ଡିସେମ୍ବର ୨୯ପରେ ଟେଲିଭିଜନ୍‌ ଦେଖିବା ମହଙ୍ଗା ହେବ

ନୂଆଦିଲ୍ଲୀ: ନୂଆବର୍ଷରେ ଆପଣଙ୍କୁ ଟିଭି ଦେଖିବା ମହଙ୍ଗା ପଡ଼ିପାରେ। ଆପଣଙ୍କ ବିଲ୍‌ ଓ ଡିଟିଏଚ୍‌ର ମାସିକ ଖର୍ଚ୍ଚ ବି ବୃଦ୍ଧି ପାଇପାରେ। ଟ୍ରାଇର ନୂଆ ନିୟମ କାରଣରୁ ଟିଭି ଦେଖିବା ମହଙ୍ଗା ପଡ଼ିପାରେ। କେବଳ ଏତିକି ନୁହେଁ, ନୂଆ ବର୍ଷରୁ ଆପଣ ସେହି ଚାନେଲ୍‌ ପାଇଁ ଟଙ୍କା ଦେବେ ଯାହାକୁ ଆପଣ ଦେଖିବାକୁ ଚାହୁଁଛନ୍ତି। ଜାନୁଆରି ୧ରୁ ଆପଣଙ୍କୁୁ ପ୍ରତି ଚାନେଲ ଏମ୍‌ଆରପି ଉପରେ ହିଁ କିଣିବାକୁ ପଡ଼ିବ।

ପ୍ରକାଶିତ ରିପୋର୍ଟ ମୁତାବକ, ଟେଲିକମ୍‌ ରେଗୁଲେଟରି ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) କେବୁଲ ଓ ଡିଟିଏଚ୍‌ ପାଇଁ ନୂଆ ଗାଇଡଲାଇନ୍‌ ଆଣୁଛି, ଯାହାକି ଜାନୁଆରି ୨୦୧୯ରୁ ଲାଗୁ ହେବ। ନୂଆ ଗାଇଡ ଲାଇନ୍‌ ହେତୁ ଆପଣଙ୍କ କେବୁଲ ବିଲ୍‌ ବୃଦ୍ଧି ପାଇବ। ଆପଣଙ୍କ ଖର୍ଚ୍ଚରୁ ୨୦୦ରୁ ୪୦୦ଟଙ୍କା ଅଧିକ ହେବ। ଏଥିସହିତ ମାଗଣା ଚାନେଲ୍‌ ପାଇଁ ବି ଟଙ୍କା ଦେବାକୁ ପଡ଼ିବ।

କେବୁଲ ଓ ଡିଟିଏଚ୍‌ରେ ଆପଣଙ୍କୁ ୧୦୦ ଚାନେଲ ମାଗଣାରେ ମିଳୁଥିଲା। ଯାହା ପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ୁ ନଥିଲା। ଏହି ମାଗଣା ଚାନେଲ୍‌ ଆପଣଙ୍କୁ ପ୍ରତ୍ୟେକ ପ୍ୟାକେଜ୍‌ ସହିତ ମିଳିଥାଏ। ଯେଉଁଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ି ନଥାଏ। କିନ୍ତୁ ଜାନୁଆରି ୧ରୁ ଏଥିପାଇଁ ବି ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ବ୍ୟବହାରକାରୀଙ୍କ ହରାହାରି ୧୩୦ଟଙ୍କା ଦେବାକୁ ପଡ଼ିବ। ଏଥିସହିତ ୧୮ ପ୍ରତିଶତର ଜିଏସ୍‌ଟି ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର