ଭୁବନେଶ୍ବର: ରାଜ୍ୟକୁ ଶିଳ୍ପ କ୍ଷେତ୍ରରେ ଆହୁରି ସମୃଦ୍ଧ କରିବା ଲକ୍ଷ୍ୟ ନେଇ କ୍ୟାବିନେଟ୍ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା କ୍ଷୁଦ୍ର ଉଦ୍ୟୋଗଠାରୁ ଆରମ୍ଭ କରି ବୃହତ ଉଦ୍ୟୋଗ, ଷ୍ଟାର୍ଟଅପ୍ ଓ ବାୟୋଟେକ୍ନୋଲୋଜି କମ୍ପାନିଗୁଡ଼ିକ ଉପକୃତ ହେବେ। ରାଜ୍ୟରେ ଶିଳ୍ପ କାରଖାନା ସ୍ଥାପନ କରିବାକୁ ଚାହୁଥିବା ସଂସ୍ଥାଗୁଡ଼ିକୁ ଷ୍ଟାମ୍ପ୍ ଡ୍ୟୁଟି ଓ ଜମିର କିସମର ପରିବର୍ତ୍ତନ ଦେୟ ଫେରସ୍ତ ପାଇବାର ବିକଳ୍ପ ମିଳିବ। ରାଜ୍ୟ ଶିଳ୍ପ ନୀତି ୨୦୨୨ରେ ଏନେଇ କରାଯାଇଥିବା ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଶିଳ୍ପ ନୀତିରେ ହୋଇଥିବା ପରିବର୍ତ୍ତନ ଦ୍ବାରା ଶିଳ୍ପଗୁଡ଼ିକ ଜମି ଶୀଘ୍ର ପଞ୍ଜୀକରଣ ପାଇଁ ଷ୍ଟାମ୍ପ୍ ଡ୍ୟୁଟି ଦେଇପାରିବେ ଏବଂ ପରବର୍ତ୍ତୀ ସମୟରେ ଶିଳ୍ପ କାର୍ଯ୍ୟକ୍ଷମ ହେବା ପରେ ଦାବି କରି ତାହାକୁ ଫେରସ୍ତ ପାଇପାରିବେ। ଯେଉଁ ନିବେଶକମାନେ ଛାଡ଼ ପ୍ରମାଣପତ୍ରକୁ ଅପେକ୍ଷା ନକରି ଶୀଘ୍ର ପଞ୍ଜୀକରଣ କରି ଠିକ୍ ସମୟରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ଏହା ସହାୟକହେବ। ସେହିପରି ଜମିର କିସନ ପରିବର୍ତ୍ତନ ଫି’ ଫେରସ୍ତ ବିକଳ୍ପ ରହିଲେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ଏବଂ ତାହା କାର୍ଯ୍ୟକ୍ଷମ ହେବା ପରେ ଫି’ ଫେରସ୍ତ ପାଇଁ ଦାବି କରାଯାଇପାରିବ। ଅନ୍ୟ ପକ୍ଷରେ ଶିଳ୍ପ ନୀତିରେ ଦିଆଯାଉଥିବା ପ୍ରୋତ୍ସାହନକୁ ଏସ୍ଇଜେଡ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।
ଆଜିର ବୈଠକରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ଓଡ଼ିଶା ପ୍ରକ୍ୟୁରମେଣ୍ଟ୍ ଅଗ୍ରାଧିକାର ନୀତି ୨୦୨୩କୁ ମଧ୍ୟ ମଞ୍ଜୁର କରାଯାଇଛି। ଏହା ସମସ୍ତ ରାଜ୍ୟ ସରକାରୀ ପ୍ରତିଷ୍ଠାନ ପାଇଁ ଲାଗୁ ହେବ। ଯେଉଁ ସଂସ୍ଥା ଓ ଷ୍ଟାର୍ଟଅପ୍ର ବାର୍ଷିକ କାରବାର ୫୦ କୋଟି ଟଙ୍କାରୁ କମ୍ ସେମାନେ ଏହି ନୀତିର ଲାଭ ପାଇପାରିବେ। ଏହି ନୀତିରେ ଏକ ‘ସ୍ବତନ୍ତ୍ର ତାଲିକା’ର ବ୍ୟବସ୍ଥା ରହିଛି। ରାଜ୍ୟର ଉଦ୍ୟୋଗଗୁଡ଼ିକର ଉତ୍ପାଦନ କରୁଥିବା ସାମଗ୍ରୀଗୁଡ଼ିକୁ ସେହି ତାଲିକାରେ ଯୋଡ଼ାଯିବ। ରାଜ୍ୟ ସରକାରୀ ପ୍ରତିଷ୍ଠାନଗୁଡ଼ିକ ସେହି ତାଲିକାରୁ ଆନ୍ତଃ ରାଜ୍ୟ ଟେଣ୍ଡର ପ୍ରକ୍ରିୟା ଜିନିଷ କିଣିବାକୁ ବାଧ୍ୟତାମୂଳକ କରାଯାଇଛି। ସ୍ବତନ୍ତ୍ର ତାଲିକା ବାହାରେ ଥିବା ଜିନିଷକୁ ଖୋଲା ଟେଣ୍ଡର ଜରିଆରେ କିଣାଯାଇପାରିବ। ଏହି ନୀତିର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ରାଜ୍ୟର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆନ୍ତଃ ରାଜ୍ୟ ଓ ଖୋଲା ଟେଣ୍ଡର ପ୍ରକ୍ରିୟା ପାଇଁ ଟେଣ୍ଡର କାଗଜପତ୍ର ଓ ଇଏମ୍ଡି ମୂଲ୍ୟରୁ ମୁକ୍ତ କରାଯାଇଛି। ଆନ୍ତଃରାଜ୍ୟ ଟେଣ୍ଡରରେ ସେମାନଙ୍କ ପାଇଁ ବାର୍ଷିକ ବ୍ୟବସାୟ ମାନଦଣ୍ଡ କୋହଳ କରାଯାଇଛି। ଖୋଲା ଟେଣ୍ଡରରେ ବାର୍ଷିକ କାରବାର ମାନଦଣ୍ଡ ୯୦ ପ୍ରତିଶତ କୋହଳ କରାଯାଇଛି। ଖୋଲା ଟେଣ୍ଡରରେ କ୍ଷୁଦ୍ର ଶିଳ୍ପଗୁଡ଼ିକ ପ୍ରଦର୍ଶନ ସୁରକ୍ଷା ଜମା ଉପରେ ୭୫% ରିହାତି ପାଇବେ। ଅତୀତ କାର୍ଯ୍ୟ ଅଭିଜ୍ଞତା ମାନଦଣ୍ଡରୁ ସେମାନଙ୍କୁ ମୁକ୍ତ କରାଯାଇଛି।
ଅନ୍ୟପକ୍ଷରେ, ଆଜିର କ୍ୟାବିନେଟ୍ ବୈଠକରେ ଓଡ଼ିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪କୁ ମଞ୍ଜୁର କରାଯାଇଛି। ବାୟୋଟେକ୍ ପାର୍କ ବିକାଶ ଲାଗି ଘରୋଇ କମ୍ପାନି ଓ ରାଜ୍ୟ ଏଜେନ୍ସିକୁ ସହାୟତା ମିଳିବ। ପ୍ଲାଣ୍ଟ ଓ ମେସିନ ନିବେଶ ଉପରେ ସବ୍ସିଡି ଦିଆଯିବ। ବୃହତ ବାୟୋଟେକ୍ନୋଲୋଜି ୟୁନିଟ୍ ପାଇଁ ସପ୍ଟ ଲୋନ୍ ସହାୟତା ମିଳିବ। ପ୍ରଯୁକ୍ତି ଅଧିଗ୍ରହଣ ପାଇଁ ସବ୍ସିଡି ମିଳିବ। ରାଜ୍ୟରେ ଥିବା ବାୟୋଟେକ୍ ୟୁନିଟ୍ଗୁଡ଼ିକରେ ପେଟେଣ୍ଟ, ଜିଆଇ, ଟ୍ରେଡ୍ମାର୍କ ଓ ଡିଜାଇନ ପଞ୍ଜୀକରଣ ପାଇଁ ଦେୟ ଦିଆଯିବ। ଯୋଗ୍ୟ ଷ୍ଟାର୍ଟଅପ୍ଗୁଡ଼ିକୁ ଜାତୀୟ ଓ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଆର୍ଥିକ ସହାୟତା ପ୍ରଦାନ କରାଯିବ। ରାଜ୍ୟରେ ଏକ ବାୟୋଟେକ୍ନୋଲୋଜି ନିର୍ଦ୍ଦେଶାଳୟ ଗଠନ କରାଯିବ। ସରକାର ଏକ ଓଡ଼ିଶା ବାୟୋଟେକ୍ନୋଲୋଜି ଭିଜନ ଗ୍ରୁପ୍ ଗଠନ କରିବେ ଯେଉଁଥିରେ ଶିକ୍ଷା, ଗବେଷଣା, ଶିଳ୍ପ, ନୀତି, ପ୍ରଶାସନ, ଅର୍ଥ, ମାର୍କେଟିଂ କ୍ଷେତ୍ରର ବିଶେଷଜ୍ଞ ଓ ପେସାଦାରମାନଙ୍କୁ ସାମିଲ କରାଯିବ।