‘ଆଲୁମିନିୟମ, ଇସ୍ପାତରେ ନିବେଶ ପାଇଁ ଆହ୍ବାନ: ‘ଅନୁଗୁଳ ଆଡ୍‌ଭାଣ୍ଟେଜ୍‌ ଉଦ୍‌ଘାଟିତ

ଅନୁଗୁଳ: କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଅନୁଗୁଳ ଜିଲ୍ଲାରେ ବ୍ୟାପକ ଭିତ୍ତିଭୂମି ରହିଛି। ସୁଯୋଗ ଓ ସମ୍ଭାବନା ମଧ୍ୟ ଅଛି। ତେଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀଙ୍କ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ। ଜିଲ୍ଲାରେ ପ୍ରଚୁର ପରିମାଣରେ କୋଇଲା ମହଜୁଦ ରହିଛି। ଆଲୁମିନିୟମ, ଇସ୍ପାତ କାରଖାନା ରହିଥିଲାବେଳେ ଶକ୍ତି ଉତ୍ପାଦନ ବି ହେଉଛି। ଶିଳ୍ପ ପାଇଁ ପାଣିର ବି ଅଭାବ ନାହିଁ। ତେଣୁ ଉଦ୍ୟୋଗୀମାନେ ବିନା ଦ୍ବିଧାରେ ଅନୁଗୁଳରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ। ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ନିବେଶକ ସମ୍ମିଳନୀ ‘ଆଡ୍‌ଭାଣ୍ଟେଜ୍‌ ଅନୁଗୁଳ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଗୁଳ ଜିଲ୍ଲାରେ ଥିବା ସୁଯୋଗକୁ ସମ୍ଭାବନାରେ ପରିଣତ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ଏଥିସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଅନୁଗୁଳ ଜିଲ୍ଲାରେ ଥିବା ପ୍ରାକୃତିକ ସମ୍ପଦକୁ ଉପଯୋଗ କରି ଶିଳ୍ପ ପାଇଁ ଥିବା ସୁଯୋଗକୁ ନିବେଶକମାନଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ନାଲ୍‌କୋରେ ନବନିର୍ମିତ ଆଲୁମିନିୟମ୍‌ ପାର୍କରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ନିବେଶକ ସମ୍ମିଳନୀ ‘ଆଡ୍‌ଭାଣ୍ଟେଜ୍‌ ଅନୁଗୁଳ। ପ୍ରଥମ ଦିନରେ ରାଜ୍ୟ ତଥା ବାହାରୁ ୬୭ଟି ଶିଳ୍ପାନୁଷ୍ଠାନର କର୍ମକର୍ତ୍ତା ଓ ଶତାଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ଉଦ୍‌ଘାଟନ ଉତ୍ସବରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଆଲୁମିନିୟମ୍‌ ପାର୍କରେ ୨୨୦ ଏକର ଜମିରେ ଶିଳ୍ପ ପାର୍କ ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଅଧିକ ୩୦୦ ଏକର ଜମି ଅଧିଗ୍ରହଣ କରାଯିବ। ଭାରତର ଏହା ଶ୍ରେଷ୍ଠ ଆଲୁମିନିୟମ ପାର୍କ କରିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।

ଉଦ୍‌ଘାଟନ ଉତ୍ସବ ଆରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସ୍ବାଗତ ଭାଷଣ ଦେଇ ଜିଲ୍ଲାରେ ରହିଥିବା ଭିତ୍ତିଭୂମି ସଂପର୍କରେ ସୂଚନା ଦେଇଥିଲେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଇଡ୍‌କୋ ଓ ଇପିକଲ୍‌ର ଅଧ୍ୟକ୍ଷ ହେମନ୍ତ ଶର୍ମା, ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ୟୁଏନ୍‌ଇପିର ମୁଖ୍ୟ ଅତୁଲ ବଗାଇ, ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ଜେଏସ୍‌ପିଏଲ୍‌ର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ବର ଝା, ନାଲ୍‌କୋର ମହାପ୍ରବନ୍ଧକ ଅପ୍ରତିମ ଦେ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ମତ ରଖିଥିଲେ। ଏହି ସମ୍ମିଳନୀରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲୀପ ସାହୁ, ଉପଜିଲ୍ଲାପାଳ ବଇତୁରା ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଏହି ସମ୍ମିଳନୀ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର