ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଋଣ ଓ ଆର୍ଥିକ ବୋଝ କମୁଛି। ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ରାଜ୍ୟ ଅର୍ଥନୀତି ସଂପର୍କରେ ଏହି ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ମୋଟ ଆର୍ଥିକ ବୋଝ ୧ ଲକ୍ଷ ୧୧ ହଜାର ୯୫୨ କୋଟି ଟଙ୍କା ରହିଛି। ଯାହାଜି ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୧୫ ପ୍ରତିଶତ। ମୋଟ ଆର୍ଥିକ ବୋଝରେ ସରକାରୀ ଋଣ ପରିମାଣ ୬୩,୯୦୫ କୋଟି ଟଙ୍କା (ଜିଏସଡିପିର ୮ ପ୍ରତିଶତ) ରହିଛି। ୨୦୨୧-୨୨ରେ ରାଜ୍ୟର ମୋଟ ଆର୍ଥିକ ବୋଝ ୧ ଲକ୍ଷ ‌୨୦ ହଜାର ୧୩୯ କୋଟି ଟଙ୍କା ରହିଥିଲା। ତେଣୁ ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ରାଜ୍ୟର ମୋଟ ଆର୍ଥିକ ବୋଝ ୮୧୮୭ କୋଟି ଟଙ୍କା ହ୍ରାସ ପାଇଛି। ସମ୍ବିଧାନର ଧାରା ୨୯୩ ଅନୁସାରେ, ରାଜ୍ୟ ସରକାର ବିଧାନସଭା ଦ୍ବାରା ସ୍ଥିରୀକୃତ ସମୟ ସୀମା ପର୍ଯ୍ୟନ୍ତ ରାଜ୍ୟର ସଂଗଠିତ ପାଣ୍ଠିର ସୁରକ୍ଷା ଦେଇ କରଜ କରି‌ପାରିବେ। ଏଥିସହିତ ରାଜ୍ୟ ସରକାର ଓଡ଼ିଶା ବିତ୍ତୀୟ ଉତ୍ତରଦାୟୀ ଏବଂ ବଜେଟ୍‌ ପରିଚାଳନା ଅଧିନିୟମ ୨୦୦୫ ଏବଂ ଓଡ଼ିଶା ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍‌ ପରିଚାଳନା ଅଧିନିୟମ (ସଂଶୋଧିତ) ୨୦୦୬ ପାରିତ କରିଛନ୍ତି। ଏହି ଅଧିନିୟମ ଅନୁସାରେ ରାଜ୍ୟ ସରକାର ଆର୍ଥିକ ପରିଚାଳନା ଓ ଆର୍ଥିକ ସୁଦୃଢ଼ତାକୁ ଆଖି ଆଗରେ ରଖି ଧୀରେ ଧୀରେ ରାଜସ୍ବ ନିଅଣ୍ଟ ହ୍ରାସ କରିବେ ଏବଂ ଆର୍ଥିକ ସ୍ଥିରତା ସହ ଖାପଖୁଆଇ ଋଣ ପରିଚାଳନା କରିବେ।

Advertisment

ସିଏଜି ରିପୋର୍ଟରେ ସରକାରୀ ଋଣର ଧାରାର ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ସେଥିରୁ ଜଣାପଡ଼ିଛି ଯେ ୨୦୨୨-୨୩ ଆର୍ଥିକ ବର୍ଷର ମୋଟ ୧ ଲକ୍ଷ ୧୧ ହଜାର ୯୫୨ କୋଟିର ଆର୍ଥିକ ବୋଝ ମଧ୍ୟରୁ ଆଭ୍ୟନ୍ତରୀଣ ଋଣ ରାଶି ହେଉଛି ୪୫ ହଜାର ୫୩୨ କୋଟି, ସ୍ବଳ୍ପ ସଂଚୟ ବାବଦ ଋଣ ହେଉଛି ୨୪ ହଜାର ୭୫୬ କୋଟି, କେନ୍ଦ୍ର ସରକାରଙ୍କ ଠାରୁ ଋଣ ଓ ଅଗ୍ରିମ ଆକାରରେ ଆସିଥିବା ରାଶି ହେଉଛି ୧୮ ହଜାର ୩୭୩ କୋଟି ଏବଂ ଅନ୍ୟାନ୍ୟ ଅନୁଗ୍ରହ ରାଶି ହେଉଛି ୨୩ ହଜାର ୨୯୧ କୋଟି ଟଙ୍କା। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧-୨୨ରେ ରାଜ୍ୟର ମୋଟ ଆର୍ଥିକ ବୋଝ ଜିଏସ୍‌ଡିପିର ୧୯ ପ୍ରତିଶତ ରହିଥିଲା। କିନ୍ତୁ ୨୦୨୨-୨୩ରେ ଏହା ଜିଏସ୍‌ଡିପିର ୧୫ ପ୍ରତିଶତକୁ ହ୍ରାସ ପାଇଛି। ସେହିଭଳି ସରକାରୀ ଋଣ ୨୦୨୧-୨୨ରେ ଜିଏସଡିପିର ୧୧ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଜିଏସ୍‌ଡିପିର ୮ ପ୍ରତିଶତକୁ କମିଛି। ୨୦୧୯-୨୦ରେ ରାଜ୍ୟର ମୋଟ ଆର୍ଥିକ ବୋଝ ୧ ଲକ୍ଷ ୨୬ ହଜାର ୮୪ କୋଟି ଟଙ୍କା ବା ଜିଏସଡିପିର ୨୪ ପ୍ରତିଶତ ଛୁଇଁଥିଲା। ତେଣୁ ୨୦୧୯-୨୦ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟର ମୋଟ ଆର୍ଥିକ ବୋଝ ଜିଏସ୍‌ଡିପିର ୯ ପ୍ରତିଶତ ହ୍ରାସ ପାଇଛି।

ବେତନରେ ୨୫,୭୭୦ କୋଟି ବ୍ୟୟ, ପେନ୍‌ସନ୍‌ରେ ୧୮,୫୯୫ କୋଟି

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୨-୨୩ରେ ରାଜ୍ୟ ସରକାରଙ୍କ ମୋଟ ରାଜସ୍ବ ବ୍ୟୟ ୧,୩୧,୦୦୬ କୋଟି ଟଙ୍କା ଥିଲା। ସେଥିରୁ ୪୯,୮୬୮ କୋଟି ଟଙ୍କା ଥିଲା ପ୍ରତିବଦ୍ଧ ବ୍ୟୟ। ବିଶେଷ କରି ବେତନ, ପେନ୍‌ସନ୍ ଓ ସୁଧ ଆଦି ଦେବାରେ ଏହି ବ୍ୟୟ ହୋଇଥିଲା। ଆଲୋଚ୍ୟ ବର୍ଷରେ ସରକାର କର୍ମଚାରୀଙ୍କୁ ବେତନ ଦେବାରେ ୨୫,୭୭୦.୫୦ ‌କୋଟି ଟଙ୍କା ଓ ପେନ୍‌ସନ୍‌ ଦେବାରେ ୧୮,୫୯୫.୬୬ କୋଟି ଟଙ୍କା ବ୍ୟୟ କରିଥିଲେ। ଋଣ ଓ ସୁଧ ପରିଶୋଧ ବାବଦରେ ୫୫୦୨.୩୨ ‌କୋଟି ଟଙ୍କା ବ୍ୟୟ ହୋଇଥିଲା। ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିବାରେ ସରକାର ଅଣପ୍ରତିବଦ୍ଧ ବ୍ୟୟ କରିଥାନ୍ତି। ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଏହି ବ୍ୟୟ ୭୫ ପ୍ରତିଶତ ବୃଦ୍ଧି ପାଇ ୮୧,୧୩୮ କୋଟି ଟଙ୍କା ହୋଇଛି। ‌ମୋଟ ରାଜସ୍ବ ବ୍ୟୟରୁ ସାଧାରଣ ସେବାରେ ୪୭,୩୨୧ କୋଟି ଟଙ୍କା, ସାମାଜିକ ସେବାରେ ୫୨,୪୯୮ କୋଟି ଟଙ୍କା, ଅର୍ଥନୈତିକ ସେବାରେ ୨୯,୬୦୩ କୋଟି ଟଙ୍କା, ଅନୁଦାନରେ ୧୫୮୪ କୋଟି ଟଙ୍କା ବ୍ୟୟ ହୋଇଛି।