ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୧-୨୨ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧିକୁ ମଞ୍ଜୁର କରାଯାଇଛି। ସେସାମମ୍ର କ୍ବିଣ୍ଟାଲ୍ ପିଛା ଦାମ୍ ସର୍ବାଧିକ ୪୫୨ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ହରଡ଼ ଓ ବିରି ମୂଲ୍ୟ କ୍ବିଣ୍ଟାଲ୍ ପିଛା ୩୦୦ ଟଙ୍କା ଲେଖାଏଁ ବଢ଼ିଛି। ବାଦାମର ଏମ୍ଏସ୍ପି ୨୭୫ ଟଙ୍କା ବଢ଼ିଥିବା ବେଳେ ନାଇଜର୍ ମଞ୍ଜି ମୂଲ୍ୟରେ ୨୩୫ ଟଙ୍କା ବୃଦ୍ଧି କରାଯାଇଛି।
ଖରିଫ ଋତୁ ଲାଗି ସାଧାରଣ ଧାନର କ୍ବିଣ୍ଟାଲ୍ ପିଛା ଏମ୍ଏସ୍ପି ୭୨ ଟଙ୍କା ବଢ଼ାଇ ୧୯୪୦ ଟଙ୍କା କରାଯାଇଥିବା ବେଳେ ଗ୍ରେଡ୍ ଏ ମାନର ଧାନ ମୂଲ୍ୟ ୧୯୬୦ ଟଙ୍କା, ହାଇବ୍ରିଡ୍ ଯଅ ଦାମ୍ ୨୭୩୮ ଟଙ୍କା, ମାଲଦାନ୍ଦୀ ଯଅ ମୂଲ୍ୟ ୨୭୫୮ ଟଙ୍କା ଓ ବାଜରାର ଏମ୍ଏସ୍ପି ୨୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଗିର କ୍ବିଣ୍ଟାଲ୍ ପିଛା ଦାମ୍ ୩୩୭୭ ଟଙ୍କା, ମକା ଦାମ୍ ୧୨୪୬ ଟଙ୍କାକୁ ବୃଦ୍ଧି ପାଇଛି। ହରଡ଼ର କ୍ବିଣ୍ଟାଲ୍ ପିଛା ଏମ୍ଏସ୍ପି ୬୩୦୦ ଟଙ୍କା, ମୁଗର ୭୨୭୫ ଟଙ୍କା, ବିରିର ୬୩୦୦ ଟଙ୍କା, ବାଦାମର ୫୫୦ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି ମୂଲ୍ୟ ୬୦୧୫ ଟଙ୍କା, ସୋୟାବିନ୍ ଦାମ୍ ୩୯୫୦ ଟଙ୍କା, ସେସାମମ୍ ଦାମ୍ ୭୩୦୭ ଟଙ୍କା, ନାଇଜର୍ ମଞ୍ଜି ଦାମ୍ ୬୯୩୦ ଟଙ୍କା, ମଧ୍ୟମ କପା ମୂଲ୍ୟ ୫୭୨୬ ଟଙ୍କା ଓ ଲମ୍ବା କପା ମୂଲ୍ୟକୁ ୬୦୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ସବୁ ଫସଲ ଚାଷ ବେଳେ ଲାଗୁ ଥିବା ଶ୍ରମିକ ମଜୁରି, ବଳଦ ଗାଡ଼ି ଓ ମେସିନ ବ୍ୟବହାର ଭଡ଼ା, ଜମି ଲିଜ୍ ବାବଦ ଭଡ଼ା, ବିହନ, ସାର, ଜଳସେଚନ ଆଦି ପାଇଁ ଦିଆଯାଉଥିବା ଭଡ଼ା, କାର୍ଯ୍ୟକାରୀ ପୁଞ୍ଜି ଉପରେ ସୁଧ, ଡିଜେଲ୍ ଓ ବିଦ୍ୟୁତ ଖର୍ଚ୍ଚ ଆଦିକୁ ବିଚାରକୁ ନିଆଯାଇ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ କରାଯାଇଛି। ଚାଷୀମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ଲାଗି ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣା ଏମ୍ଏସ୍ପି ଦେବା ଲାଗି ୨୦୧୮-୧୯ ବଜେଟ୍ରେ ଯେଉଁ ଘୋଷଣା ହୋଇଥିଲା ସେହି ଅନୁସାରେ ଏହି ମୂଲ୍ୟ ନିର୍ଧାରଣ କରାଯାଇଛି।
ରେଳବାଇକୁ ମିଳିଲା ୫ଜି ସ୍ପେକ୍ଟ୍ରମ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେଳବାଇକୁ ୭୦୦ ମେଗାହର୍ଜ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ରେ ୫ ମେଗାହର୍ଜ ୫ଜି ସ୍ପେକ୍ଟ୍ରମ୍ ଆବଣ୍ଟନ କରିଛନ୍ତି। ଏହା ଦ୍ବାରା ଷ୍ଟେସନ ଓ ଟ୍ରେନ୍ର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇବ। ଏହି ସ୍ପେକ୍ଟ୍ରମ୍ ଜରିଆରେ ରେଳବାଇ ଏହାର ରୁଟ୍ରେ ମୋବାଇଲ୍ ଟ୍ରେନ୍ ରେଡିଓ କମ୍ୟୁନିକେସନ୍ କାର୍ଯ୍ୟକାରୀ କରିପାରିବ। ଏହି ପ୍ରକଳ୍ପରେ ୨୫,୦୦୦ କୋଟି ଟଙ୍କା ନିବେଶ ହେବ। ଏହି ପ୍ରକଳ୍ପ ୫ ବର୍ଷରେ ସମ୍ପୂର୍ଣ୍ଣ ହେବ। ଏହା ବ୍ୟତୀତ ରେଳବାଇ ପକ୍ଷରୁ ଟ୍ରେନ୍ ଦୁର୍ଘଟଣା ଏଡ଼ାଇବା ବ୍ୟବସ୍ଥାକୁ ମଞ୍ଜୁର କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ଟ୍ରେନ୍ ଦୁର୍ଘଟଣା ହ୍ରାସ ପାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dal.jpg)