ବଜେଟ୍‌ ପୂର୍ବରୁ ସିଏଜିର ବିମୁଦ୍ରୀକରଣ ରିପୋର୍ଟ

ନୂଆଦିଲ୍ଲୀ,: ଦେଶର ଅର୍ଥନୀତି ଉପରେ ବିମୁଦ୍ରୀକରଣ କିଭଳି ପ୍ରଭାବ ପକାଇଛି ତାହାର ଅଡିଟ୍ କରୁଛି ସିଏଜି। ବଜେଟ୍ ଅଧିବେଶନ ପୂର୍ବରୁ ଏହି ରିପୋର୍ଟ ପ୍ରସ୍ତୁତ ହୋଇଯିବ। କିନ୍ତୁ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବାର ସମ୍ଭାବନା କମ୍ ରହିଛି। ଏଭଳି ପରିସ୍ଥିତିରେ ବିମୁଦ୍ରୀକରଣ ରିପୋର୍ଟକୁ ସରକାର ସଂସଦରେ ଉପସ୍ଥାପନ କରିବେ ନାହିଁ ବୋଲି ଅନୁମାନ କରାଯାଉଛି।
ଗତ ସପ୍ତାହରେ ୬୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସିଏଜିକୁ ଏକ ଚିଠି ଲେଖି ଅଭିଯୋଗ କରିଥିଲେ ଯେ, ସରକାରଙ୍କୁ ନିର୍ବାଚନ ପୂର୍ବରୁ ଅଡ଼ୁଆରେ ନପକାଇବା ପାଇଁ ଜାଣିଶୁଣି ବିମୁଦ୍ରୀକରଣ ରିପୋର୍ଟ ପ୍ରସ୍ତୁତିରେ ବିଳମ୍ବ କରାଯାଉଛି। ୨୦ ମାସ ତଳେ ପୂର୍ବତନ ସିଏଜି ଶଶିକାନ୍ତ ଶର୍ମା କହିଥିଲେ ଯେ ଶୀଘ୍ର ରିପୋର୍ଟ ପ୍ରସ୍ତୁତ ହୋଇଯିବ। କିନ୍ତୁ ଏହା ପରେ ଦୀର୍ଘ ସମୟ ବିତିଗଲାଣି, ମାତ୍ର ରିପୋର୍ଟ ପ୍ରସ୍ତୁତ ହୋଇପାରୁନି।
ସିଏଜି ପକ୍ଷରୁ କୁହାଯାଇଛି ଯେ ରିଜର୍ଭ ବ୍ୟାଙ୍କ କିମ୍ବା ସରକାରୀ ବ୍ୟାଙ୍କଗୁଡ଼ିକର ଅଡିଟ୍‌ କରିବାର କ୍ଷମତା ଏହା ପାଖରେ ନାହିଁ। ବିମୁଦ୍ରୀକରଣ ଯୋଗୁ ଟିକସ ରାଜସ୍ବ ଉପରେ କ’ଣ ପ୍ରଭାବ ପଡ଼ିଛି ତାହା କେବଳ ଏହାର ରିପୋର୍ଟରେ ଜଣାପଡ଼ିବ। ନୋଟ୍ ଛପାଇବାରେ କେତେ ଖର୍ଚ ହୋଇଛି? ସଂଗଠିତ ପାଣ୍ଠିକୁ ରିଜର୍ଭ ବ୍ୟାଙ୍କ କେତେ ଟଙ୍କା ଦେଇଛି? ଆୟକର ବିଭାଗ ଓ ବ୍ୟାଙ୍କଗୁଡ଼ିକ ଯେଉଁ ବିପୁଳ ପରିମାଣର ତଥ୍ୟ ସଂଗ୍ରହ କରିଥିଲେ ତାହା ରିପୋର୍ଟରେ ଦେଖିବାକୁ ମିଳିବ। କେବଳ ବିମୁଦ୍ରୀକରଣ ନୁ‌ହେଁ, ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂକ୍ରାନ୍ତ ରିପୋର୍ଟ ମଧ୍ୟ ବଜେଟ୍‌ ଅଧିବେଶନରେ ସିଏଜି ପ୍ରଦାନ କରିପାରେ ବୋଲି ଅନୁମାନ କରାଯାଉଛି।
ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲା। ଏହାର ପ୍ରଭାବରେ ଦେଶର ଅର୍ଥନୀତି କିଛି ମାସ ପାଇଁ ମନ୍ଥର ହୋଇଯାଇଛି। କଳାଧନ ରୋକିବା, ଜାଲ୍ ନୋଟ୍‌ ହଟାଇବା ଭଳି ଲକ୍ଷ୍ୟ ନେଇ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା। ଏହା କେତେ ସଫଳ ହୋଇଛି ତାହାକୁ ନେଇ ବିତର୍କ ଜାରି ରହିଛି।

ସମ୍ବନ୍ଧିତ ଖବର