ପଶୁପାଳନ ପାଇଁ ୧୫ ହଜାର କୋଟିର ପାଣ୍ଠି

ନୂଆଦିଲ୍ଲୀ : ପଶୁପାଳନ କ୍ଷେତ୍ରର ଭିତ୍ତିଭୂମି ବିକାଶ ଲାଗି ଗଠନ କରାଯାଇଥିବା ୧୫ ହଜାର କୋଟି ଟଙ୍କାର ପାଣ୍ଠିକୁ କ୍ୟାବିନେଟ୍‌ କମିଟି ମଞ୍ଜୁର କରିଛି। ଏହି ସ୍ବତନ୍ତ୍ର ପାଣ୍ଠିକୁ ବ୍ୟବହାର କରି ଦୁଗ୍ଧ, ମାଂସ ପ୍ରକ୍ରିୟାକରଣ ଏବଂ ପଶୁଖାଦ୍ୟ କାରଖାନାଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ। ଯେଉଁ ଘରୋଇ ସଂସ୍ଥା ଦୁଗ୍ଧ, କୁକୁଡ଼ା ପାଳନ ଏବଂ ମାଂସ ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରିବେ ସେମାନଙ୍କୁ ୩ ପ୍ରତିଶତ ପର୍ଯ୍ୟନ୍ତ ସୁଧ ରିହାତି ପ୍ରଦାନ କରାଯିବ। ଏହି ପାଣ୍ଠି ଦ୍ବାରା ଚାଷୀ ଉତ୍ପାଦକ ସଂଗଠନ (ଏଫ୍‌ପିଓ), ଏମ୍ଏସ୍‌ଏମ୍ଇ, ଧାରା ୮ କଂପାନି, ଘରୋଇ କଂପାନି ଏବଂ ଉଦ୍ୟୋଗୀମାନେ ଲାଭବାନ ହେବେ। ପ୍ରକଳ୍ପ ପାଇଁ ସେମାନେ କେବଳ ୧୦% ରାଶି ଦେବେ। ବଳକା ୯୦ ପ୍ରତିଶତ ରାଶିକୁ ସିଡ୍ୟୁଲଡ୍‌ ବ୍ୟାଙ୍କଗୁଡ଼ିକ ଋଣ ଆକାରରେ ପ୍ରଦାନ କରିବେ। ଏହି ପାଣ୍ଠି ଜରିଆରେ ଦେଶରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବା ସହ ରପ୍ତାନି ବଢ଼ିବ ଏବଂ ୩୫ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ସରକାର କହିଛନ୍ତି। ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ୍‌ର ଏହା ହେଉଛି ଏକ ଅଂଶ। ପ୍ରଥମ ଥର ପାଇଁ ଘରୋଇ କଂପାନିଗୁଡ଼ିକୁ ୩ ପ୍ରତିଶତର ସୁଧ ରିହାତିି ସୁବିଧା ଦିଆଯିବ।

ସମ୍ବନ୍ଧିତ ଖବର