ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ମାଧ୍ୟମରେ ଶିକ୍ଷାଦାନ ସେବା ପ୍ରଦାନ କରୁଥିବା ଦେଶର ଅଗ୍ରଣୀ ସଂସ୍ଥା ବାଇଜୁସ୍ କିଛି ମାସ ହେଲାଣି ଗୋଟିଏ ପରେ ଗୋଟିଏ କଂପାନି କିଣିବାରେ ବ୍ୟସ୍ତ ରହିଛି। ଚଳିତ ବର୍ଷ ଏପ୍ରିଲ୍ରେ ଆକାଶ ଏଜୁକେସନାଲ୍ ସର୍ଭିସେସ୍କୁ ୧୦୦ କୋଟି ଡଲାରରେ କିଣିବା ପରେ କିଛି ଦିନ ତଳେ ଏହା ଆମେରିକାର ଶିଶୁଙ୍କୁ ଶିକ୍ଷାଦାନ କରୁଥିବା ଡିଜିଟାଲ୍ ସଂସ୍ଥା ଏପିକ୍କୁ ୫୦୦ ନିୟୁତ ଡଲାରରେ କିଣିଥିଲା। ଏବେ ଏହା ଗ୍ରେଟ୍ ଲର୍ଣ୍ଣିଂ ଓ ଟପର୍ ନାମକ ଦୁଇଟି ସଂସ୍ଥାକୁ କିଣିଛି। ଗ୍ରେଟ୍ ଲର୍ଣ୍ଣିଂକୁ କିଣିବା ପାଇଁ ବାଇଜୁସ୍ ୬୦୦ ନିୟୁତ ଡଲାର ଦେଇଥିବା ବେଳେ ଟପର୍ ପାଇଁ ୧୫୦ ନିୟୁତ ଡଲାର ଖର୍ଚ୍ଚ କରିଛି। ୨୦୨୧ରେ ବାଇଜୁସ୍ ୬ଟି ସଂସ୍ଥା ଅଧିଗ୍ରହଣ କରିସାରିଲାଣି।
ଏଥିପାଇଁ ଏହା ୨୦୦ କୋଟି ଡଲାର ଖର୍ଚ୍ଚ କରିଛି। ଗ୍ରେଟ୍ ଲର୍ଣ୍ଣିଂକୁ ଅଧିଗ୍ରହଣ କରି ବାଇଜୁସ୍ କୌଶଳରେ ଉନ୍ନତି ଆଣିବା ଓ ପୁନଃ କୁଶଳୀ କରିବା କ୍ଷେତ୍ରରେ ପ୍ରବେଶ କରିଛି। ଗ୍ରେଟ୍ ଲର୍ଣ୍ଣିଂ ପକ୍ଷରୁ ଡାଟା ସାଇନ୍ସେସ୍, ଡିଜିଟାଲ୍ ମାର୍କେଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂ ଉପରେ ଡିଗ୍ରି, ଡିପ୍ଲୋମା ଓ ସାର୍ଟିଫିକେଟ୍ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଏଥିପାଇଁ ଏହି ସଂସ୍ଥା ବିଶ୍ବର ଅନେକ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ସହଯୋଗିତା ସ୍ଥାପନ କରିଛି। ଦୁଇଟି ନୂଆ କଂପାନି ଅଧିଗ୍ରହଣ କରିବା ସମ୍ପର୍କରେ ବାଇଜୁସ୍ର ପ୍ରତିଷ୍ଠାତା ବାଇଜୁ ରବିଚନ୍ଦ୍ରନ କହିଛନ୍ତି ଯେ ଆମେ ସାରା ବିଶ୍ବ ପାଇଁ ଏକ ବିଶାଳ ଏଡ୍ଟେକ୍ କଂପାନି ସୃଷ୍ଟି କରିବା ଲାଗି ସବୁ ପ୍ରକାର ସୁଯୋଗକୁ ହାସଲ କରିବା ପାଇଁ ଉଦ୍ୟମ କରୁଛୁ। କେବଳ ଭାରତ ନୁହେଁ ନୂଆ ନୂଆ ଅଧିଗ୍ରହଣ ଜରିଆରେ ବାଇଜୁସ୍ ଆମେରିକାରେ ମଧ୍ୟ ଏହାର ପରିସର ସମ୍ପ୍ରସାରଣ କରୁଛି।