି ୫ ଲକ୍ଷ କୋଟି ଡଲାର ଛୁଇଁବ

୨୦୩୩-୩୪ରେ ୧୦ ଲକ୍ଷ କୋଟି ଡଲାର

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ୨୦୨୪-୨୫ରେ ୫ ଲକ୍ଷ କୋଟି ଡଲାର ସ୍ତରରେ ପହଞ୍ଚିବ। ୨୦୧୯ ମସିହାରେ ଏହି ଆକଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିନ୍ତୁ କରୋନା ମହାମାରୀ ଓ ଅନ୍ୟାନ୍ୟ କାରଣରୁ ଅର୍ଥନୀତିର ଅଭିବୃଦ୍ଧି ଧିମା ହୋଇଯାଇଛି। ତେଣୁ ଭାରତୀୟ ଅର୍ଥନୀତିର ଆକାର ୫ ଲକ୍ଷ କୋଟି ଡଲାର ଛୁଇଁବା ପାଇଁ ଆଉ ୨ ବର୍ଷ ଅଧିକ ସମୟ ଲାଗିବ। ୨୦୨୬-୨୭ରେ ଭାରତର ଅର୍ଥନୀତି ଏହି ସ୍ତରରେ ପହଞ୍ଚିବ ବୋଲି ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ୍ ଆଜି ପୂର୍ବାନୁମାନ କରିଛନ୍ତି। ସେହିଭଳି ଏହାର ୮ ବର୍ଷ ପରେ ଅର୍ଥାତ୍ ୨୦୩୩-୩୪ରେ ଭାରତୀୟ ଅର୍ଥନୀତିର ଆକାର ୧୦ ଲକ୍ଷ କୋଟି ଡଲାରରେ ପହଞ୍ଚିବ ବୋଲି ସେ କହିଛନ୍ତି।

ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗେଶ୍ବରନ୍ କହିଛନ୍ତି ଅନ୍ୟ ଉଦୀୟମାନ ଅର୍ଥନୀତି ତୁଳନାରେ ଭାରତର ସ୍ଥିତି ଭଲ ରହିଛି। ଏ ଦୃଷ୍ଟିରୁ ଭାରତୀୟ ଅର୍ଥନୀତି ୨୦୨୬-୨୭ରେ ୫ ଲକ୍ଷ କୋଟି ଡଲାର ଛୁଇଁବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଭାରତୀୟ ଅର୍ଥନୀତିର ଆକାର ୩.୩ ଲକ୍ଷ କୋଟି ଡଲାର ରହିଛି। ତେଣୁ ୨୦୨୬-୨୭ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ କିଛି କଷ୍ଟଦାୟକ ଲକ୍ଷ୍ୟ ନୁହେଁ। ବର୍ତ୍ତମାନ ମୂଲ୍ୟରେ ଜିଡିପି ଅଭିବୃଦ୍ଧି ହାର ଯଦି ୧୦ ପ୍ରତିଶତ ରହିବ ବୋଲି ଧରାଯାଏ ତାହେଲେ ୨୦୩୩-୩୪ ସୁଦ୍ଧା ଭାରତ ଅର୍ଥନୀତିର ଆକାର ୧୦ ଲକ୍ଷ କୋଟି ଡଲାର ଛୁଇଁବ।

ଉଲ୍ଲେଖଯୋଗ୍ୟ, ଭାରତର ଜିଡିପି ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୭.୫ ପ୍ରତିଶତ ରହିବ ବୋଲି ବିଶ୍ବବ୍ୟାଙ୍କ ପୂର୍ବରୁ ଆକଳନ କରିଛି। ଭାରତର ଜିଡିପି ଅଭିବୃଦ୍ଧି ପଥରେ ବର୍ଦ୍ଧିତ ମୁଦ୍ରାସ୍ଫୀତି, ଯୋଗାଣ ଶୃଙ୍ଖଳ ବିଗିଡ଼ିବା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଭଳି ‌ଭୂରାଜନୈତିକ ସମସ୍ୟା କଣ୍ଟା ସାଜିବ ବୋଲି ଏହି ସଂସ୍ଥା ଦର୍ଶାଇଥିଲା। ତେବେ କରୋନା ମହାମାରୀ ଓ ଲକଡାଉନ ଆଦି କାରଣରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତିର ଅଭିବୃଦ୍ଧି ୬.୬ ପ୍ରତିଶତ ସଂକୁଚିତ ହୋଇଥିଲା। କିନ୍ତୁ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୮.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା। ନିକଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଆକଳନରେ ୨୦୨୩-୨୩ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। କିନ୍ତୁ ବିଶ୍ବ ଅର୍ଥନୀତିରେ ମନ୍ଥରତା ଏବଂ ଭୂରାଜନୈତିକ ସମସ୍ୟା ଜନିତ ବିପଦ ଅର୍ଥନୀତିର ଉଚ୍ଚ ଅଭିବୃଦ୍ଧି ପଥରେ ରହିଛି ବୋଲି ରିଜର୍ଭ ବ୍ୟୃାଙ୍କ ସତର୍କ କରାଇ ଦେଇଛି। ପୂର୍ବରୁ ସିଇଏ ନାଗେଶ୍ବରନ୍ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଆକଳନକୁ ଦର୍ଶାଇ ଭାରତ ୨୦୨୬-୨୭‌ରେ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଦର୍ଶାଇଥିଲେ। ତେବେ ସିଇଏ ଦେଇଥିବା ମନ୍ତବ୍ୟକୁ ବିରୋଧୀ କଂଗ୍ରେସ ସମାଲୋଚନା କରିଥିଲା। କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ କହିଥିଲେ ସରକାର ଭାରତ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବାର ଗୋଲପୋଷ୍ଟକୁ ଘୁଞ୍ଚାଇ ଚାଲିଛନ୍ତି।

ସମ୍ବନ୍ଧିତ ଖବର