ୟେସ ବ୍ୟାଙ୍କ ଉପରେ ଲାଗୁ କଟକଣା ଖୁବଶୀଘ୍ର ଉଠିବ : ସୀତାରମଣ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ୟେସ ବ୍ୟାଙ୍କ ପୁନର୍ଗଠନ ଯୋଜନାକୁ ମଂଜୁରୀ ଦେଇଛନ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ମଂଜୁରୀ ଦିଆଯାଇଛି । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜମାକାରୀ ଓ ନିବେଶକଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ସ୍କିମ ପ୍ରସ୍ତୁତ କରାଯାଇଛି । ସରକାର ଖୁବଶୀଘ୍ର ଏହି ପୁନର୍ଗଠନ ସଂପର୍କରେ ବିଜ୍ଞପ୍ତି ଜାରି କରିବେ ଓ ବିଜ୍ଞପ୍ତିର ୩ ଦିନ ମଧ୍ୟରେ ୟେସ ବ୍ୟାଙ୍କ ଉପରେ ଲାଗିଥିବା କଟକଣା ଉଠାଇଦିଆଯିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଷ୍ଟେଟ ବ୍ୟାଙ୍କ ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ ଅଧିକାର କରିବ । ସେହିପରି ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଅଂଶଧନ ଖରିଦ ପାଇଁ ପ୍ରସ୍ତାବ ଦେଇଛନ୍ତି ।

ରିଜର୍ଭ ବ୍ୟାଙ୍କ ଗତ ୫ ତାରିଖରେ ଆର୍ଥିକ ସଂକଟରେ ପଡ଼ିଥିବା ୟେସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗିଦେବା ସହ ଜମାକାରୀଙ୍କ ପାଇଁ ମାସିକ ଜମା ଉଠାଣକୁ ୫୦ହଜାର ଟଙ୍କା ମଧ୍ୟରେ ସୀମିତ ରଖିଥିଲେ । ଏହା ସହିତ ବ୍ୟାଙ୍କ କୌଣସି ନୂଆ ଋଣ ଦେଇପାରିବେ ନାହିଁ କିମ୍ବା ନୂଆ ନିବେଶ କରିପାରିବେ ନାହିଁ ବୋଲି କଟକଣା ଲାଗୁ କରିଥିଲେ । ଏହା ପରେ କେନ୍ଦ୍ର ଅର୍ଥମନ୍ତ୍ରାଳୟର ପରାମର୍ଶକ୍ରମେ ରିଜର୍ଭ ବ୍ୟାଙ୍କ ଏକ ପୁନର୍ଗଠନ ଯୋଜନା ଘୋଷଣା କରିଥିଲେ । ଏହି ସ୍କିମ ଅନୁସାରେ ୟେସ ବ୍ୟାଙ୍କର ପୁନର୍ଗଠନ ପ୍ରକ୍ରିୟା ପାଇଁ ଆଗେଇ ଆସିବାକୁ ବ୍ୟାଙ୍କମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା ।

ସମ୍ବନ୍ଧିତ ଖବର