ପ୍ରବାସୀ ଭାରତୀୟମାନେ ଏୟାର ଇଣ୍ଡିଆକୁ କିଣିପାରିବେ, ଏଫଡିଆଇ ନୀତି ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାକୁ ସଫଳ କରିବାକୁ କେନ୍ଦ୍ର ସରକାର ନିଜର ବିଦେଶୀ ପୁଞ୍ଜିନିବେଶ ନୀତିରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଦିନ ମଂଜୁରୀ ଦେଇଛି । ଏହି ସଂଶୋଧନ ପରେ ପ୍ରବାସୀ ଭାରତୀୟମାନେ ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ କିଣିପାରିବେ । ଏହା ଦ୍ୱାରା ଏୟାର ଇଣ୍ଡିଆ ସଂପୂର୍ଣ୍ଣ ଭାବେ ଏକ ଘରୋଇ କମ୍ପାନି ହୋଇପାରିବ ।
ବର୍ତ୍ତମାନ ଥିବା ଏଫଡିଆଇ ନୀତି ଅନୁସାରେ ବିମାନ ସେବା ଉଦ୍ୟୋଗ କ୍ଷେତ୍ରରେ ୧୦୦% ବିଦେଶୀ ପୁଞ୍ଜି ଆଣିହେବ । କିନ୍ତୁ ଏହି ନିୟମ ସରକାରୀ ମାଲିକାନାରେ ଥିବା ଏୟାର ଇଣ୍ଡିଆ ପ୍ରତି ଲାଗୁ ହେଉନଥିଲା । ଏୟାର ଇଣ୍ଡିଆରେ ସର୍ବାଧିକ ୪୯ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ଅନୁମତି ଦିଆଯାଉଥିଲା । ଏଫଡିଆଇ ନୀତିରେ ସଂଶୋଧନ ହେବା ପରେ ଭାରତୀୟ ନାଗରିକତା ରଖି ବିଦେଶରେ ବାସକରୁଥିବା ନିବେଶକମାନେ ଏୟାର ଇଣ୍ଡିଆକୁ କିଣିପାରିବେ । ଏଥିପାଇଁ ସରକାରୀ ଅନୁମତି ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ ।
ଏୟାର ଇଣ୍ଡିଆ ଗତ କିଛି ବର୍ଷ ହେଲା ପ୍ରବଳ କ୍ଷତି ସହୁଛି । ସରକାର ବାରମ୍ବାର ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପୁଞ୍ଜି ଭର୍ତ୍ତି କରିଥିଲେ ମଧ୍ୟ ସ୍ଥିତିରେ ଉନ୍ନତି ଦେଖାଯାଉନାହିଁ । ଏଥିପାଇଁ ଏୟାର ଇଣ୍ଡିଆକୁ ସଂପୂର୍ଣ୍ଣ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର