ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଆଜି ୭ଟି ରେଳ ପ୍ରକଳ୍ପ, ୧୦ ହଜାର ନୂଆ ଇ-ବସ୍ କିଣିବା, ନୂଆ ବିଶ୍ବକର୍ମା ଯୋଜନା ଓ ଡିଜିଟାଲ୍ ଇଣ୍ଡିଆ ଯୋଜନାର ସମ୍ପ୍ରସାରଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଆଜିର ବୈଠକରେ ୩୨,୫୦୦ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ସେଥିରେ ଓଡ଼ିଶାର ଭଦ୍ରକ-ବିଜୟନଗରମ ସେକ୍ସନର ନିର୍ଗୁଣ୍ଡି-ବାରଙ୍ଗ(୩୨ କିମି) ଏବଂ ଖୋର୍ଦ୍ଧା ରୋଡ୍‌-ବିଜୟନଗରମ (୩୬୫ କିମି)ର ତୃତୀୟ ଲାଇନ୍‌ ନାମ ରହିଛି। ଏହି ପ୍ରକଳ୍ପରେ ୫୬୧୮.୨୬ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି।

Advertisment

ଓଡ଼ିଶା ରେଳ ପ୍ରକଳ୍ପ ଯୋଗୁଁ ତାଳଚେରରୁ ଦକ୍ଷିଣ ଭାରତକୁ ଘରୋଇ କୋଇଲା ପରିବହନ, ଇସ୍ପାତ କାରଖାନଗୁଡିକୁ ପାରାଦୀପ ଓ ଗୋପାଳପୁର ବନ୍ଦରରୁ କୋଇଲା ପରିବହନ ,ପାରାଦୀପ ବନ୍ଦରରୁ ସିମେଣ୍ଟ କାରଖାନା ପାଇଁ କଞ୍ଚାମାଲ ପରିବହନରେ ସୁବିଧା ହେବ। ଏଥି ସହିତ ଏକାଧିକ ଇସ୍ପାତ କାରଖାନାରୁ ଇସ୍ପାତର ରପ୍ତାନି ପାଇଁ ସୁବିଧା ହେବ। କେନ୍ଦୁଝରରୁ ଏକାଧିକ ବନ୍ଦରକୁ ଲୁହା ପଥର ପରିବହନ ତ୍ବରାନ୍ବିତ ହେବ। ଆଜି ମଞ୍ଜୁର କରାଯାଇଥିବା ୭ ରେଳ ପ୍ରକଳ୍ପ ଦ୍ବାରା ରେଳପଥରେ ୨୩୩୯ କିମି ବୃଦ୍ଧି ହେବ ଏବଂ ଏହା ଦ୍ବାରା ୯ଟି ରାଜ୍ୟର ଲୋକ ଉପକୃତ ହେବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବ କହିଛନ୍ତି। ଓଡିଶା ସମେତ ବିହାର, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ଝାଡଖଣ୍ଡ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ୩୫ଟି ଜିଲ୍ଲାରେ ଏହି ରେଳ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେବ।

୧୦,୦୦୦ ନୂଆ ଇ-ବସ୍ କିଣାହେବ
ସେପ୍ଟେମ୍ବର ୧୭ରୁ ବିଶ୍ବକର୍ମା ଯୋଜନା
ଡିଜିଟାଲ୍ ଇଣ୍ଡିଆ ପାଇଁ ୧୪,୯୦୩ କୋଟି

ସେହିପରି, ୧୦,୦୦୦ ନୂଆ ଇ-ବସ୍‌ କିଣା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଛି। ବସ୍‌ଗୁଡ଼ିକୁ କିଣିବା ଲାଗି ୫୭,୬୧୩ କୋଟି ଟଙ୍କା ବ୍ୟୟ କରାଯିବ। ଏଥିରୁ ୨୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। ଅବଶିଷ୍ଟ ରାଶି ରାଜ୍ୟଗୁଡ଼ିକ ଦେବେ। ଏବିଷୟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଇ-ବସ୍‌ଗୁଡ଼ିକ ୧୦୦ଟି ସହରରେ ଚାଲିବ। ତିନି ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ସହରଗୁଡ଼ିକରେ ଇ-ବସ୍‌ଗୁଡ଼ିକ ଚାଲିବ। ଯେଉଁ ସହରଗୁଡ଼ିକରେ ସଂଗଠିତ ବସ୍ ସେବାର ବ୍ୟବସ୍ଥା ନାହିଁ ଏହି ଯୋଜନାରେ ‌ସେହି ସହରଗୁଡ଼ିକୁ ଗୁରୁତ୍ବ ଦିଆଯିବ। ଘରୋଇ ସରକାରୀ ସହଭାଗିତାରେ ବସ୍‌ଗୁଡ଼ିକର କିଣାକିଣି ଓ ରକ୍ଷଣାବେକ୍ଷଣ କରାଯିବ। ଏହି ଯୋଜନା ୨୦୩୭ ପର୍ଯ୍ୟନ୍ତ ଜାରି ରହିବ। ‌କ୍ୟାବିନେଟ୍‌ରେ ମଞ୍ଜୁର ହୋଇଥିବା ବିଶ୍ବକର୍ମା ଯୋଜନା ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏହି ଯୋଜନାକୁ ୧୩-୧୫ ହଜାର କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରାଯିବ। ବଢ଼େଇ, ରାଜମିସ୍ତ୍ରୀ, ମୋଚି ଆଦି ପାରମ୍ପରିକ ଦକ୍ଷତା ରଖିଥିବା ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି କରିବା ଉପରେ ସେଥିରେ ଗୁରୁତ୍ବା‌ରୋପ କରାଯିବ। ଏହା ଦ୍ବାରା ଅନ୍ୟାନ୍ୟ ପଛୁଆ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ। ସେପ୍ଟେମ୍ବର ୧୭ ବିଶ୍ବକର୍ମା ଜୟନ୍ତୀରୁ ଏହି ଯୋଜନା ଆରମ୍ଭ ହେବ।

୨୦୧୫ରେ ଆରମ୍ଭ କରାଯାଇଥିବା ଡିଜିଟାଲ୍ ଇଣ୍ଡିଆ ଯୋଜନାର ସମ୍ପ୍ରସାରଣକୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଯୋଜନାକୁ ପାଞ୍ଚ ବର୍ଷ ଅର୍ଥାତ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ସେଥିରେ ୧୪,୯୦୩ କୋଟି ଟଙ୍କା ବ୍ୟୟ କରାଯିବ। କ୍ଷୁଦ୍ର ବ୍ୟବସାୟ, ସ୍କୁଲ, ହସ୍ପିଟାଲ୍‌ ଆଦି ପାଇଁ ସାଇବର୍‌ ନିରାପତ୍ତା ଟୁଲ୍‌ ବିକାଶ କରିବାର ଆବଶ୍ୟକତା ଥିବା ବେଳେ ତାହାକୁ ସୁଲଭ ମୂଲ୍ୟରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ପ୍ରୟାସ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ୬.୨୫ ଲକ୍ଷ ଆଇଟି ପ୍ରଫେସନାଲ୍ ଓ ୨.୬୫ ଲକ୍ଷ କର୍ମଚାରୀଙ୍କୁ ସୂଚନା ନିରାପତ୍ତା ଓ ଦକ୍ଷତାରେ ଉନ୍ନତି ତାଲିମ ପ୍ରଦାନ କରାଯିବ।