ନୂଆଦିଲ୍ଲୀ: ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ଲାଗି ମୋଦୀ ସରକାରଙ୍କୁ ଦାୟୀ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଇଂରାଜି ସମ୍ବାଦପତ୍ର ‘ଦି ହିନ୍ଦୁ’ରେ ପ୍ରକାଶିତ ଏକ ନିବନ୍ଧରେ ସେ ଲେଖିଛନ୍ତି, ଭାରତୀୟ ଅର୍ଥନୀତିର ସ୍ଥିତି ଏବେ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଏକ ବିରୋଧୀ ଦଳର ନେତା ଭାବେ ନୁହେଁ ବରଂ ଜଣେ ସାଧାରଣ ନାଗରିକ ଓ ଅର୍ଥନୀତିର ଛାତ୍ର ହିସାବରେ ମୁଁ ଏହା କହୁଛି। ଏହି ମାନ୍ଦାବସ୍ଥାର ମୂଳ କାରଣ ସମାଜରେ ଦେଖାଦେଇଥିବା ଅବିଶ୍ବାସ ଓ ଭୟର ବାତାବରଣ। ସମସ୍ତଙ୍କୁ ଏଠାରେ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି ବୋଲି ସେ କହିଛନ୍ତି।
ଦେଶର ଅର୍ଥନୀତି କେବେ ଖରାପ ସ୍ଥିତି ଆଡ଼କୁ ଗତି କଲାଣି ତାହା ଜଣାଇବା ପାଇଁ ମନମୋହନ ଲେଖିଛନ୍ତି, ଜିଡିପି ଅଭିବୃଦ୍ଧି ୧୫ ବର୍ଷରେ ସବୁଠୁ ଖରାପ ସ୍ତରକୁ ଖସିଯାଇଛି। ବେକାରି ହାର ୪୫ ବର୍ଷରେ ସର୍ବାଧିକ ହୋଇଛି। ଲୋକମାନେ ନିଜ ଖର୍ଚ୍ଚ କମାଇଲେଣି। ୪୦ ବର୍ଷ ଭିତରେ ଏଭଳି ସ୍ଥିତି କେବେ ଦେଖିବାକୁ ମିଳିନଥିଲା। ବ୍ୟାଙ୍କଗୁଡ଼ିକରେ ଏନ୍ପିଏ ସମସ୍ୟା ବେଲଗାମ ହୋଇପଡ଼ିଛି। ବିଦ୍ୟୁତ ଉତ୍ପାଦନ ୧୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଏହି ସବୁ ପରିସଂଖ୍ୟାନ ଯେତିକି ଚିନ୍ତାଜନକ ନୁହେଁ ତା’ଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଦେଶର ସାମାଜିକ ସ୍ଥିତି ବୋଲି ସେ କହିଛନ୍ତି। ସମାଜିକ ସ୍ଥିତିର ପ୍ରତିଫଳନ ସର୍ବଦା ଅର୍ଥନୀତିରେ ଦେଖିବାକୁ ମିଳିଥାଏ। ଲୋକମାନଙ୍କ ମଧ୍ୟରେ ବିଶ୍ବାସର ସ୍ଥିତି ରହିଲେ ତାହା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ। କିନ୍ତୁ ଏବେ ଆମ ଦେଶର ସାମାଜିକ ବ୍ୟବସ୍ଥାକୁ ମୋଡ଼ିମକଚି ଦିଆଗଲାଣି ବୋଲି ମନମୋହନ କହିଛନ୍ତି।
ଉପା ସରକାରଙ୍କ ଅମଳରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିବା ମନମୋହନ ଲେଖିଛନ୍ତି, ଦେଶରେ ଶିଳ୍ପପତିମାନେ ଭୟଭୀତ ଅଛନ୍ତି। ସରକାରୀ କଳ ଦ୍ବାରା ହଇରାଣ ହେବାର ଭୟ ତାଙ୍କୁ ଘାରିଛି। ବ୍ୟାଙ୍କଗୁଡ଼ିକ ନୂଆ ଋଣ ଦେବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ବିଫଳ ହେବା ଭୟରେ ଉଦ୍ୟୋଗୀମାନେ ନୂତନ ପ୍ରକଳ୍ପ ସ୍ଥାପନ କରୁନାହାନ୍ତି। ପ୍ରଯୁକ୍ତି ଷ୍ଟାର୍ଟଅପ୍ଗୁଡ଼ିକ ଉପରେ ସବୁ ବେଳେ ନଜର ରଖାଯାଉଛି। ନୀତି ନିର୍ଧାରଣ ବ୍ୟବସ୍ଥାରେ ଥିବା ଅଧିକାରୀମାନେ ସତ କହିବାକୁ ଡରୁଛନ୍ତି। ଲୋକମାନଙ୍କ ମଧ୍ୟରେ ଭୟ ଓ ଅବିଶ୍ବାସର ଏକ ସାଂଘାତିକ ବାତାବରଣ ସୃଷ୍ଟି ହୋଇଛି ବୋଲି ମନମୋହନ କହିଛନ୍ତି। ଯେତେବେଳେ ବିଶ୍ବାସର ଅଭାବ ଦେଖାଦିଏ ତାହା ଅଭିବୃଦ୍ଧିକୁ ପ୍ରଭାବିତ କରେ ବୋଲି ସେ ଜଣାଇଛନ୍ତି। ସେ କହିଛନ୍ତି, ଦେଶର ନାଗରିକମାନେ ଅସହାୟ ହୋଇ ଜୀବନ ବିତାଉଛନ୍ତି। ସ୍ବାଧୀନ ସଂସ୍ଥାଗୁଡ଼ିକ ଉପରେ ସେମାନଙ୍କର ଯେଉଁ ବିଶ୍ବାସ ଥିଲା ତାହା ଏକ ପ୍ରକାର ଦୂର ହୋଇଗଲାଣି। ଟିକସ ଆଳରେ ଯେଉଁ ନିର୍ଯ୍ୟାତନ ହେଉଛି ସେଥିରୁ ମୁକ୍ତି ପାଇବା ଲାଗି କେଉଁ ବ୍ୟବସ୍ଥା ପାଖକୁ ଯିବାକୁ ପଡ଼ିବ ତାହା ଲୋକେ ଜାଣିପାରୁନାହାନ୍ତି। ଦେଶର ସାମାଜିକ ବ୍ୟବସ୍ଥାରେ ଦେଖାଦେଇଥିବା ଏହି ସବୁ ସମସ୍ୟାର ମୂଳ କାରଣ ମୋଦୀ ସରକାରଙ୍କ ଶାସନ ନୀତି ବୋଲି ସେ କହିଛନ୍ତି। ମୋଦୀ ସରକାର ସମସ୍ତଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଶିଳ୍ପପତି, ବ୍ୟାଙ୍କ, ନୀତି ନିର୍ଧାରକ, ନିୟାମକ ସଂସ୍ଥା ଓ ନାଗରିକ କେହି ଏଥିରୁ ବାଦ ପଡ଼ୁାହାନ୍ତି। ଏବେ ବିଭିନ୍ନ ସାମଗ୍ରୀର ଦର ବଢ଼ିବା ଆରମ୍ଭ ହୋଇଯାଇଥିବା ବେଳେ ଅର୍ଥନୀତିରେ ଚାହିଦା ନାହିଁ। ଦୀର୍ଘ ସମୟ ଏଭଳି ସ୍ଥିତି ରହିଲେ ଦେଶର ଅର୍ଥନୀତି ‘ଷ୍ଟାଗ୍ଫ୍ଲେସନ୍’ ବା ମୁଦ୍ରାସ୍ଫୀତି ଜନିତ ମାନ୍ଦାବସ୍ଥା କବଳରେ ପଡ଼ିଯିବ। ଭାରତ ଭଳି ଏତେ ବଡ଼ ଦେଶ ସେଥିରୁ ମୁକୁଳିବା ଆଦୌଁ ସହଜ ହେବ ନାହିଁ ବୋଲି ମନମୋହନ ସତର୍କ କରାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/dfgad4fad54fa8d4fdaffffffdfasdfaaaaaaaa.jpg)