ସିଏଜି ରିପୋର୍ଟ ମୁଖ୍ୟାଂଶ, ହରାଇଲେ ୧୫ କୋଟିର ସୁଧ

ଭୁବନେଶ୍ୱର: ଅର୍ଥ ବିଭାଗର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଖର୍ଚ୍ଚ ହୋଇ ନଥିବା ପ୍ରକଳ୍ପ ପାଣ୍ଠିକୁ ଫ୍ଲେକ୍ସି ଖାତାରେ ରଖିବା ପରିବର୍ତ୍ତେ ସଞ୍ଚୟ/ଚଳନ୍ତି ଖାତାରେ ରଖାଯାଇ ଥିଲା। ଫଳରେ ସୁଧ ବାବଦରେ ୧୫ କୋଟି ୩୯ ଲକ୍ଷ ଟଙ୍କା କ୍ଷତି ରାଜ୍ୟ ସରକାରଙ୍କୁ ହୋଇଛି। ସିଏଜି ଆଜି ଏହି ବିଷୟ ପଦାକୁ ଆଣିଛନ୍ତି। ସେହିଭଳି ରାଜ୍ୟର ୧୧ଟି କାରାଗାରରେ ୯୬ଟି ରାଇଫଲ୍‌ କାର୍ଯ୍ୟ ଉପଯୋଗୀ ନାହିଁ ଓ ୨୫୭ଟି ଓ୍ଵାକି-ଟକି କିଣାହେବା ଦିନଠାରୁ ହିଁ ଅକାମୀ ରହିଛି। ରାଜ୍ୟର ୧୦୮ଟି ମହାବିଦ୍ୟାଳୟରେ ଭାଷା ପ୍ରୟୋଗଶାଳା ପ୍ରତିଷ୍ଠା ନିମନ୍ତେ ମନୋନୟନ ଭିତ୍ତିରେ ଏକ ବେସରକାରୀ ଫାର୍ମକୁ କାର୍ଯ୍ୟ ପ୍ରଦାନ କରିବା ନିଷ୍ପତ୍ତି ନୀତି ମୁତାବକ କରାଯାଇ ନାହିଁ।

ଭାଷା ପ୍ରୟୋଗଶାଳା ପ୍ରତିଷ୍ଠାରେ ଘରୋଇ ସଂସ୍ଥାକୁ ଅନୁଚିତ ଅନୁଗ୍ରହ
ନବକଳେବର ବେଳେ ପୁରୀ ସିଡିଏମ୍‌ଓଙ୍କ ୪୪ ଲକ୍ଷ ଟଙ୍କା ଘୋଟାଲା
କାରାଗାରରେ ଥିବା ୯୬ ରାଇଫଲ୍‌ କାର୍ଯ୍ୟ ଅନୁପଯୋଗୀ
୨୫୭ଟି ଓ୍ଵାକି-ଟକି କିଣାହେବା ଦିନଠାରୁ ହିଁ ଅକାମୀ
ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣରେ ୭୮ କୋଟି ଅଧିକ ବ୍ୟୟ
ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ହାସଲ ନୈରାଶ୍ୟଜନକ

ସିଏସିଏମ୍‌ ନାମକ ଘରୋଇ ସଂସ୍ଥାକୁ ଏ କ୍ଷେତ୍ରରେ ଅନୁଚିତ ଅନୁଗ୍ରହ ପ୍ରଦାନ କରାଯାଇଛି। ପୁନଶ୍ଚ, ସମୁଦାୟ ୮ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟରେ ଭାଷା ପ୍ରୟୋଗଶାଳା ଗଠନ କରାଯାଇଥିବା ୪୨ଟି ମହାବିଦ୍ୟାଳୟରେ କାହାରି ନାମଲେଖା ହୋଇନାହିଁ ବୋଲି ସିଏଜି ଜାଣିବାକୁ ପାଇଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ୨୦୧୫ ନବକଳେବର ବେଳେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ରହଣି ବାବଦରେ ୭ଟି ହୋଟେଲ ମାଲିକଙ୍କୁ ପ୍ରବଞ୍ଚନା ପୂର୍ବକ ୪୪ ଲକ୍ଷ ୧୯ ହଜାର ଟଙ୍କା ପ୍ରଦାନ କରିଛନ୍ତି। ରେଜିଷ୍ଟର ଯାଞ୍ଚରୁ ଜଣାଯାଇଥିଲା ଯେ, ୪୩୩ ଜଣଙ୍କ ରହଣି ବାବଦରେ ପ୍ରକୃତ ଖର୍ଚ୍ଚ ୩୪ ଲକ୍ଷ ୬୫ ହଜାର ଟଙ୍କା ହୋଇଥିବା ବେଳେ ଏବାବଦରେ ହୋଟେଲ ଗୁଡ଼ିକୁ ୭୮ ଲକ୍ଷ ୮୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଆଇଆଇଟି-ଖଡ଼ଗପୁରର ସୁପାରିସ ଉଲ୍ଲଂଘନ କରିବା ଯୋଗୁଁ ଜାତୀୟ ବାତ୍ୟା କ୍ଷତି ପ୍ରଶମନ ପ୍ରକଳ୍ପ ଅଧୀନରେ ୫୬ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣରେ ୭୭ କୋଟି ୮୪ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ ହୋଇଛି। ଠିକାଦାରମାନଙ୍କୁ ଅଧିକ ୬ କୋଟି ୩୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସିଏଜି ରିପୋର୍ଟରୁ ଜଣାଯାଇଛି। ଗ୍ରାମାଞ୍ଚଳରେ ୨୦୧୭ ସୁଦ୍ଧା ୩୫ ପ୍ରତିଶତ ପରିବାରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ରଖାଯାଇଥିଲା ବେଳେ କେବଳ ୩.୭୦% ପରିବାରକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛିି।

ସମ୍ବନ୍ଧିତ ଖବର