ଫ୍ଲିପ୍‌କାର୍ଟ, ଆମାଜନ୍‌କୁ ବିରୋଧ : ବ୍ୟବସାୟୀ କରିବେ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ : ଫ୍ଲିପ୍‌କାର୍ଟ ଓ ଆମାଜନ ଭଳି ଇ-କମର୍ସ କଂପାନିଗୁଡ଼ିକ ବି‌ରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ‘ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ଘୋଷଣା କରିଛି। ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଇ-କମର୍ସ କଂପାନିଗୁଡ଼ିକ ବୈଦେଶିକ ପୁଞ୍ଜିନିବେଶ ନିୟମର ଉଲ୍ଲଂଘନ କରୁଛନ୍ତି। ସେମାନେ ଦେଶର ଖୁଚୁରା କାରବାର ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗିଛନ୍ତି। ବେପାରୀଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହେବାରେ ଲାଗିଛି। ଦେଶର ୭ କୋଟିରୁ ଅଧିକ ବେପାରୀଙ୍କ ଅସ୍ତିତ୍ବ ବଞ୍ଚାଇବା ଲାଗି ଲଢ଼େଇ କରାଯିବ ବୋଲି ସିଏଆଇଟି ପକ୍ଷରୁ କୁହାଯାଇଛି।

ଏହା ପୂର୍ବରୁ ମହାସଂଘ ତରଫରୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନିକଟରେ ଇ-କମର୍ସ କଂପାନିଗୁଡ଼ିକ ବିରୋଧରେ ଅଭିଯୋଗ କରାଯାଇଥିଲା। ତାହାକୁ ବିଚାରକୁ ନେଇ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆମାଜନ୍ ଓ ଫ୍ଲିପ୍‌କାର୍ଟକୁ ଜବାବ ମଗାଯାଇଥିଲା। ଏହା ବ୍ୟବୀତ ମହାସଂଘ ତରଫରୁ ରାଜସ୍ଥାନ ହାଇକୋର୍ଟର ଯୋଧପୁର ଖଣ୍ଡପୀଠରେ ମଧ୍ୟ ଏନେଇ ଏକ ମାମଲା ଦାୟର କରାଯାଇଛି। ଏହା ସତ୍ତ୍ବେ ଆମାଜନ୍ ଓ ଫ୍ଲିପ୍‌କାର୍ଟ ଭଳି କଂପାନି ନିଜ ପୋର୍ଟାଲ୍‌ରେ ବିପୁଳ ରିହାତିରେ ସାମଗ୍ରୀ ବିକ୍ରି କରୁଛନ୍ତି। ପୋର୍ଟାଲ୍‌ରେ ହେଉଥିବା ବିକ୍ରିକୁ ନିଜେ ନିୟନ୍ତ୍ରିତ କରୁଛନ୍ତି। ନିଜ ପସନ୍ଦର ବିକ୍ରେତାଙ୍କ ସାମଗ୍ରୀ ପାଇଁ ଅଧିକ ବରାଦ ଆଣିବାରେ ସହାୟତା ପ୍ରଦାନ କରୁଛନ୍ତି। ବଜାରର ମୂଲ୍ୟକୁ ପ୍ରଭାବିତ କରିବା ଲାଗି ମଧ୍ୟ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଆସନ୍ତା ୧୦ ତାରିଖରେ ସବୁ ରାଜ୍ୟର ବ୍ୟବସାୟୀ ନେତାମାନଙ୍କ ଏକ ବୈଠକ ବସିବ।

ସମ୍ବନ୍ଧିତ ଖବର