ବେଦାନ୍ତର ନୂଆ ସିଇଓ ସି ଏନ୍‌ ସିଂ

ସମ୍ବଲପୁର : ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଲିମିଟେଡର ନୂତନ କାର୍ଯ୍ୟ ନିର୍ବ‌ାହୀ ଅଧିକାରୀ(ସିଇଓ) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଛବି ନାଥ ସିଂ। ଏହା ପୂର୍ବରୁ ସେ ପଞ୍ଜାବ ସ୍ଥିତ ତଲୱଣ୍ଡି ସାବୋ ପାୱାର ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ ଝାରସୁଗୁଡ଼ା ବେଦାନ୍ତର ସିଇଓ ଦାୟିତ୍ବରେ ଥିବା ଅଭିଜିତ ପତି ଛତିଶଗଡ଼ ବେଦାନ୍ତର ଭାରତ ଆଲୁମିନିୟମ ଲିମିଟେଡରେ ସିଇଓ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ଏହି ଅବସରରେ ଶ୍ରୀ ସିଂ ଗଣମାଧ୍ୟମକୁ ସୂଚନା ଦେଇ ଭାରତର ଅନ୍ୟତମ ବୃହତ୍‌ ଆଲୁମିନିୟମ ଓ ପାୱାର କମ୍ପ୍ଲେକ୍ସର ନେତୃତ୍ବ ନେଇ ରାଜ୍ୟ ତଥା ଦେଶର ଆର୍ଥିକ, ସାମାଜିକ ପ୍ରଗତିରେ ପଦକ୍ଷେପ ନେବାର ସୁଯୋଗ ପାଇବା ଗର୍ବର ବିଷୟ ବୋଲି କହିଛନ୍ତି। କମ୍ପାନି ଅଧ୍ୟକ୍ଷଙ୍କ ଲକ୍ଷ୍ୟକୁ ଆଖି ଆଗରେ ରଖି ସରକାର ଓ ହିତାଧିକାରୀଙ୍କ ସହ କାମ କରି ମେକ୍‌ ଇନ୍‌ ଓଡ଼ିଶା ଓ ମେକ୍‌ ଇନ୍‌ ଇଣ୍ଡିଆର ପ୍ରଗତିକୁ ମଜବୁତ କରିବାକୁ ଚେଷ୍ଟା କରିବେ ବୋଲି ମଧ୍ୟ ସେ କହିଛନ୍ତି। ଶ୍ରୀ ସିଂ ଗୁଡ଼ଗାଓଁସ୍ଥିତ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟରୁ ବିଜନେସ ମ୍ୟାନେଜମେଣ୍ଟରେ ଡିପ୍ଲୋମା ହାସଲ କରିଥିବା ବେଳେ ଭାରତୀୟ ବିଦ୍ୟୁତ୍‌ ଉଦ୍ୟୋଗ କ୍ଷେତ୍ରରେ ତାଙ୍କର ୪ ଦଶନ୍ଧୀରୁ ଊର୍ଦ୍ଧ୍ବ ବର୍ଷର ଅଭିଜ୍ଞତା ରହିଛି। ଦେଶର ପ୍ରମୁଖ ଶକ୍ତି ଉତ୍ପାଦନକାରୀ ସଂସ୍ଥା ଯଥା ହିନ୍ଦୁସ୍ଥାନ ଜିଙ୍କ୍‌, ଏସାର, ଜେଏସ୍‌ଡବ୍ଲ୍ୟୁ ଓ ଟିଏସ୍‌ପିଏଲରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର