ସିଏଜି ରିପୋର୍ଟ: ରେଳ ସ୍ଥିତି ୧୦ ବର୍ଷ‌ରେ ସବୁଠୁ ଖରାପ, ୧୦୦ ଟଙ୍କା ଆୟ ପାଇଁ ଖର୍ଚ୍ଚ ୯୮.୪୪ ଟଙ୍କା

ପ୍ରତି

ନୂଆଦିଲ୍ଲୀ: ରେଳର ଆୟ ବିଗତ ୧୦ ବର୍ଷରେ ସବୁଠୁ ଖରାପ ସ୍ତରରେ ପହଞ୍ଚିଯାଇଛି। ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକଙ୍କ (ସିଏଜି) ରିପୋର୍ଟରୁ ଏହି ଚିତ୍ର ସାମ୍ନାକୁ ଆସିଛି। ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ଭାରତୀୟ ରେଳ ୯୮ ଟଙ୍କା ୪୪ ପଇସା ବ୍ୟୟ କରୁଛି। ୨୦୧୭-୧୮ରେ ଏହାର ପରିଚାଳନା ଅନୁପାତ (ଅପରେଟିଂ ରେସିଓ) ୯୮.୪୪ ପ୍ରତିଶତକୁ ଖସିଯାଇଛି। ଅପେରଟିଂ ରେସିଓ ରେଳର ବାସ୍ତବ ଚିତ୍ର ସାମ୍ନାକୁ ଆଣିଛି। ଏହା କଂପାନିର ପ୍ରକୃତ ଆର୍ଥିକ ସ୍ଥିତି କେ‌ତେ ସୁସ୍ଥକର ତାହା ଜଣାଇଦେଇଛି। ଏହା ଉଚ୍ଚ ସ୍ତରରେ ରହିବାର ସିଧାସଳଖ ଅର୍ଥ ହେଉଛି ସବୁ ପ୍ରକାର ବ୍ୟବସ୍ଥାରୁ ରେଳବାଇ ୨ ପ୍ରତିଶତ ଆୟ ମଧ୍ୟ କରିପାରୁନାହିଁ।

ରେଳର ଆର୍ଥିକ ସ୍ଥିତି ସମ୍ପର୍କରେ ସିଏଜି ଜଣାଇଛନ୍ତି ଯେ, ଏନ୍‌ଟିପିସି ଏବଂ ଇର୍‌କନ୍‌ରୁ ଯଦି ଅଗ୍ରୀମ ପେମେଣ୍ଟ୍‌ ମିଳିନଥାନ୍ତା ତେବେ ଏହାର ଖାତାରେ ୫୬୭୬.୨୯ କୋଟି ଟଙ୍କାର ବିଯୁକ୍ତାତ୍ମକ ବାଲାନ୍ସ ରହିଥାନ୍ତା। ଏହି ଦୁଇ ସଂସ୍ଥାରୁ ଅଗ୍ରୀମ ମିଳିଯିବାରୁ ରେଳବାଇ ଖାତାରେ ୧୬୬୫ କୋଟି ଟଙ୍କାର ବଳକା ପ୍ରଦର୍ଶିତ ହୋଇଛି। ରେଳର ଅପରେଟିଂ ରେସିଓ ବିଗତ ୧୦ ବର୍ଷ ଭିତରେ ୨୦୧୭-୧୮ରେ ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି ବୋଲି ସିଏଜି ନିଜ ରିପୋର୍ଟରେ ଜଣାଇଛନ୍ତି। ଯଦି ଅଗ୍ରୀମ ମିଳିନଥାନ୍ତା ତେବେ ରେଳର ଅପରେଟିଂ ରେସିଓ ୧୦୨.୬୬ ପ୍ରତିଶତରେ ପହଞ୍ଚିଯାଇଥାନ୍ତା ବୋଲି ସିଏଜି କହିଛନ୍ତି। ୨୦୦୮-୦୯ରେ ପ୍ରତି ୧୦୦ ଟଙ୍କାର ଆୟ ଲାଗି ଭାରତୀୟ ରେଳ ୯୦ ଟଙ୍କା ୪୮ ପଇସା ଖର୍ଚ କରୁଥିଲା। ଏହା ପରେ ଏଥିରେ ଅବନତି ଦେଖାଦେଲା। ୨୦୧୨-୧୩ରୁ ୨୦୧୫-୧୬ ପର୍ଯ୍ୟନ୍ତ ସ୍ଥିତି ଭଲ ଥିଲା। ୨୦୧୬-୧୭ରୁ ସ୍ଥିତି ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଛି ବୋଲି ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି। ଏହା ଯାତ୍ରୀ ସେବା ଏବଂ କୋଚ୍ ଭିତରେ ପ୍ରଦାନ କରାଯାଉଥିବା ଅନ୍ୟାନ୍ୟ ସେବାର ପରିଚାଳନା ଖର୍ଚ୍ଚକୁ ‌ପୂରଣ କରିପାରୁନାହିଁ। ମାଲ ପରିବହନରୁ ହେଉଥିବା ଲାଭର ୯୫ ପ୍ରତିଶତକୁ ଯାତ୍ରୀ ସେବା ଲାଗି ହେଉଥିବା ପରିଚାଳନା କ୍ଷତି ଭରଣା କରିବା ବାବଦରେ ବ୍ୟବହାର କରାଯାଉଛି।

ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତୀୟ ରେଳର ରାଜସ୍ବ ବଳକା ପରିମାଣ ହ୍ରାସ ପାଇବାରେ ଲାଗିଛି। ୨୦୧୬-୧୭ରେ ଏହାର ରାଜସ୍ବ ବଳକା ୪୯୧୩ କୋଟି ଟଙ୍କା ଥିଲା। ବର୍ଷକ ପରେ ଅର୍ଥାତ ୨୦୧୭-୧୮ରେ ତାହା ୧୬୬୫.୬୧ କୋଟି ଟଙ୍କାକୁ ହ୍ରାସ ପାଇଛି। ସଂସ୍ଥାର ସମୁଦାୟ ଖର୍ଚ୍ଚରେ ନିଜସ୍ବ ଉତ୍ସରୁ ସୃଷ୍ଟି ହେଉଥିବା ସମ୍ବଳର ଭାଗ ମଧ୍ୟ କମୁଛି। ସେଥିପାଇଁ ଭାରତୀୟ ରେଳକୁ ବଜେଟ୍‌ରେ କରାଯାଉଥିବା ବଜେଟ୍ ସହାୟତା ଏବଂ ଅତିରିକ୍ତ ବଜେଟ୍‌ ସମ୍ବଳ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି। ଏହି ନିର୍ଭରଶୀଳତା କମାଇବା ଲାଗି ରେଳବାଇ ନିଜସ୍ବ ଉତ୍ସରୁ ରାଜସ୍ବ ବଢ଼ାଇବା ଉପରେ ଅଧିକ ଧ୍ୟାନ ପ୍ରଦାନ କରିବା ଉଚିତ ବୋଲି ସିଏଜି ପରାମର୍ଶ ଦେଇଛନ୍ତି। ଭାରତୀୟ ରେଳର ପୁରୁଣା ସମ୍ପତ୍ତିଗୁଡ଼ିକର ଶୀଘ୍ର ନବୀକରଣ ଓ ପରିବର୍ତ୍ତନ ହେବା ଦରକାର ବୋଲି ସିଏଜି କହିଛନ୍ତି।

ସମ୍ବନ୍ଧିତ ଖବର