ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍ଡାଉନ୍ ପ୍ରଭାବରେ ଅର୍ଥନୀତିରେ ହୋଇଥିବା କ୍ଷତିକୁ ଭରଣା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ ଅଭିଯାନ’ ଘୋଷଣା କରିଥିଲେ ତାହାର ଅଧିକାଂଶ ଭାଗକୁ ଆଜି କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟଶସ୍ୟ ଦେବାଠାରୁ ଆରମ୍ଭ କରି ଅନ୍ୟ ଛଅଟି ପଦକ୍ଷେପକୁ ମଧ୍ୟ କ୍ୟାବିନେଟ୍ର ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଲାଗି ଘୋଷଣା କରାଯାଇଥିବା ସ୍କିମ୍କୁ ଅନୁ ମୋଦନ ପ୍ରଦାନ କରାଯାଇଛି।
ଏମ୍ଏସ୍ଏମ୍ଇଗୁଡ଼ିକୁ ୯.୨୫% ସୁଧରେ ଋଣ ମିଳିବ
ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟଶସ୍ୟ ପାଇଁ ୩୧୦୯ କୋଟିର ସବ୍ସିଡି
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୦,୦୫୦ କୋଟି
ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନାର ମହଲତ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି
ଲଘୁ ଖାଦ୍ୟ ପ୍ରକ୍ରିୟାକରଣ ସ୍କିମ୍ ପାଇଁ ୧୦,୦୦୦ କୋଟି
ଏନ୍ବିଏଫ୍ସି ପାଇଁ ସ୍ବତନ୍ତ୍ର ଲିକ୍ବିଡିଟି ସ୍କିମ୍
ଏହା ଅଧୀନରେ ଏମ୍ଏସ୍ଏମ୍ଇଗୁଡ଼ିକ ବ୍ୟାଙ୍କ ଠାରୁ ୯.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାରରେ ନିଶ୍ଚିତ ଜରୁରୀକାଳୀନ ଋଣ ହାସଲ କରିପାରିବେ। ସେମାନେ ଅତିରିକ୍ତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ହାସଲ କରିପାରିବେ। ଏନ୍ବିଏଫ୍ସି, ହାଉସିଂ ଫାଇନାନ୍ସ ବ୍ୟାଙ୍କ ପାଇଁ ଘୋଷଣା କରାଯାଇଥିବା ୩୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଲିକ୍ବିଡିଟି ସ୍କିମ୍କୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏଥିପାଇଁ ସ୍ପେସିଆଲ୍ ପରପସ୍ ଭେଇକିଲ୍ (ଏସ୍ଭିପି) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଦେବା ଲାଗି ୩୧୦୯.୫୨ କୋଟି ଟଙ୍କାର ସବ୍ସିଡି ରାଶି ମଞ୍ଜୁର କରାଯାଇଛି। ଲଘୁ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକୁ ସଂଗଠିତ କରିବା ଲାଗି ଘୋଷଣା ହୋଇଥିବା ୧୦ ହଜାର କୋଟି ଟଙ୍କାର ସ୍କିମ୍କୁ ମଧ୍ୟ ଆଜିର ବୈଠକରେ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନାର ଅବଧିକୁ ଆଉ ତିନି ବର୍ଷ ବଢ଼ାଇ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଲାଗି ୨୦,୦୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।