ସିଏଜି ରିପୋର୍ଟ: ୩୩% ଜନବସତିକୁ ରାସ୍ତା ନାହିଁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିସଏ୍‌ଓ୍ଵ୍‌ାଇ)ରେ ରାଜ୍ୟର ୬୦୮୪ଟି ଯୋଗ୍ୟ ଜନବସତିକୁ ୨୦୧୭ ମାର୍ଚ୍ଚ ସୁଦ୍ଧା ରାସ୍ତା ନିର୍ମାଣ ହୋଇନାହିଁ। ଅର୍ଥାତ୍‌ ୧୮,୧୬୭ଟି ଯୋଗ୍ୟ ଜନବସତି ମଧ୍ୟରୁ ୧୨,୧୨୮(୬୭%)କୁ ସଂଯୋଗୀକରଣ ହୋଇଥିବା ବେଳେ ଯୋଜନା କାର୍ଯ୍ୟକାରୀ ହେବାର ୧୬ ବର୍ଷ ପରେ ମଧ୍ୟ ୩୩% ଜନବସତିକୁ ସଡ଼କ ସଂଯୋଗ କରାଯାଇନାହିଁ ବୋଲି ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଆଜି ଜାରି କରିଥିବା ରିପୋର୍ଟରେ କହିଛନ୍ତି।

ଗ୍ରାମ ସଡ଼କ ଯୋଜନା ଅଧୀନ କୋର୍‌ ନେଟଓ୍ଵାର୍କ ଅନ୍ତର୍ଗତ ୧୨୧ଟି ଗ୍ରାମ୍ୟ ସଡ଼କର ଦୈର୍ଘ୍ୟ ବିସ୍ତତ ପ୍ରକଳ୍ପ ରିପୋର୍ଟଠାରୁ ଭିନ୍ନ ଥିଲା। ଏହି ଭିନ୍ନତା ଯୋଗୁ ଏହି ରାସ୍ତା ଗୁଡ଼ିକ ନିର୍ମାଣ ପାଇଁ ଅନୁମୋଦିତ ହୋଇ ନଥିଲା। ଫଳରେ ରାଜ୍ୟ ସରକାରଙ୍କୁ ୧୫୫ କୋଟି ୩୩ ଲକ୍ଷ ଟଙ୍କା ଏବାବଦରେ କେନ୍ଦ୍ରୀୟ ସହାୟତା ହରାଇବାକୁ ପଡ଼ିଛି। ଜଙ୍ଗଲ ଓ ଜମି ସମସ୍ୟା ପାଇଁ ରାଜ୍ୟ କାର୍ଯ୍ୟ ମଧ୍ୟ ଅସମ୍ପୂର୍ଣ୍ଣ ରହିଥିବା ସିଏଜି ଦର୍ଶାଇଛନ୍ତି। ଜମି ତଥା ଜଙ୍ଗଲ ନିକାସର ଆବଶ୍ୟକତାକୁ ବିସ୍ତତ ପ୍ରକଳ୍ପ ରିପୋର୍ଟରେ ବିଚାରକୁ ନିଆଯାଇ ନଥିଲା। ଫଳରେ ୨୦୦୩ରୁ ୨୦୧୭ ମଧ୍ୟରେ ମଞ୍ଜୁର ହୋଇଥିବା ୪୪୧ କିମି ରାସ୍ତା ନିର୍ମାଣ ବାବଦରେ ୫୩ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟ ସତ୍ତ୍ୱେ ତାହା ସମ୍ପୂର୍ଣ୍ଣ ହୋଇ ପାରି ନଥିଲା। ଅନଭିଜ୍ଞ ଠିକାଦାରଙ୍କୁ ରାସ୍ତା ନିର୍ମାଣ କାର୍ଯ୍ୟ ଦେବା ଯୋଗୁ ରାଜକୋଷକୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ୧୩ଟି କାର୍ଯ୍ୟକୁ ଦକ୍ଷତା ନଥିବା ଠିକାଦାରଙ୍କୁ ପ୍ରଦାନ କରିଥିଲେ। ଠିକାଦାରମାନେ କାର୍ଯ୍ୟ ସମ୍ପାଦନ କରିବାରେ ବିଫଳ ମଧ୍ୟ ହେଲେ। ଏଥିଯୋଗୁ ୫ କୋଟି ୪୭ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡ଼ିଲା ବୋଲି ସିଏଜି ଉଲ୍ଲେଖ କରିଛନ୍ତି। କେବଳ ରାସ୍ତା ର୍ନିର୍ମାଣ ନୁହେଁ, ସମାପ୍ତ ହୋଇଥିବା ରାସ୍ତାର ମରାମତି କାର୍ଯ୍ୟ ମଧ୍ୟ ଠିକ୍‌ ଭାବେ ହେଉ ନଥିବା ସିଏଜି ଉଲ୍ଲେଖ କରିଛନ୍ତି। ୨୦୧୨ରୁ ୨୦୧୭ ମଧ୍ୟରେ ୧୯,୨୦୩ଟି ରାସ୍ତାର ମରାମତି ଆବଶ୍ୟକ ଥିଲା। କିନ୍ତୁ କେବଳ ୭୪୯୬ଟି ଅର୍ଥାତ୍‌ ୩୯ ପ୍ରତିଶତ ରାସ୍ତାର ମରାମତି କାର୍ଯ୍ୟ କରାଯାଇଥିଲା ବେଳେ ଅନ୍ୟ ୬୧ ପ୍ରତିଶତ ରାସ୍ତାଗୁଡ଼ିକର ମରାମତି ହୋଇ ପାରିନାହିଁ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ ସ୍ଥାୟୀ କମିଟିର ବୈଠକ ମଧ୍ୟ ଠିକ୍‌ ଭାବେ ହେଉନାହିଁ। ୨୦୧୨ରୁ ୨୦୧୭ ମଧ୍ୟରେ ୨୦ଟି ବୈଠକର ଆବଶ୍ୟକତା ଥିବାବେଳେ ମାତ୍ର ୩ଟି ବୈଠକ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଆଜି ଦର୍ଶାଇଛନ୍ତି। ଆଜି ମହାଲେଖାକାର କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ଓ ସାମାଜିକ କ୍ଷେତ୍ର ପାଇଁ ସିଏଜି ରିପୋର୍ଟକୁ ମହାଲେଖାକାର ବିଭୁଦତ୍ତ ବସନ୍ତିଆ ଉନ୍ମୋଚନ କରିବା ସହିତ ସାମ୍ବାଦିକମାନଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପ ମହାଲେଖାକାର ବିଶ୍ୱନାଥ ସିଂହ ଜୋର୍ଡାନ, ଡ. ଜ୍ୟୋତି ଚୌରାସିଆ ଓ ଏସ୍‌. ସୁବ୍ରମଣ୍ୟମ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର