ନୂଆଦିଲ୍ଲୀ: ସ୍କୁଲ୍‌ରେ ନିର୍ମାଣ କରାଯାଇଥିବା ପାଇଖାନାଗୁଡ଼ିକର ସ୍ଥିତି ଜାଣିବା ଲାଗି ଭାରତୀୟ ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି) କରିଥିବା ଅଡିଟ୍‌ରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବା ପିଏସ୍‌ୟୁଗୁଡ଼ିକ ପାଇଖାନା ନିର୍ମାଣ ନେଇ ଯେଉଁ ଦାବି କରିଛନ୍ତି ସେଥିରୁ ୧୧ ପ୍ରତିଶତ ପାଇଖାନା ବାସ୍ତବରେ ନାହିଁ। କିଛି ପାଇଖାନା ଅର୍ଧନିର୍ମିତ ହୋଇ ପଡ଼ିଥିବା ବେଳେ ପରିଚାଳନାଗତ ସମସ୍ୟା କାରଣରୁ ୩୦ ପ୍ରତିଶତ ପାଇଖାନା ବ୍ୟବହାର ହେଉନାହିଁ।ସ୍କୁଲ୍‌ରେ ପାଇଖାନା ନିର୍ମାଣ ସମ୍ପର୍କିତ ରିପୋର୍ଟକୁ ସିଏଜି ଗତକାଲି ସଂସଦରେ ଉପସ୍ଥାପନ କରିଥିଲେ। ବର୍ଷକ ଭିତରେ ଛାତ୍ରୀ ଓ ଛାତ୍ରମାନଙ୍କ ଲାଗି ଅଲଗା ଅଲଗା ପାଇଖାନା ନିର୍ମାଣ କରିବା ପାଇଁ ୨୦୧୪ ସେପ୍ଟେମ୍ବର ୧ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପରେ ସାମିଲ ହେବା ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସ୍‌ୟୁଗୁଡ଼ିକୁ କୁହାଯାଇଥିଲା। ଏହି ପ୍ରକଳ୍ପରେ ୫୩ଟି ପିଏସ୍‌ୟୁ ଭାଗ ନେଇ ୧,୪୦,୯୯୭ ପାଇଖାନା ନିର୍ମାଣ କରିଥିଲେ। ଶକ୍ତି, କୋଇଲା ଓ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଅଧୀନରେ ଥିବା ସାତଟି ପିଏସ୍‌ୟୁ ପ୍ର‌େତ୍ୟକ ୫୦୦୦ରୁ ଅଧିକ ଲେଖାଏଁ ପାଇଖାନା ନିର୍ମାଣ କରିଥିଲେ।

Advertisment

ସିଏଜି ପକ୍ଷରୁ ଏନ୍‌ଟିପିସି, ପିଜିସିଆଇଏଲ୍‌, ଏନ୍‌ଏଚ୍‌ପିସି, ପିଏଫ୍‌ସି, ଆର୍‌ଇସି, ଓଏନ୍‌ଜିସି ଓ କୋଲ୍ ଇଣ୍ଡିଆ ପକ୍ଷରୁ ୧୫ଟି ରାଜ୍ୟର ୨୦୪୮ଟି ସ୍କୁଲ୍‌ରେ ନିର୍ମାଣ କରାଯାଇଥିବା ୨୬୯୫ଟି ପାଇଖାନାର ଅଡିଟ୍‌ କରାଯାଇଥିଲା। ୮୩ଟି ପାଇଖାନା ନିର୍ମାଣ କରିବାକୁ ଏହି କଂପାନିଗୁଡ଼ିକ ଚିହ୍ନଟ କରିଥିଲେ ମଧ୍ୟ ତାହା ନିର୍ମାଣ ହୋଇନଥିଲା। ବଳକା ୨୬୧୨ଟି ପାଇଖାନା ମଧ୍ୟରୁ କଂପାନିଗୁଡ଼ିକ ନିର୍ମାଣ କରିଛନ୍ତି ବୋଲି ଦର୍ଶାଇଥିବା ୨୦୦ ପାଇଖାନାକୁ ସେହି ସ୍କୁଲ୍‌ରେ ଦେଖିବାକୁ ମିଳିନଥିଲା। ୮୬ଟି ପାଇଖାନା ଅର୍ଧନିର୍ମିତ ରହିଥିଲା। ଉଭୟ ଛାତ୍ରଛାତ୍ରୀ ପାଠପଢ଼ୁଥିବା ୧୯୬୭ଟି ସ୍କୁଲ୍‌ର ସର୍ଭେ କରାଯାଇଥିଲା। ୯୯ଟି ସ୍କୁଲ୍‌ରେ ପାଇଖାନା କାର୍ଯ୍ୟକ୍ଷମ ନଥିଲା। ୪୬୩ଟି ସ୍କୁଲ୍‌ରେ ମାତ୍ର ଗୋଟିଏ ପାଇଖାନା କାର୍ଯ୍ୟକ୍ଷମ ଥିଲା। ନିର୍ମିତ ହୋଇଥିବା ୨୩୨୬ଟି ପାଇଖାନାର ସର୍ଭେରୁ ଜଣାପଡ଼ିଥିଲା ଯେ ଜଳ ଯୋଗାଣ, ସ୍ବଚ୍ଛତାର ଅଭାବ, ଭାଙ୍ଗିଯାଇଥିବା କିମ୍ବା ତାଲା ପଡ଼ିଥିବା ଆଦି କାରଣରୁ ୩୦ ପ୍ରତିଶତ (୬୯୧ଟି) ପାଇଖାନା କାର୍ଯ୍ୟକ୍ଷମ ନଥିଲା। ସିଏଜି ଅଡିଟ୍‌ରୁ ଜଣାପଡ଼ିଛି ଯେ ପିଏସ୍‌ୟୁଗୁଡ଼ିକ ନିର୍ମାଣ କରିଥିବା ପାଇଖାନା ସଂଖ୍ୟା ତୁଳନାରେ ଅଧିକ ୧୧,୧୭୩ ପାଇଖାନା କାଗଜକଲମରେ ଦର୍ଶାଇଛନ୍ତି। ଏହି ପ୍ରସଙ୍ଗକୁ ଅନୁଧ୍ୟାନ କରିବା ଏବଂ ମଞ୍ଜୁର ହୋଇଥିବା ପାଇଖାନା ଶୀଘ୍ର ଶେଷ କରିବା ପ୍ରତି ଧ୍ୟାନ ଦେବାକୁ ସିଏଜି ପକ୍ଷରୁ ମନ୍ତ୍ରଣାଳୟଗୁଡ଼ିକୁ କୁହାଯାଇଛି।