ଭୁବନେଶ୍ବର: ରାଜ୍ୟର ପ୍ରମୁଖ ସୂଚନା ପ୍ରଯୁକ୍ତି ଆପ୍ଲିକେସନ୍‌ ଆଇଏଫ୍ଏମ୍‌ଏସ୍‌ର ୩.୦ ସଂସ୍କରଣ ପାଇଁ ଟିସିଏସ୍‌ ଦାଖଲ କରିଥିବା ବିଡ୍‌କୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଟିସିଏସ୍‌ ୨୯୦.୬୬ କୋଟି ଟଙ୍କାର ବିଡ୍‌ ଦାଖଲ କରିଥିଲା। ଏହା ୧୦୦ କୋଟି ଟଙ୍କାରୁ ଅଧିକର ପ୍ରସ୍ତାବ ହୋଇଥିବାରୁ ତାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟିରେ ଉପସ୍ଥାପନ କରାଯାଇଥିଲା। କମିଟି ସେହି ପ୍ରସ୍ତାବକୁ ମଞ୍ଜୁର କରିଛି।
୨୦୧୮ରେ ଆଇଏଫ୍‌ଏମ୍‌ଏସ୍‌ ୨.୦ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହାକୁ ଟିସିଏସ୍‌ ବିକାଶ କରିଥିଲା। ଟିସିଏସ୍‌ର ଚୁକ୍ତି ଅବଧି ଚଳିତ ବର୍ଷ ଏପ୍ରିଲ୍‌ ୩୦ରେ ଶେ‌ଷ ହୋଇଥିଲା। ‘ଲଘୁ ସେବା’ ଢାଞ୍ଚା ବ୍ୟବହାର କରି ସରକାର ଆଇଏଫ୍‌ଏମ୍‌ଏସ୍‌ ୩.୦ ବିକାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଏମ୍‌ଏସ୍‌ଟିସି ୱେବସାଇଟ୍‌ରେ ୨୦୨୫ ମାର୍ଚ୍ଚ ୧୫ରେ ଟେଣ୍ଡର ଆହ୍ବାନ କରାଯାଇଛି। ଚଳିତ ବର୍ଷ ଏପ୍ରିଲ୍‌ ୪ରେ ବିଡ୍‌ ଖୋଲାଯିବା ପରେ କେବଳ ଟିସିଏସ୍‌ ବିଡ୍ ଦାଖଲ କରିଥିବା ଜଣାପଡ଼ିଥିଲା। କମ୍ପାନିର ଉଭୟ ବୈଷୟିକ ଓ ଆର୍ଥିକ ବିଡ୍‌କୁ ଗ୍ରହଣ କରାଯାଇଥିଲା। 
ସେହିପରି, ବୁଧବାରର କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶା ସେମିକଣ୍ଡକ୍ଟର ବିନିର୍ମାଣ ଓ ଫ୍ୟାବ୍‌ଲେସ୍‌ ନୀତି-୨୦୨୩ରେ ଦ୍ବିତୀୟ ସଂଶୋଧନକୁ ମଞ୍ଜୁର କରାଯାଇଛି। ନୀତିରେ ୧୬ଟି ପରିବର୍ତ୍ତନ କରାଯାଇଛି। ପ୍ରତ୍ୟେକ ବର୍ଗର ପ୍ରଥମ କିଛି ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍, ବର୍ଦ୍ଧିତ କାର୍ଯ୍ୟଦକ୍ଷତା ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ), ସ୍ଥାନାନ୍ତର ସମର୍ଥନ, ସେମିକଣ୍ଡକ୍ଟର ପାର୍କ ବିକାଶକାରୀମାନଙ୍କୁ ପ୍ରୋତ୍ସାହନ, ଗବେଷଣା ଓ ବିକାଶ ଏବଂ ଦକ୍ଷତା ବିକାଶ ଭଳି ବ୍ୟବସ୍ଥାକୁ ନୀତିରେ ସାମିଲ କରାଯାଇଛି। ସେମିକଣ୍ଡକ୍ଟର ‌କ୍ଷେତ୍ରରେ ଆର୍‌ଆଇଆର୍‌ ପାୱାର ଇଲେ‌କ୍ଟ୍ରୋନିକ୍ସ ଲିମିଟେଡ୍‌, ଏସ୍‌ଆଇସିସେମ୍‌ ପ୍ରାଇଭେଟ୍ ଲିମିଟେଡ୍‌ ଓ ହେଟେରୋଜେନିୟସ୍ ଇଣ୍ଟିଗ୍ରେଟେଡ୍‌ ପ୍ୟାକେଜିଂ ସିଷ୍ଟମ୍‌ସ ଭଳି କମ୍ପାନିର ପ୍ରସ୍ତାବ ପୂର୍ବରୁ ମଞ୍ଜୁର ହୋଇସାରିଛି।