ଭାରତ ସରକାରଙ୍କ ଟିକସ ଫେରସ୍ତ ପ୍ରସ୍ତାବକୁ ଗ୍ରହଣ କଲା କେର୍ଣ୍ଣ, ମାମଲା ପ୍ରତ୍ୟାହାର କରିବାକୁ କମ୍ପାନିର ଘୋଷଣା

ଲଣ୍ଡନ : ଭାରତ ସରକାର ପ୍ରଦାନ କରିଥିବା ୧ ବିଲିୟନ ଡଲାରର ଟିକସ ଫେରସ୍ତ ଅଫରକୁ କେର୍ଣ୍ଣ ଏନର୍ଜି ସ୍ବୀକାର କରିବା ସହ ଭାରତ ବିରୋଧରେ କରିଥିବା ସବୁ ମାମଲାକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି । ଏହା ସହିତ ବହୁଚର୍ଚ୍ଚିତ କେର୍ଣ୍ଣ ବନାମ ଭାରତ ସରକାର ମାମଲାର ପରିସମାପ୍ତି ଘଟିଛି ।

ବିବାଦୀୟ ଟିକସ ଆଇନ ମାଧ୍ୟମରେ ଆଦାୟ କରାଯାଇଥିବା ଅର୍ଥ ଫେରସ ପାଇଁ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ ଆମେ ସ୍ବୀକାର କରୁଛୁ ବୋଲି କେର୍ଣ୍ଣ ଏନର୍ଜିର ସିଇଓ ସାଇମନ ଥମ୍ପସନ କହିଛନ୍ତି ।

ଗତ ମାସରେ ଭାରତ ସରକାର ବିବାଦୀୟ ପିଛିଲା ଟିକସ ଆଇନକୁ ପ୍ରତ୍ୟାହାର କରିବା ପରେ ଯେଉଁ ସଂସ୍ଥାମାନଙ୍କୁ ପିଛିଲା ଟିକସ ନୋଟିସ୍‌ ପଠାଯାଇ ଟିକସ ସଂଗ୍ରହ କରାଯାଇଥିଲା ସେମାନଙ୍କୁ ବିନା ସୁଧରେ ସେମାନଙ୍କ ଟଙ୍କା ଫେରସ୍ତ କରାଯିବାକୁ ସରକାର ଘୋଷଣା କରିଥିଲେ । ଏହା ଅନୁଯାୟୀ କେର୍ଣ୍ଣକୁ ସରକାର ୧ ବିଲିୟନ ଡଲାର ଫେରସ୍ତ ପାଇଁ ଘୋଷଣା କରିଥିଲେ ।

୨୦୧୨ରେ ବିବାଦୀୟ ପିଛିଲା ଟିକସ ନିୟମ ଲାଗୁ କରାଯାଇଥିଲା । ଏହି ଆଇନ ବଳରେ ଯେଉଁ ଟିକସ ନୋଟିସ୍ ପଠାଯାଇଥିଲା ତାହାକୁ ଭୋଡାଫୋନ୍ ଓ କେର୍ଣ୍ଣ ଏନର୍ଜି ଆନ୍ତର୍ଜାତିକ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ କେର୍ଣ୍ଣ ଏନର୍ଜି ଭାରତ ସରକାରଙ୍କ ଟିକସ ନୋଟିସ୍‌କୁ ଆନ୍ତର୍ଜାତିକ ମଧ୍ୟସ୍ଥତା କୋର୍ଟରେ ଚ୍ୟାଲେଞ୍ଜ୍‌ କରି ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର