ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍ୟୁ)ଗୁଡ଼ିକରେ ସରକାରୀ ଅଂଶଧନ ପରିମାଣ ୨୬% ପର୍ଯ୍ୟନ୍ତ ଖସାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏ ନେଇ ଏକ ଚିଠା ନୋଟ୍ ପ୍ରସ୍ତୁତ କରାଯାଉଛି। ଖୁବ୍ଶୀଘ୍ର ତାହାକୁ ଚୂଡ଼ାନ୍ତ ରୂପ ପ୍ରଦାନ କରାଯିବ। ଚଳିତ ମାସ ଶେଷ ସୁଦ୍ଧା ଏ ସମ୍ପର୍କିତ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ କରିବାକୁ ଦୀପମ୍ ବିଭାଗକୁ କୁହାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଚଳିତ ବର୍ଷର ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ ସହଜରେ ହାସଲ ହୋଇପାରିବ ବୋଲି କୁହାଯାଉଛି।
କଂପାନି ନିୟମ ଅନୁସାରେ ୨୫%ରୁ ଅଧିକ ଅଂଶଧନ ଥିବା ଅଂଶଧନକାରୀ କଂପାନିର ଯେକୌଣସି ପ୍ରସ୍ତାବ ଉପରେ ଆପତ୍ତି ଉଠାଇପାରିବେ। ସେହି ଅଧିକାରକୁ ନିଜ ପାଖରେ ରଖିବା ପାଇଁ ପିଏସ୍ୟୁଗୁଡ଼ିକର ଅଂଶଧନକୁ ୨୬%ରେ ରଖିବାକୁ ସରକାର ଚାହୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଅଭିଭାଷଣରେ କହିଥିଲେ ଯେ ସରକାରୀ କଂପାନିଗୁଡ଼ିକରେ ୫୧% ଅଂଶଧନ ରଖିବା ପାଇଁ ଯେଉଁ ନିୟମ ରହିଛି ତାହା ବଦଳିବା ଦରକାର। ଏହା ବ୍ୟତୀତ େଯଉଁ କଂପାନିରେ ଏଲ୍ଆଇସି ଭଳି ସରକାରୀ କଂପାନିର ଅଂଶଧନ ରହିଛି, ସେହି କଂପାନିରେ ସରକାର ନିଜ ଅଂଶଧନକୁ ୫୧%ରୁ ତଳକୁ ଖସାଇପାରିବେ।
କିଛି ଦିନ ତଳେ ଦୀପମ୍ ବିଭାଗର ସଚିବ ଅତନୁ ଚକ୍ରବର୍ତୀ କହିଥିଲେ ଯେ, ପ୍ରଥମ ଥର ପାଇଁ ୫୧% ଅଂଶଧନ ଓ ନିୟନ୍ତ୍ରଣ ଉଭୟକୁ ସରକାର ଅଲଗା କରିବାକୁ ଯାଉଛନ୍ତି। ସରକାର ନିଜ ଅଂଶଧନକୁ ୫୧%ରୁ କମ୍ କରିବେ। ଏହା ଦ୍ବାରା ଅଧିକରୁ ଅଧିକ ନିବେଶକଙ୍କ ପାଣ୍ଠି ଉକ୍ତ କଂପାନିରେ ଲାଗିପାରିବ। ଏଭଳିକି ଆନ୍ତର୍ଜାତିକ ପାଣ୍ଠି ମଧ୍ୟ କଂପାନିରେ ନିବେଶ ହୋଇପାରିବ। ଅନେକ ସଫଳ କଂପାନିରେ ପ୍ରତିଷ୍ଠାତାଙ୍କ ଅଂଶଧନ ପରିମାଣ ୨-୩% ଭଳି ସ୍ତରରେ ରହିଥିବା ସେ କହିଛନ୍ତି। ସେନ୍ସେକ୍ସରେ ଗୁରୁତ୍ବ ରଖୁଥିବା ୧୮ଟି କଂପାନିରେ ପ୍ରତିଷ୍ଠାତାଙ୍କ ଅଂଶଧନ ୪୦%ରୁ କମ୍ ଥିବା ସେ କହିଛନ୍ତି। କଂପାନିରେ ସରକାରଙ୍କ ଅଂଶଧନ ଯେତେ କମ୍ ରହିବ ତାହାକୁ ସେତେ ସହଜରେ ବିକ୍ରି କରାଯାଇପାରିବ। ଅଧିକ ଅଂଶଧନ ରହିଲେ ଏୟାର ଇଣ୍ଡିଆ ଭଳି ସ୍ଥିତି ଉପୁଜିବ। ଗତବର୍ଷ ଏୟାର ଇଣ୍ଡିଆର ୭୪% ଅଂଶଧନକୁ ସରକାର ବିକିବାକୁ ଚାହିଥିଲେ, ମାତ୍ର ତାହାକୁ କିଣିବା ପାଇଁ କୌଣସି ସଂସ୍ଥା ଆଗ୍ରହ ଦେଖାଇନଥିଲେ।