ନୂଆଦିଲ୍ଲୀ : ଭାରତୀୟ ବଜାରରେ ପ୍ରବେଶ କରିବ ଚୀନର ଇଲେକ୍ଟ୍ରିକ କାର ବିଓ୍ବାଇଡି । ବିଓ୍ବାଇଡିକୁ ବିଶ୍ବର ସର୍ବାଧିକ ଇଭି (ଇଲେକ୍ଟ୍ରିକ ଭେହିକ୍ଲ) ବିକ୍ରି କରୁଥିବା କମ୍ପାନିର ମାନ୍ୟତା ଦିଆଯାଏ । ଏପରିକି ଚଳିତ ବର୍ଷ ଏହି କମ୍ପାନି ବିକ୍ରିରେ ଏଲନ ମସ୍କଙ୍କ ପ୍ରସିଦ୍ଧ କମ୍ପାନି ଟେସଲାକୁ ପଛରେ ପକାଇଦେଇଛି ।
ମିଳିଥିବା ସୂଚନା ଅନୁସାରେ କମ୍ପାନି ଆଗାମୀ ପାର୍ବଣ ଋତୁରେ ଏକ ଇଲେକ୍ଟ୍ରିକ ଏସୟୁଭି ଭାରତୀୟ ବଜାରରେ ଲଞ୍ଚ୍ କରିବ । କମ୍ପାନିର ଗାଡ଼ିଗୁଡ଼ିକ ଚେନ୍ନାଇର ଶ୍ରୀପେରୁମ୍ବୁଦୁରଠାରେ ଆସେମ୍ବଲ କରାଯିବ । ଆଗାମୀ ଦିନରେ କମ୍ପାନି ଭାରତରେ ଏକ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରୁଛି ।
ଆସନ୍ତା ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ଅଟୋ ଏକ୍ସପୋରେ ମଧ୍ୟ ଏହି କମ୍ପାନି ଅଂଶଗ୍ରହଣ କରି ନିଜ କାରର ପ୍ରଦର୍ଶନ କରିବ । ଆସନ୍ତା ୨ ବର୍ଷରେ ଭାରତରେ ୧୦ ହଜାରଟି ଗାଡ଼ି ବିକିବାକୁ କମ୍ପାନି ଲକ୍ଷ୍ୟ ରଖିଛି ।
କମ୍ପାନି ନିଜ ଗାଡ଼ିଗୁଡ଼ିକରେ ବ୍ଲେଡ୍ ବ୍ୟାଟେରୀ ଟେକନଲୋଜୀ ବ୍ୟବହାର କରିଥାଏ । ଏହି ଟେକନଲୋଜୀ ବ୍ୟବହାର କରୁଥିବା ଗାଡ଼ି ଥରେ ଚାର୍ଜ କଲେ ପ୍ରାୟ୪୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । କମ୍ପାନିର ବିଭିନ୍ନ ଗାଡ଼ି ମଧ୍ୟରେ ରହିଛି ଏସୟୁଭି, ସେଦାନ ଓ ହ୍ୟାଚବ୍ୟାକ୍ ।
ଭାରତରେ ଟେସଲାର ପ୍ରବେଶ ବିଳମ୍ବିତ ହେଉଥିବାରୁ ତାହାର ସୁଯୋଗ ବିଓ୍ବାଇଡି ନେବାର ସମ୍ଭାବନା ରହିଛି । କାରଣ ବିଶ୍ବ ବଜାରରେ ଏହି ବ୍ରାଣ୍ଡ୍ ଟେସଲାର ଏକ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ଛିଡ଼ା ହୋଇଛି ।