୪% ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିମନ୍ତେ ଖୁସି ଖବର । ମହଙ୍ଗାଭତ୍ତା ୪ ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଶୁକ୍ରବାରଦିନ ମଂଜୁରୀ ଦେଇଛି । ଅତିରିକ୍ତ କିସ୍ତି ଆକାରରେ ଏହା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବ । ଦରଦାମ ବୃଦ୍ଧିର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କୁ ସରକାର ଏହି ସୁବିଧା ଦେଇଛନ୍ତି । ୨୦୨୩ ଜାନୁଆରି ପହିଲାରୁ ଏହା ପ୍ରଦାନ କରାଯିବ। ଏହା ସହିତ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି।

ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରାଯାଇଛି। ଏଥିପାଇଁ ସରକାର ୧୨,୮୧୫ ଟଙ୍କା ଖର୍ଚ୍ଚ କରିବେ। ମହଙ୍ଗା ଭତ୍ତା ୩୮%ରୁ ୪୨%କୁ ବୃଦ୍ଧି କରାଯାଇଛି। ୨୦୨୩ ଜାନୁଆରି ପହିଲାରୁ ଏହା ପିଛିଲା ଭାବେ କାର୍ଯ୍ୟକାରୀ ହେବ  ବୋଲି ସେ କହିଛନ୍ତି ।

ବଢୁଥିବା ଦରଦାମର ମୁକାବିଲା କରିବା ପାଇଁ ସରକାର ନିଜ କର୍ମଚାରୀଙ୍କୁ ଡିଏ ରିହାତି ଏବଂ ପେନସନଭୋଗୀଙ୍କୁ ମୁଦ୍ରାସ୍ଫୀତି ରିହାତି ଦେଇଛନ୍ତି । ଶିଳ୍ପ ଶ୍ରମିକମାନଙ୍କ ପାଇଁ ଥିବା ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ-ଆଇଡବ୍ଲୁ) ଆଧାରରେ ଏହା ଗଣନା କରାଯାଏ ।

ସମ୍ବନ୍ଧିତ ଖବର