ନୂଆଦିଲ୍ଲୀ: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍କେଭିଓ୍ଵାଇ) ଆଗାମୀ ତିନି ବର୍ଷ (୨୦୧୯-୨୦୨୦ ପର୍ଯ୍ୟନ୍ତ) ଆର୍କେଭିିଓ୍ଵାଇ-ରେମୁନରେଟିଭ୍ ଆପ୍ରୋଚେସ୍ ଫର୍ ଏଗ୍ରିକଲ୍ଚର୍ ଆଣ୍ଡ୍ ଆଲାଏଡ୍ ସେକ୍ଟର ରିଜୁଭେନେସନ୍ (ରଫତାର୍) ନାମରେ ଜାରି ରହିବ। ଏହି ଯୋଜନା ପାଇଁ ୧୫,୭୨୨ କୋଟି ଟଙ୍କା ଆବଣ୍ଟନ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି।
କୃଷକଙ୍କ ପ୍ରୟାସକୁ ସୁଦୃଢ଼ କରିବା, କୃଷିକୁ ଏକ ଲାଭଜନକ ଅର୍ଥନୈତିକ ଗତିବିଧିରେ ପରିଣତ କରିବା, କୃଷିଜନିତ କ୍ଷତି ହ୍ରାସ କରିବା ଏବଂ କୃଷି ବ୍ୟବସାୟ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେବ। ରାଜ୍ୟଗୁଡ଼ିକୁ ଏହି ଯୋଜନାରେ ୯୦:୧୦ ଅନୁପାତରେ ପାଣ୍ଠି ଆବଣ୍ଟନ କରାଯିବ। ଯୋଜନାରେ ବାର୍ଷିକ ୭୦% ଅର୍ଥରାଶି ଭିତ୍ତିଭୂମି ବିକାଶ ଏବଂ ଉତ୍ପାଦନ ବଢ଼ାଇବା ପାଇଁ ପ୍ରଦାନ କରାଯିବ। କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରକୁ ଅଧିକ ପାଣ୍ଠି ଆବଂଟନ ଲାଗି ଏହା ରାଜ୍ୟଗୁଡ଼ିକୁ ସକ୍ଷମ କରିବ। ଗୁଣବତା ଯୋଗାଣ, ବଜାର ସୁବିଧା ଭଳି କୃଷି ଭିତିଭୂମି ନିର୍ମାଣ ଜରିଆରେ ଏହା କୃଷକଙ୍କ ପ୍ରୟାସକୁ ସୁଦୃଢ଼ କରିବ । ଆହୁରି ମଧ୍ୟ ଏହା କୃଷି-ଉଦ୍ୟୋଗକୁ ପ୍ରୋତ୍ସାହନ ଦେବ ଏବଂ କୃଷକମାନଙ୍କୁ ସର୍ବାଧିକ ରିଟର୍ଣ୍ଣ ଦେଉଥିବା ବ୍ୟବସାୟିକ ମଡେଲର ସହାୟତା ଦେବ ।
ବକେୟା ସାର ସବ୍ସିଡି ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା
ନୂଆଦିଲ୍ଲୀ: ସାର କଂପାନିଗୁଡ଼ିକର ବକେୟା ସବ୍ସିଡି ପ୍ରଦାନ କରିବା ନିମନ୍ତେ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ସାର ବିଭାଗର ଏହି ପ୍ରସ୍ତାବକୁ ପିଛିଲା ଭାବେ ଅନୁମୋଦନ କରାଯାଇଛି। ଭବିଷ୍ୟତରେ ଏସ୍ବିଏ ସୁବିଧାକୁ ବ୍ୟୟ ବିଭାଗର ଅନୁମତିରେ ସାର ବିଭାଗ ପାଇପାରିବ ବୋଲି କ୍ୟାବିନେଟ୍ କମିଟି ଅନୁମୋଦନ କରିଛନ୍ତି। ସରକାରଙ୍କ ଦ୍ୱାରା ବକେୟା ସବ୍ସିଡି ବିଲ୍ର ସମାଧାନ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁୁ ୯୯୬୯ କୋଟି ଟଙ୍କା ଋଣ ଅଣାଯାଇଥିଲା।
ଇଥାନଲ୍ର ଲିଟର ପିଛା ଦର ୪୦ ଟଙ୍କା ୮୫ ପଇସା
ନୂଆଦିଲ୍ଲୀ ପେଟ୍ରୋଲ୍ରେ ମିଶ୍ରଣ କରାଯାଉଥିବା ଇଥାନଲ୍ ମୂଲ୍ୟରେ ସଂଶୋଧନ କରାଯାଇଛି। ୨୦୧୭-୧୮ ଚିନି ଋତୁ ପାଇଁ ଲିଟର ପିଛା ଇଥାନଲ୍ର ମୂଲ୍ୟ ୪୦ ଟଙ୍କା ୮୫ ପଇସା ଧାର୍ଯ୍ୟ କରାଯାଇଛି। ଏହା ଉପରେ ଜିଏସ୍ଟି ଏବଂ ଅନ୍ୟାନ୍ୟ ପରିବହନ ଦର ମଧ୍ୟ ଲାଗୁ କରାଯିବ। ଚଳିତ ବର୍ଷ ଡିସେମ୍ବର ୧ରୁ ଆସନ୍ତା ବର୍ଷ ନଭେମ୍ବର ୩୦ ପର୍ଯ୍ୟନ୍ତ ଯୋଗାଣ କରାଯିବାକୁ ଥିବା ଇଥାନଲ୍ ଉପରେ ଏହି ନୂତନ ଦର ଲାଗୁ କରାଯିବ। ଆଜି କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।