ଭୁବନେଶ୍ବର: ଆର୍ଥିକ ପରିଚାଳନା କ୍ଷେତ୍ରରେ ସାରା ଦେଶ ପାଇଁ ଏକ ସଫଳ ମଡେଲ୍ ପାଲଟିଥିବା ଓଡ଼ିଶାକୁ ସିଏଜି ପ୍ରଶଂସା କରିଛନ୍ତି। ପ୍ରଥମ ଥର ପାଇଁ ସିଏଜି ରାଜ୍ୟ ଫାଇନାନ୍ସ ଉପରେ ଏକ ରିପୋର୍ଟ ଜାରି କରିଛନ୍ତି, ଯେଉଁଥିରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ବ ବଳକା କ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ଥିବା ଦର୍ଶାଯାଇଛି। ତାଲିକାର ପ୍ରଥମ ସ୍ଥାନରେ ୩୭,୨୬୩ କୋଟି ଟଙ୍କା ରାଜସ୍ବ ବଳକା ସହ ଉତ୍ତରପ୍ରଦେଶ ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଗୁଜରାଟ ଓ ଓଡ଼ିଶା ନାମ ରହିଛି। ଓଡ଼ିଶାର ରାଜସ୍ବ ବଳକା ୧୯,୪୫୬ କୋଟି ଟଙ୍କା ଥିବା ରିପୋର୍ଟରେ ଦର୍ଶାଯାଇଛି।
ସିଏଜିଙ୍କ ରିପୋର୍ଟ କହୁଛି ଯେ ୨୦୨୨-୨୩ରେ ୧୬ଟି ରାଜ୍ୟ ରାଜସ୍ବ ବଳକା ଏବଂ ୧୨ଟି ରାଜ୍ୟ ରାଜସ୍ବ ନିଅଣ୍ଟିଆ ଥିଲେ। ରାଜସ୍ବ ବଳକା ଥିବା ରାଜ୍ୟଗୁଡ଼ିକ କ୍ରମାନ୍ବୟରେ ହେଉଛି ଉତ୍ତରପ୍ରଦେଶ, ଗୁଜରାଟ (୧୯,୮୬୫ କୋଟି ଟଙ୍କା), ଓଡ଼ିଶା, ଝାଡ଼ଖଣ୍ଡ (୧୩,୫୬୪ କୋଟି ଟଙ୍କା), କର୍ଣ୍ଣାଟକ (୧୩,୪୯୬ କୋଟି ଟଙ୍କା), ଛତିଶଗଡ଼ (୮୫୯୨ କୋଟି ଟଙ୍କା), ତେଲେଙ୍ଗାନା (୫୯୪୪ କୋଟି ଟଙ୍କା), ଉତ୍ତରାଖଣ୍ଡ (୫୩୧୦ କୋଟି ଟଙ୍କା), ମଧ୍ୟପ୍ରଦେଶ (୪୦୯୧ କୋଟି ଟଙ୍କା) ଏବଂ ଗୋଆ (୨୩୯୯ କୋଟି ଟଙ୍କା)। ଅନ୍ୟ ୨୨ଟି ରାଜ୍ୟର ମିଳିତ ରାଜସ୍ବ ନିଅଣ୍ଟ ପରିମାଣ ୨,୨୨,୬୪୮ କୋଟି ଟଙ୍କା ଥିଲା।
ରାଜସ୍ବ ନିଅଣ୍ଟ ଭରଣା କରିବା ଲାଗି ୨୦୨୨-୨୩ରେ ୮୬,୨୦୧ କୋଟି ଟଙ୍କାର ଅର୍ଥ ଆୟୋଗ ଅନୁଦାନ ଦିଆଯାଇଥିଲା ଯାହା ମୋଟ୍ ରାଜସ୍ବ ନିଅଣ୍ଟର ୩୯ ପ୍ରତିଶତ ଥିଲା। ରାଜସ୍ବ ନିଅଣ୍ଟ ଥିବା ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ହରିୟାଣା, ହିମାଚଳପ୍ରଦେଶ, କେରଳ, ମହାରାଷ୍ଟ୍ର, ମେଘାଳୟ, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ। ଏହି ରାଜ୍ୟଗୁଡ଼ିକର ସିଂହଭାଗ ରାଜସ୍ବ ପ୍ରାପ୍ତିକୁ ରାଜସ୍ବ ବ୍ୟୟ ଯଥା ବେତନ, ପେନ୍ସନ୍, ସୁଧ ଆଦି ଦେବାରେ ବ୍ୟବହାର କରୁଛନ୍ତି। ଏହା ସେମାନଙ୍କ ଦୁର୍ବଳ ଆର୍ଥିକ ସ୍ଥିତିକୁ ଦର୍ଶାଉଛି। ପୁଞ୍ଜି ବ୍ୟୟ ପାଇଁ ସେମାନଙ୍କ ପାଖରେ ପାଣ୍ଠି ରହୁନାହିଁ। ଫଳରେ ଭିତ୍ତିଭୂମି ବିକାଶ ଓ ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି କରିବାରେ ଏହି ରାଜ୍ୟଗୁଡ଼ିକ ସଫଳ ହେଉନାହାନ୍ତି।
ବିହାର, କେରଳ, ମେଘାଳୟ ଓ ମହାରାଷ୍ଟ୍ର ସରକାର ୯୦-୧୦୦ ପ୍ରତିଶତ ରାଜସ୍ବକୁ ରାଜସ୍ବ ବ୍ୟୟ ଆକାରରେ ବ୍ୟବହାର କରୁଛନ୍ତି। ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ ଏହି ହାର ୭୫-୮୦ ପ୍ରତିଶତ ରହିଛି। ଆଲୋଚ୍ୟ ଆର୍ଥିକ ବର୍ଷରେ ପଶ୍ଚିମବଙ୍ଗ, କେରଳ, ଆନ୍ଧ୍ରପ୍ରଦେଶ, ହିମାଚଳପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଆସାମ, ରାଜସ୍ଥାନ, ନାଗାଲ୍ୟାଣ୍ଡ ଓ ତ୍ରିପୁରାକୁ ଅଧିକ ରାଜସ୍ବ ନିଅଣ୍ଟ ଅନୁଦାନ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି।