ନୂଆଦିଲ୍ଲୀ: ଲୋହିତ ସାଗରରେ କେବଲ୍‌ କଟିଯିବାରୁ ଭାରତ, ପାକିସ୍ତାନ ସମେତ ମଧ୍ୟପ୍ରାଚ୍ୟ ଓ ଏସିଆର ଅନେକ ଦେଶରେ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଛି। ଇଣ୍ଟରନେଟ୍‌ ସେବା ଉପରେ ନଜର ରଖୁଥିବା ସଂସ୍ଥା ନେଟ୍‌ବ୍ଲକ୍‌ସ ପକ୍ଷରୁ କୁହାଯାଇଛି ଯେ ଲୋହିତ ସାଗରରେ ଏକାଧିକ କେବଲ୍‌ କଟିଯାଇଛି। ଏଥିଯୋଗୁ ଅନେକ ଦେଶରେ ଇଣ୍ଟରନେଟ୍‌ ଯୋଗାଯୋଗ ବ୍ୟାହତ ହୋଇଛି। ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ଭାରତ ଓ ପାକିସ୍ତାନ ରହିଥିବା କୁହାଯାଇଛି। ଆସୋସିଏଟେଡ୍‌ ପ୍ରେସ୍‌ର ସୂଚନା ଆଧାରରେ ଏହା କୁହାଯାଇଛି। 

Advertisment

ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି ଯେ ଲୋହିତ ସାଗରରେ କେବଲ୍‌ କଟିବା କାରଣରୁ ବିଶ୍ବ ଇ‌ଣ୍ଟରନେଟ୍‌ ଟ୍ରାଫିକ୍‌ର ୧୭ ପ୍ରତିଶତ ପ୍ରଭାବିତ ହୋଇଛି। ଏହି ଅପ୍ଟିକାଲ ଫାଇବର କେବଲ୍‌ ମାଇକ୍ରୋସଫ୍ଟର କ୍ଲାଉଡ ପ୍ଲାଟଫର୍ମ ଆଜ୍ୟୁର୍‌ର। ଏହି କମ୍ପାନି ୟୁରୋପ ଏବଂ ଏସିଆରେ ଇଣ୍ଟରନେଟ୍ ସେବା ଯୋଗାଇଥାଏ। ୬ ତାରିଖରେ ଏଭଳି ସ୍ଥିତି ଉପୁଜିଛି। ସିକମ୍‌/ଟିଜିଏନ୍‌-ଇଏ, ଏଏଇ-୧ ଏବଂ ଇଆଇଜି ଆଦି କେବଲ୍‌ କଟିଛି। ଏଥିଯୋଗୁ ବ୍ୟାବସାୟ, ଅନଲାଇନ କ୍ଲାସ ଏବଂ ଷ୍ଟ୍ରିମିଂ ସେବା ବ୍ୟାହତ ହୋଇଛି।
ମାଇକ୍ରୋସଫ୍ଯର ଆଜ୍ୟୁର କ୍ଲାଉଡ ସେବାରେ ମଧ୍ୟ ଅସୁବିଧା ଦେଖାଦେଇଥିଲା। ମଧ୍ୟପ୍ରାଚ୍ୟ ଦେଇ ଯାଇଥିବା ମାର୍ଗରେ ଇଣ୍ଟରନେଟ୍ ପହଞ୍ଚିବା ବିଳମ୍ବ ହେଉଛି ‌ବୋଲି ଗ୍ରାହକମାନଙ୍କୁ ସୂଚନା ଦିଆଯାଇଥିଲା। ସ୍ଥିତି ବଦଳିଲେ ଏ ନେଇ ସୂଚନା ଦିଆଯିବ ବୋଲି କୁହାଯାଇଥିଲା। ପରେ ସବୁ ଠିକ୍‌ ଥିବା କମ୍ପାନି କହିଛି। ଟାଟା କମୁନିକେସନ୍ସ ଦ୍ବାରା ପରିଚାଳିତ ଦକ୍ଷିଣ ପୂର୍ବ ଏସିଆ-ମଧ୍ୟପ୍ରାଚ୍ୟ-ପଶ୍ଚିମ ୟୁରୋପ ୪ କେବଲ୍‌ ସହିତ ଆଲକାଟେଲ-ଲୁସେଣ୍ଟ ଦ୍ବାରା ପରିଚାଳିତ ଭାରତ-ମଧ୍ୟପ୍ରାଚ୍ୟ-ପଶ୍ଚିମ ୟୁରୋପ କେବଲ୍‌ ବିଚ୍ଛିନ୍ନ କାରଣରୁ ଇଣ୍ଟରନେଟ୍‌ ସେବାରେ ଅସୁବିଧା ଦେଖାଦେଇଛି ବୋଲି ରିପୋର୍ଟ ମିଳିଛି।

ସମୁଦ୍ରରେ ବିଛାଯାଇଥିବା କେବଲ୍‌ କଟିବାର ଅନେକ କାରଣ ରହିଛି। ଜାହାଜ ଚଳାଚଳ ସମୟରେ ଏହା କଟିବା ଆଶଙ୍କା ରହିଛି। ସେହିଭଳି କେହି ଜାଣିଶୁଣି ମଧ୍ୟ ଏହାକୁ କାଟିଦେବା ସମ୍ଭାବନା ରହିଛି। ତେବେ ଏହାର ମରାମତି ପାଇଁ ଅନେକ ସପ୍ତାହ ଲାଗିଥାଏ। ଏଥିପାଇଁ ସ୍ବତନ୍ତ୍ର ଜାହାଜ ଓ ତାଲିମପ୍ରାପ୍ତ କର୍ମଚାରୀଙ୍କ ଆବଶ୍ୟକତା ରହିଥାଏ। ଗାଜାରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ୟେମେନର ହୁତି ବିଦ୍ରୋହୀମାନେ ଅତୀତରେ ଜାହାଜ ଉପରେ ଆକ୍ରମଣ କରିଛନ୍ତି। କିନ୍ତୁ ଏଥିରେ ସେମାନଙ୍କର ହାତ ନଥିବା ହୁତି ପକ୍ଷରୁ କୁହାଯାଇଛି। କମ୍ପାନି ଏବଂ ସରକାରୀ ସ୍ତରରେ ଏହାର କାରଣ ଜାଣିବା ଲାଗି ଉଦ୍ୟମ ଚାଲିଛି।