ସାର୍ବଜନୀନ ୱାଇ-ଫାଇ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି: ଦୋକାନୀ ଦେବେ ୱାଇ-ଫାଇ ସେବା

ନୂଆଦିଲ୍ଲୀ: ‌ଦେଶର କୋଣ ଅନୁକୋଣରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ସାର୍ବଜନୀନ ୱାଇ-ଫାଇ ନେଟ୍‌ୱର୍କ ସ୍ଥାପନ କରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ବ୍ୟବସ୍ଥାର ନାମ ରଖାଯାଇଛି ପିଏମ୍‌-ବାଣୀ। ଏହି ବ୍ୟବସ୍ଥା ପବ୍ଲିକ୍ ଡାଟା ଅଫିସ୍‌ (ପିଡିଓ), ପବ୍ଲିକ୍ ଡାଟା ଅଫିସ୍‌ ଏଗ୍ରିଗେଟର (ପିଡିଓଏ), ଆପ୍ ପ୍ରଦାନକାରୀ ଏବଂ ସେଣ୍ଟ୍ରାଲ୍ ରେଜିଷ୍ଟ୍ରି ଦ୍ବାରା ପରିଚାଳିତ ହେବ। ଏ ସମ୍ପର୍କରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଯେ ଦୋକାନୀମାନେ ୱାଇ-ଫାଇ ସେବା ଯୋଗାଇପାରିବେ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସର୍ବସାଧାରଣରେ ମାଗଣା ୱାଇ-ଫାଇ ପ୍ରତିଷ୍ଠା ହେବା ପାଇଁପି ଏମ୍‌-ୱାଣି ଆରମ୍ଭ ହେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ଜରିଆରେ ଲୋକମାନେ ବିନା କୌଣସି ଶୁଳ୍କରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପାଇପାରିବେ। ଏହା ଡିଜିଟାଲ୍ ସାକ୍ଷରତା ବଢ଼ାଇବ ଓ ଟେଲିକମ୍ ସେବାରେ ଉନ୍ନତି ଆଣିବ। ଶିକ୍ଷା, ଟେଲି ମେଡିସିନ୍, ଇ-ବାଣିଜ୍ୟ ଓ ଇ-ଶାସନ କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।

କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ପବ୍ଲିକ୍ ଡାଟା ଅଫିସ୍‌ଗୁଡ଼ିକ ୱାଣି ୱାଇ-ଫାଇ ହଟ୍‌ ସ୍ପଟ୍‌ ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବେ ଏବଂ ଗ୍ରାହକମାନଙ୍କୁ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ଯୋଗାଇ ଦେବେ। ଏଗ୍ରିଗେଟରମାନେ ଆକାଉଣ୍ଟିଂ ଓ ସ୍ବୀକୃତି ପ୍ରଦାନ କରିବା କାମ କରିବେ। ଆପ୍ ପ୍ରଦାନକାରୀମାନେ ଏଭଳି ଆପ୍ ଆଣିବେ ଯଦ୍ବାରା ଲୋକମାନେ ନିଜ ପାଖାପାଖି ଥିବା ପିଏମ୍‌-ୱାଣି ୱାଇ-ଫାଇ ହଟ୍‌ସ୍ପଟ୍‌ର ସନ୍ଧାନ କରିପାରିବେ ଏବଂ ତାହା ଜରିଆରେ ଇଣ୍ଟରନେଟ୍ ସୁବିଧା ପାଇପାରିବେ। ସେଣ୍ଟ୍ରାଲ୍‌ ରେଜିଷ୍ଟ‌୍ରିରେ ପିଡିଓ, ପିଡିଓଏ ଓ ଆପ୍ ପ୍ରଦାନକାରୀମାନଙ୍କ ସବୁ ତଥ୍ୟ ରହିବ। ଏହାକୁ ସି-ଡଟ୍ ପରିଚାଳନା କରିବ। ଟେଲିକମ୍ ବିଭାଗ ସହିତ ପଞ୍ଜୀକୃତ ହେବା ଲାଗି ଏହି ସଂସ୍ଥାଗୁଡ଼ିକୁ କୌଣସି ପ୍ରକାର ପଞ୍ଜୀକରଣ ଶୁଳ୍କ ଦେବାକୁ ପଡ଼ିବ ନାହି। ଆବେଦନ କରିବାର ୭ ଦିନ ଭିତରେ ପଞ୍ଜୀକରଣ ମଞ୍ଜୁରି ପ୍ରଦାନ କରାଯିବ। ସାର୍ବଜନୀନ ୱାଇ-ଫାଇ ଜରିଆରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବା ଲାଗି କୌଣସି ଲାଇସେନ୍ସ ଫି’ ଦେବାକୁ ପଡ଼ିବ ନାହିଁ। ଫଳରେ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀମାନେ ଏହା ଜରିଆରେ ଦେଶର କୋଣ ଅନୁକୋଣରେ ପହଞ୍ଚିପାରିବ।

ସମ୍ବନ୍ଧିତ ଖବର