ଭୁବନେଶ୍ବର: ବିଶ୍ବର ଅଗ୍ରଣୀ ରିଫ୍ରାକ୍ଟରି ନିର୍ମାତା କାଲ୍ଡେରିସ୍ ଖୋର୍ଦ୍ଧାରେ ସ୍ଥାପନ କରୁଛି ବିଶ୍ବର ସର୍ବବୃହତ୍ କାରଖାନା। କମ୍ପାନିର ବରିଷ୍ଠ ଉପସଭାପତି (ଏପିଏସି ଅଞ୍ଚଳ) ଇଷ୍ ମୋହନ ଗର୍ଗ ଏହି ସୂଚନା ଦେଇଛନ୍ତି। ଇଟି ଅନ୍ଲାଇନ୍ ସହ କଥାବାର୍ତ୍ତା ବେଳେ ସେ ଜଣାଇଛନ୍ତି ଯେ ୨୦୨୫ରେ ଏହି କାରଖାନା କାର୍ଯ୍ୟକ୍ଷମ ହେବ। ତାହା ହେଉଛି ଗୋଟିଏ ସ୍ଥାନରେ ସ୍ଥାପନ କରାଯାଇଥିବା ବିଶ୍ବର ସର୍ବବୃହତ୍ ରିଫ୍ରାକ୍ଟରି ଓ ଫ୍ଲକ୍ସ କାରଖାନା। ଏହି କାରଖାନା ପୂର୍ବ ଓ ଦକ୍ଷିଣ ଭାରତ ସହିତ ଦକ୍ଷିଣ ପୂର୍ବ ଏସିଆ ବଜାରର ଆବଶ୍ୟକତା ମଧ୍ୟ ପୂରଣ କରିବ।
କାଲ୍ଡେରିସ୍ କାରଖାନାରେ ପାଞ୍ଚଟି ପ୍ରଡକ୍ସନ୍ ଲାଇନ୍ ରହିଛି ଯେଉଁଥିରେ ଏସିଡିକ୍ ଓ ମୌଳିକ ଇଟା, ମୋନୋଲିଥିକ୍, ରେଡି ସେପ୍ ଓ ଷ୍ଟିଲ୍ କାଷ୍ଟିଂ ଫ୍ଲକ୍ସ ଉତ୍ପାଦନ କରାଯିବ। ସ୍ଥାୟିତ୍ବକୁ ଦୃଷ୍ଟିରେ ରଖି କମ୍ପାନି ଏହି କାରଖାନା ବସାଉଛି। ଏଥିରେ ଜିରୋ ଏଫ୍ଲୁଏଣ୍ଟ୍ ଡିସ୍ଚାର୍ଜ ବ୍ୟବସ୍ଥା, ବର୍ଷା ଜଳ ଅମଳ ବ୍ୟବସ୍ଥା ଏବଂ ବାୟୁ ମାନ ନିୟନ୍ତ୍ରଣ ଲାଗି ବ୍ୟବସ୍ଥା ରହିଛି। କାରଖାନାରେ ୩୩ ପ୍ରତିଶତ ସବୁଜ ବଳୟ ରହିବ। ୪୦ ଏକର ଜମିରେ ଏହି କାରଖାନା ସ୍ଥାପନ କରାଯାଉଛି। ୨୦୨୬ ସୁଦ୍ଧା ଏହି ପ୍ରକଳ୍ପରେ ୩୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପରେ କମ୍ପାନି ୬୯୮.୭୧ କୋଟି ଟଙ୍କା ନିବେଶ କରୁଛି। ଗତବର୍ଷ ସେପ୍ଟେମ୍ବରରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷ ଏହି ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ।